ଜେନାଖାଳରେ ପହଞ୍ଚିଲା ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା ସହରରେ ୧୪୪ ଧାରା

ଭବାନୀପାଟଣା : କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଜି ସକାଳୁ ଆରମ୍ଭ ହୋଇ ପୂର୍ବାହ୍ନ ସାଢେ ୯ଟା ସୁଦ୍ଧା ଶେଷ ହୋଇଯାଇଛି । ଗତକାଲି ମହାଷ୍ଟମୀ ଏବଂ ମହାନବମୀର ସନ୍ଧିରେ ମଧ୍ୟରାତ୍ରରେ ମାଁଙ୍କ ପୀଠରେ ଛାଗଳ ମହାପଶୁ , ବନ୍ୟପଶୁ ଆଦି ଅଷ୍ଟବଳି ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଆଜି ସକାଳୁ ମାଁଙ୍କ ବିଜୟ ପ୍ରତିମା ଛତ୍ର ( ଛତର୍ ) ମନ୍ଦିର ପରିସରରୁ ପଶ୍ଚିମ ଉପଖଣ୍ଡ ଫାଶି ପାହାଡ ପାଦଦେଶରେ ଥିବା ଜେନାଖାଲରେ ପହଞ୍ଚିଛି । କୋଭିଡ୍ କଟକଣା ମଧ୍ୟରେ ଚାଲିଥିବା ଏହି ଯାତ୍ରା ପାଇଁ ଗତକାଲି ରାତି ୮ଟାରୁ ଆଜି ଅପରାହ୍ନ ୪ଟା ଯାଏ ସମଗ୍ର ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି ।

ଆଜି ସକାଳୁ ସକାଳୁ ମାଁଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆରମ୍ଭ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପୂଜକଙ୍କ ଦ୍ୱାରା ସମସ୍ତ ଗୁପ୍ତନୀତି ସଂପନ୍ନ ହୋଇଥିଲା । ଆଉ ଆଜି ଭୋର୍ ସକାଳୁ ମାଁଙ୍କ ବିଜୟ ଛତ୍ର ବା ଛତର୍ ଯାତ୍ରା ବାହାରିଥିଲା । ଘଣ୍ଟ ଘଣ୍ଟା ଶଙ୍ଖ , ଘୁମୁରା ଆଦି ପାରମ୍ପାରିକ ସାଂସ୍କୃତିକ ଦଳ ସହିତ ଏହି ଶୋଭାଯାତ୍ରା ଜେନାଖାଲରେ ପ୍ରାୟ ସକାଳ ସାଢେ ୯ଟାରେ ପହଞ୍ଚିଛି । ଜେନାଖାଳରେ ପୂଜାରୀ , ବାହୁକ , ମୁଣ୍ଡଛିନା ଆଦି ମାଁଙ୍କ ଛତର୍‌କୁ ଧରି ମନ୍ଦିର ପର୍ଯ୍ୟନ୍ତ ବୋହି ନେଇଛନ୍ତି । ସେହିପରି ପରମ୍ପରା ଅନୁଯାୟୀ , କଳାହାଣ୍ଡି ମହାରାଜା ମନ୍ଦିରର ସିଂହଦ୍ଵାରରୁ ମାଁଙ୍କ ଛତରକୁ ସ୍ବାଗତ କରି ନିଜେ କାନ୍ଧରେ ବୋହି ମନ୍ଦିର ପର୍ଯ୍ୟନ୍ତ ନେଇଛନ୍ତି ।

ସେପଟେ , ମାନସିକଧାରୀମାନେ ରାସ୍ତାରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ବଳି ଦେଇଥିବା ବେଳେ ଛତର୍ ଯାତ୍ରା ଯାଇଥିବା ରାସ୍ତା ରକ୍ତରଞ୍ଜିତ ହୋଇଯାଇଛି । ବାଟ ସାରା ମେଣ୍ଢା , ବୋଦା , ପାରା , କୁକୁଡା ଆଦି ବଳି ଦିଆଯାଇଛି । ସେହିପରି ବହୁ ମାନସିକଧାରୀ ମାଁଙ୍କ ଛତର ଉପରେ ପାରା ଉଡାଇଛନ୍ତି ।

ଅପରପକ୍ଷେ , କରୋନା କଟକଣାକୁ ଦେଖି ସମଗ୍ର ସହରରେ ଗତକାଲି ରାତିରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ଆଜି ଅପରାହ୍ନ ଯାଏ ବଳବତ୍ତର ରହିଛି । ଭକ୍ତଙ୍କୁ ଛତର ଯାତ୍ରା ଦେଖି ନ ଆସିବାକୁ ଘୋଷଣା କରାଯାଇଥିଲା । ତେବେ , ଏହି ଯାତ୍ରାକୁ ଘରେ ଥାଇ ବିଭିନ୍ନ ଚ୍ୟାନେଲ୍‌ ଏବଂ ସୋସିଆଲ୍ ମିଡିଆରେ ଦେଖିବାକୁ ବ୍ୟବସ୍ଥା କରାଯାଇଥିଲା । ଏହାଛଡା ଯେମିତି ଭବାନୀପାଟଣା ସହରକୁ ଅନ୍ୟ ଅଞ୍ଚଳରୁ ଭକ୍ତ ନ ଆସିବେ ସେଥିପାଇଁ ସହରର ସମସ୍ତ ପ୍ରବେଶ ପଥକୁ ଗତକାଲି ରାତିରୁ ସିଲ୍‌ କରି ଦିଆଯାଇଥିଲା । ଏହି ଯାତ୍ରା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

Comments are closed.