ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ଗଞ୍ଜାମ ଓ କନ୍ଧମାଳ ବିଜେଡି ନେତୃବୃନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୪ ବ୍ଲକ୍‌ ଯଥା ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ ଏବଂ ଖଲ୍ଲିକୋଟର ୩୦୪ ଗାଁକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୩୨୫ କୋଟି ୭୫ ଲକ୍ଷ ୬୫ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକେ ପାଇପ୍ ଟ୍ୟାପ୍ ଯୋଗେ ପିଇବା ପାଣି ପାଇବେ। ସେମାନଙ୍କୁ ଆଉ ଆଗ ଭଳି ଦୂର ଅଞ୍ଚଳକୁ ଯାଇ ଗଡ଼ିଆ, ନଦୀ ନାଳର ପାଣି ସଂଗ୍ରହ କରିବାକୁ ପଡ଼ିବ ନାହିଁ। ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେବାକୁ ପଡ଼ିବ ନାହିଁ। ଜିଲ୍ଲାବାସୀଙ୍କୁ ଏଭଳି ଦଶହରା ଭେଟି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଗଞ୍ଜାମର ବିଧାୟକ, ଦଳୀୟ ନେତୃବୃନ୍ଦ।

୪ ବ୍ଲକ ନିମନ୍ତେ ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ୮୬ଟି ପଞ୍ଚାୟତ ଅନ୍ତର୍ଗତ ମୋଟ ୩୦୪ଟି ଗାଁର ୬ ଲକ୍ଷ ୬୪ ହଜାର ଲୋକ ଏହାର ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଛନ୍ତି। ଛତ୍ରପୁର, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ବ୍ଲକ୍‌କୁ ଋଷିକୁଲ୍ୟା ନଦୀରୁ ପାଣି ଯୋଗାଣ ହେବାକୁ ଥିବା ବେଳେ ଖଲ୍ଲିକୋଟ ବ୍ଲକ୍‌କୁ ଶାଳିଆ ଡ୍ୟାମରୁ ଜଳଯୋଗାଣ ହେବ ।

ଛତ୍ରପୁର ରିଡିଂ ରୁମ୍‌ରେ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା ଯେଉଁଥିରେ ଜିଲ୍ଲା ବାସିନ୍ଦାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସ୍ମାର୍ଟ ସ୍କୁଲ ପରି ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ମୁଖ୍ୟମନ୍ତ୍ରୀ ଗାଁରେ ଗ୍ରାମବାସୀଙ୍କୁ ସହରାଞ୍ଚଳ ସୁବିଧା ପ୍ରଦାନ କରିଛନ୍ତି ବୋଲି ମତ ପ୍ରକାଶ ପାଇଛି। ଜିଲ୍ଲା ବିଜେଡି ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ବ୍ଲକ୍ ଉପାଧ୍ୟକ୍ଷ ଅମିତ ସାହୁ, ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷା ମିନାକ୍ଷୀ ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ସି.ଏଚ୍. ଉଷାରଣୀ, ଉପାଧ୍ୟକ୍ଷ ଅଜିତ କୁମାର ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ, ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା, ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇ ମଞ୍ଚାସୀନ ଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ୩୩ଟି ପଞ୍ଚାୟତ ୮୧ଟି ଗ୍ରାମର ୧ ଲକ୍ଷ ୫୫ ହଜାର ଲୋକ, ଛତ୍ରପୁର ବ୍ଲକ୍ ଅଧୀନ ୧୮ଟି ପଞ୍ଚାୟତ ୭୪ଟି ଗ୍ରାମର ୧ ଲକ୍ଷ ୩୫ ହଜାର ବାସିନ୍ଦା, ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ୩୦ଟି ପଞ୍ଚାୟତ ୧୪୩ଟି ଗ୍ରାମର ୩ ଲକ୍ଷ ୬୦ ହଜାର ଲୋକ, ଗଞ୍ଜାମ ବ୍ଲକ୍ ଅଧୀନ ୨ଟି ପଞ୍ଚାୟତ ୬ଟି ଗ୍ରାମର ୧୫ ହଜାର ୭୦୨ ଅଧିବାସୀ ଉପକୃତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ପ୍ରକଳ୍ପ ଆସନ୍ତା ୨୪ ମାସ ମଧ୍ୟରେ ଶେଷ ହେବ। ଏଣୁ ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ନିର୍ବାଚିତ ପ୍ରତିନିଧି ଓ ଦଳୀୟ ନେତୃବୃନ୍ଦ।

ଅପରପକ୍ଷରେ କନ୍ଧମାଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି ହୋଇଛି ୬୫୭ କୋଟିର ମେଗା ପାନୀୟ ଜଳ ପ୍ରକଳ୍ପ। ଜିଲ୍ଲାରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ୬୫୭.୫୭ କୋଟି ଟଙ୍କାର ପ୍ରକଳ୍ପ। ଫିରିଙ୍ଗିଆ, ଫୁଲବାଣୀ, ଚକାପାଦ, ଖଜୁରୀପଡା, ଜି.ଉଦୟଗିରି ଓ କେ.ନୂଆଗାଁ ବ୍ଲକର ୪୯ଟି ଗ୍ରାମ ପଞ୍ଚାୟତର ୬୩୭ଟି ଗ୍ରାମର ପ୍ରାୟ ୪ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ। ଜିଲ୍ଲାରେ ଅନେକ ସମୟରେ ଲୋକେ ପାହାଡ଼ିଆ ଝରଣା, ନଈ ଓ ନାଳ ଚୁଆରୁ ପାଣି ସଂଗ୍ରହ କରୁଥିବା ଦୃଶ୍ୟ ପରିଲକ୍ଷିତ ହେଉଥିଲା। କିନ୍ତୁ ଏବେ ଜିଲ୍ଲାବାସୀଙ୍କ ଘରେ ଘରେ ପାଇପ୍ ଯୋଗେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ। ଫୁଲବାଣୀ ବ୍ଲକ୍ ୧୧ଟି ପଞ୍ଚାୟତର ୧୮୨ଟି ଗ୍ରାମ, ଫିରିଙ୍ଗିଆ ବ୍ଲକର ୧୨ଟି ପଞ୍ଚାୟତର ୧୧୦ ଗ୍ରାମ, ଖଜୁରୀପଡା ବ୍ଲକ୍ ୧୨ଟି ପଞ୍ଚାୟତର ୧୭୫ଟି ଗ୍ରାମ, ଚକାପାଦ ବ୍ଲକ୍ ଅନ୍ତର୍ଗତ ୫ଟି ପଞ୍ଚାୟତର ୬୫ ଗ୍ରାମ, ଜି.ଉଦୟଗିରି ବ୍ଲକ୍ ଅଧୀନ ୨ଟି ପଞ୍ଚାୟତର ୧୮ଟି ଗ୍ରାମ, କେ.ନୂଆଗାଁ ବ୍ଲକ୍ ୬ଟି ପଞ୍ଚାୟତର ୮୭ ଗ୍ରାମର ଜନସାଧାରଣ ଉପକୃତ ହେବେ। ଏହି ମେଗା ପ୍ରକଳ୍ପର କାମ ୨ ବର୍ଷ ମଧ୍ୟରେ ସରିବ। ଏଣୁ କନ୍ଧମାଳ ଜିଲ୍ଲାବାସୀଙ୍କ ତରଫରୁ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲା ପରିଷଦ ଉପାଧ୍ୟକ୍ଷା ସାରତୀ ମଲ୍ଲିକ, ଖଜୁରୀପଡା ବ୍ଲକ୍ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଫୁଲବାଣୀ ବ୍ଲକ୍ ଅଧ୍ୟକ୍ଷ ମଞ୍ଜୁଦେବୀ କହଁର, ଚକାପାଦ ବ୍ଲକ୍ ଅଧ୍ୟକ୍ଷ ପ୍ରଭଞ୍ଜନ କହଁର, ଫିରିଙ୍ଗିଆ ବ୍ଲକ୍ ଅଧ୍ୟକ୍ଷ ଲାଲନନ୍ଦ କହଁର, ଜିଲ୍ଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା, ଜୟଶ୍ରୀ କହଁର, ଯୁବ ବିଜେଡି ସଭାପତି ବିଷ୍ଣୁଚରଣ ମଲିକ, ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ, ନଗର ବିଜେଡି ସଭାପତି ସୁଧୀର କହଁର, ଯୁବ ବିଜେଡି ଉପସଭାପତି ଧନଞ୍ଜୟ ପାତ୍ରଙ୍କ ସମେତ ବିଭିନ୍ନ ବ୍ଲକର ଦଳୀୟ କର୍ମକର୍ତ୍ତା ଓ ଜନ ପ୍ରତିନିଧି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଏହି ମେଗା ପ୍ରକଳ୍ପ ଜରିଆରେ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଦୀର୍ଘ ଦିନରୁ ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ହେବ। ରାଜ୍ୟର ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ସଂକଳ୍ପର ଏହା ଅଂଶବିଶେଷ। ପୂର୍ବରୁ ବାଲିଗୁଡା ନିର୍ବାଚନମଣ୍ଡଳୀରେ ମଧ୍ୟ ୧୮୭ କୋଟି ଟଙ୍କାର ଅନ୍ୟ ଏକ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଚାଲିଛି। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ପାଇଁ ମଧ୍ୟ ପ୍ରାୟ ୭୪ କୋଟି ଟଙ୍କାର ଏକ ମେଗା ପାନୀୟ ଜଳ ପ୍ରକଳ୍ପ କ୍ୟାବିନେଟ ଅନୁମୋଦନ ପାଇଛି।

Comments are closed.