ସ୍ମାର୍ଟ ହେବ ସିଲ୍କ ସିଟି ରୋଡ୍ | News Room Odisha

ସ୍ମାର୍ଟ ହେବ ସିଲ୍କ ସିଟି ରୋଡ୍

ବ୍ରହ୍ମପୁର: ରାଜ୍ୟର ତୃତୀୟ ମହାନଗର ନିଗମ ମାନ୍ୟତା ପାଇଥିବା ରେଶମ ସହର ବ୍ରହ୍ମପୁରର ରାସ୍ତାଗୁଡ଼ିକ ଏବେ ଚକାଚକ ଦେଖାଯିବ। ରାସ୍ତାରେ କେବଳ ଦୁଇରୁ ଚାରିଚକିଆ ଯାନବାହନ ସ୍ଵଚ୍ଛନ୍ଦରେ ଚଳାଚଳ କରିବ ତା ନୁହେଁ, ସାଇକେଲ୍ ଚାଳକଙ୍କ ଠାରୁ ଆରମ୍ଭ କରି ପଥଚାରୀ, ଏପରିକି ହ୍ବିଲ୍ ଚେୟାରରେ ଚଳାଚଳ ପାଇଁ ମଧ୍ୟ ସୁବିଧା ରହିବ। ଅର୍ଥାତ୍ ସମାଜର ସବୁ ବର୍ଗର ଲୋକେ ଯେମିତି ସୁବିଧାରେ ରାସ୍ତାରେ ଚଳପ୍ରଚଳ କରିପାରିବେ, ନିଜର ସାଇକେଲ୍– ବାଇକ୍- କାର୍ ଆଦି ସୁବିଧାରେ ପାର୍କିଂ କରିପାରିବେ ସେସବୁ ବ୍ୟବସ୍ଥା ରହିବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ରେଶମ ସହରର ୧୦ଟି ପ୍ରମୁଖ ସଡ଼କକୁ ସ୍ମାର୍ଟ ରୋଡ୍ କରିବା ପାଇଁ ଯୋଜନା କରି ରାଜ୍ୟ ସରକାରଙ୍କୁ ଡିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପଠାଇଛି ବ୍ରହ୍ମପୁର ମହାନଗର ନିଗମ।

ଗାନ୍ଧିନଗର ମୁଖ୍ୟ ରାସ୍ତାର ଉପର ଓ ତଳ ପାର୍ଶ୍ଵ, ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା- ଉତ୍କଳ ଆଶ୍ରମ- ସୁବାରାଓ ଛକ ପର୍ଯ୍ୟନ୍ତ ରାସ୍ତା, ପୁରୁଣା ବସ୍‌ଷ୍ଟାଣ୍ଡ୍ ଚର୍ଚ୍ଚ ରୋଡ୍, ଭେଙ୍କଟେଶ୍ଵର ମନ୍ଦିର- ସାନବଜାର ଧାନମେରା ସାହି ଛକ ପର୍ଯ୍ୟନ୍ତ ସଡ଼କ, ଧାନମେରା ସାହି- ଜଗନ୍ନାଥ ବିହାର, କମାପଲ୍ଲୀ ଛକ- ଗୋଇଲୁଣ୍ଡି ଛକ, ଆଙ୍କୁଲି ହାଇସ୍କୁଲ- ଜାତୀୟ ରାଜପଥ, ମେଣ୍ଟୁ ଛକ- ଆଇନାବନ୍ଧ ସାହି, ପଞ୍ଚୁଦେଉଳ ସାହି- ରଙ୍ଗୁଣିବନ୍ଧ ସାହି ରାସ୍ତାକୁ ଏହି ଯୋଜନାରେ ସାମିଲ କରାଯାଇଛି। ଏହି ସମସ୍ତ ରାସ୍ତାର ମୋଟ ଲମ୍ବ ପ୍ରାୟ ୬ କିମି ହେବ ଓ ସ୍ମାର୍ଟ ରୋଡ୍ କରିବାକୁ ପ୍ରାୟ ୩୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଦୁଇ ପଟ ଅଲଗା ରାସ୍ତା, ପାଦ ଚଲା ପଥ, ସବୁଜିମା, ରୋଡ୍ ଡିଭାଇଡର୍, ପାର୍କିଂ ସୁବିଧା, ସାଇନ ବୋର୍ଡ, ସୌନ୍ଦର୍ଯ୍ୟକରଣ ଆଦି ସବୁରେ ଝଲସି ଉଠିବ ରାସ୍ତା। ଖୋଲା ନାଳ ଢାଙ୍କି ଦିଆଯିବ। ଉଭୟ ପାର୍ଶ୍ବରେ ନିବୁଜ ଡ୍ରେନ୍ ରହିବ। ଗୋଟିଏ ପାର୍ଶ୍ଵରେ ମୋଟା ପାଇପ୍ ଦେଇ ଟେଲିଫୋନ୍, କେବୁଲ ଓ ଅନ୍ୟାନ୍ୟ ତାର ଯିବ ଯାହାଫଳରେ ଏବେକାର ବିଦ୍ୟୁତ୍ ଖୁଣ୍ଟର ବିରକ୍ତିକର ଦୃଶ୍ୟ ଆଉ ଦେଖିବାକୁ ମିଳିବନି। ତାର ଜାଲ ଭଳି ଖେଳାଇ ରହିବନି କି ବର୍ଷା ପବନରେ ଅଘଟଣ ଆଶଙ୍କା ରହିବନି। ରାସ୍ତାର ଓସାରକୁ ଦେଖି ପିଚୁ, କଙ୍କ୍ରିଟ୍ କିମ୍ବା ପେଭର୍ ବ୍ଲକ୍ ବିଛାଯିବ। ବର୍ଷା ଜଳ ଯେପରି ମାଟି ଭିତରକୁ ସ୍ବଚ୍ଛନ୍ଦରେ ନିଷ୍କାସିତ ହୋଇଯିବ ସେହି ବ୍ୟବସ୍ଥା ରହିବ। ମୋଟାମୋଟି ଭାବେ ଏହି ରାସ୍ତାରେ ଗଲାବେଳେ ରେଶମ ସହରବାସୀ ପାଇବେ ଏକ ସ୍ମାର୍ଟ ସିଟିର ଅନୁଭବ।

ରାଜ୍ୟ ସରକାରଙ୍କ ସ୍ମାର୍ଟ ରୋଡ୍ ଯୋଜନାରେ ବିଏମ୍‌ସିର ଏହି ୧୦ଟି ରାସ୍ତା ପ୍ରାଥମିକ ଭାବେ ଅନ୍ତର୍ଭୁକ୍ତ ହୋଇଛି। ସ୍ୱଚ୍ଛତା, ସୁବିଧାରେ ଚଳପ୍ରଚଳ, ଦୁର୍ଘଟଣାରହିତ ଯାତାୟାତକୁ ନଜରରେ ରଖି ଏହି ଯୋଜନା କରାଯାଇଛି। ଫଳରେ ବଦଳିଯିବ ବ୍ରହ୍ମପୁରର ରାସ୍ତାଗୁଡ଼ିକର ଦୃଶ୍ୟ। ବାଙ୍ଗାଲୁରୁ ସ୍ମାର୍ଟ ରୋଡ୍ ଢାଞ୍ଚାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପ୍ରସ୍ତାବ ରହିଥିବା ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦାର। ଉଲ୍ଲେଖଯୋଗ୍ୟ ଯେ- ବିଜୁ ପଟ୍ଟନାୟକ ପାର୍କ, ନିକଟରେ ଗଢ଼ି ଉଠିବାକୁ ଥିବା ଗଞ୍ଜାମ ହାଟ ଆଦିକୁ ନଜରରେ ରଖି ବ୍ରହ୍ମପୁର କର୍ପୋରେସନ୍ ରୋଡ୍‌କୁ ମଧ୍ୟ ଆଖି ଝଲସାଇ ଦେବା ଭଳି ନୂଆ ଲୁକ୍ ଦେବାକୁ ବିଡିଏ ଯୋଜନା କରିଛି।

BeMCBeMC Commissioner Dr. Siddheshwar Baliram BondarBerhampur