୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ୍‌ର ମାସ୍କଟ ଭିଡିଓରେ କୋଣାର୍କ ମନ୍ଦିର, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ଆନ୍ତର୍ଜାତିକ ଫୁଟବଲ ମହାସଂଘ -ଫିଫା ପକ୍ଷରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ପାଇଁ ମାସ୍କଟ ବା ଶୁଭଙ୍କର ଉନ୍ମୋଚନ କରାଯାଇଛି । ମାସ୍କଟ ହେଉଛି ଏକ ଏସିଆଟିକ୍ ସିଂହୀ, ଯାହାର ନାମ ଇଭା । ଭାରତରେ ଆସନ୍ତାବର୍ଷ ଆୟୋଜନ ହେବ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ । ମାସ୍କଟ ଇଭାର ଉନ୍ମୋଚନ ସହ ଫିଫା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯାହା କି କୋଣାର୍କ ମନ୍ଦିର ପରିସରରେ ସୁଟିଂ ହୋଇଥିଲା । ଭାରତ ଓ ବିଶ୍ୱର ମହିଳା ଓ ବାଳିକାଙ୍କ ଅନ୍ତନିର୍ହିତ ଗୁଣକୁ ସାମନାକୁ ଆଣିବା ଇଭାର ଲକ୍ଷ୍ୟ ବୋଲି ଫିଫା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

୧୭ ବର୍ଷରୁ କମ୍ ମହିଳା ବିଶ୍ୱକପରେ ସେମିଫାଇନାଲ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଆସନ୍ତାବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ବିଶ୍ୱକପ୍ ଖେଳାଯିବ ।
ବିଶ୍ୱକପ୍‌ର ମାସ୍କଟ ଭିଡିଓରେ ଭବ୍ୟ କୋଣାର୍କ ମନ୍ଦିର ସ୍ଥାନ ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର କଳିଙ୍ଗ ଷ୍ଟାଡିୟମ ଆୟୋଜକ ଭେନ୍ୟୁ ମଧ୍ୟରେ ରହିଛି ସମସ୍ତଙ୍କୁ ସ୍ୱାଗତ କରିବା ପାଇଁ ଓଡିଶା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.