ଆଶ୍ୱିନ ଶୁକ୍ଳ ଏକାଦଶୀରୁ ଶ୍ରୀଜୀଉଙ୍କ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତି ‘ବାଳଧୂପ ‘

ବାଳ ଅପ୍ରାଧ ଯୋଗୁ ଶ୍ରୀଜଗନ୍ନାଥଙ୍କ ଠାରେ ପାଳିତ ହୋଇଥାଏ ବାଳଧୂପ । ଏହା ଶ୍ରୀଜୀଉ ମାନଙ୍କ ଏକ ସ୍ଵତନ୍ତ୍ର ନୀତି । ଏହା ପଛରେ ରହିଛି ସୁନ୍ଦର ଏକ କିମ୍ବଦନ୍ତୀ। ରାଜା ପ୍ରତାପରୁଦ୍ର ଦେବଙ୍କ ସମୟର ଏକ ଘଟଣା । ରାଜା ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତଥିଲେ । ଆଶ୍ୱିନ ମାସ ଅଷ୍ଟମୀ ଦିନ ରାଜାଙ୍କର ଅଙ୍ଗ ଅଳସ ଯୋଗୁଁ ଶ୍ରୀମନ୍ଦିରକୁ ଚାରିଦିନ ଯାଇପାରିଲେ ନାହିଁ। ଏକାଦଶୀ ଦିନ ରାଜା ଆରୋଗ୍ୟ ଲାଭ କଲାପରେ ଶ୍ରୀମନ୍ଦିରକୁ ଆସିଲେ । ସକାଳ ଧୂପ ପରେ ଶ୍ରୀଅଙ୍ଗରେ ପ୍ରସାଦ ଲାଗି ସମୟରେ ରାଜା ଜଗମୋହନରେ ପ୍ରବେଶ କଲେ । ରାଜାକୁ ଦେଖି ବଳଭଦ୍ର ନାମକ ପଶୁପାଳକ ତୁଳସୀ ଦୟଣା ଓ ପ୍ରସାଦ ଆଣି ରାଜାଙ୍କ ହାତରେ ଦେଲେ। ଠାକୁରଙ୍କୁ ଦର୍ଶନ ପରେ ପ୍ରସାଦ ଆଘ୍ରାଣ ସମୟରେ ରାଜା ପ୍ରସାଦରେ ଗୋଟିଏ ବାଳ ଦେଖିଲେ ।ଶ୍ରୀଜଗନ୍ନାଥଙ୍କ ମସ୍ତକରେ ବାଳନାହିଁ । ମାତ୍ର ପ୍ରସାଦରେ ବାଳ ଲାଗିଥିବା ଯୋଗୁଁ ରାଜା କ୍ରୋଧରେ ପଶୁପାଳକକୁ ଏହାର କୈଫିୟତ ମାଗିଲେ । ପଶୁପାଳକ ଶ୍ରୀଜଗନ୍ନାଥଙ୍କ ତ୍ରିମୁଣ୍ଡର ବାଳ ପ୍ରସାଦରେ ମିଶିଛି ବୋଲି ପ୍ରାଣଭୟରେ କହିଦେଲେ । ପ୍ରଭୁଙ୍କ ମସ୍ତକରେ ବାଳ?

ସକାଳେ ପ୍ରଭୁଙ୍କର ତ୍ରିମୁଣ୍ଡିରେ ବାଳ ନଦେଖାଇଲେ ସେବକପଣରୁ ବାହାର କରିଦେବେ ବୋଲି ରାଜା ଆଦେଶ ଦେଇ ଚାଲିଗଲେ। ସନ୍ଧ୍ୟା ହେଲା, ପ୍ରଭୁଙ୍କର ସନ୍ଧ୍ୟାଧୂପ ବଢିଲା । ଚାରିଆଡ଼େ ଜୟଜୟ ଶବ୍ଦ ଶୁଭିଲା । କ୍ରମେ ରାତି ହେଲା । ପ୍ରଭୁଙ୍କ ବଡ଼ସିଂହାର ବେଶ ପରେ ପ୍ରଭୁଙ୍କ ପହଡ଼ ହେଲା । କମଳିନୀଙ୍କର ବନ୍ଦାପନା ପରେ,ପ୍ରଭୁ ଆନନ୍ଦରେ ପହୁଡ଼ିଲେ। କିନ୍ତୁ ପଶୁପାଳକ, ମୁଦିରଥ ପ୍ରଭୃତି ସେବକଙ୍କ ଆଖିରେ ନିଦ ନାହିଁ । ସମସ୍ତେ ଜଗନ୍ନାଥଙ୍କଠାରେ ଶରଣ ପଶିଲେ । ଆର୍ତ୍ତତ୍ରାଣ ଜଗନ୍ନାଥ ସମସ୍ତଙ୍କୁ ବିପଦରୁ ରକ୍ଷା ପାଇବା ପାଇଁ ଆରତରେ ଜଣାଇଲେ।

ଆରତତ୍ରାଣ ପ୍ରଭୁ ଭକ୍ତମାନଙ୍କର ଦୁଃଖରେ ଦୁଃଖୀ ହେଲେ । ସ୍ୱପ୍ନରେ ଦୁଃଖ ଦୂର କରିବେ ବୋଲି ଆଜ୍ଞାଦେଲେ।

ପଶୁପାଳକ ପ୍ରଭୁଙ୍କ ଉଦ୍ଦେଶ୍ୟରେ କୋଟି କୋଟି ଦଣ୍ଡବତ ଜଣାଇଲେ । ସକାଳ ହେଲା । ସେବକ ମାନେ ସତ୍ୟ କିମ୍ବା ସ୍ୱପ୍ନର ଭ୍ରମ ଜାଣିବା ପାଇଁ ସମସ୍ତେ ସ୍ନାନସାରି ମନ୍ଦିରରେ ଉପସ୍ଥିତ ହେଲେ । ଏଣେ ରାଜା ମଧ୍ୟ ସ୍ନାନସାରି ପ୍ରଭୁଙ୍କ ମଥାର ଚୂଳ (ବାଳ) ଦର୍ଶନ କରିବା ଉଦ୍ଦେଶ୍ୟରେ ଜଗମୋହନରେ ପ୍ରବେଶ କଲେ । କବାଟ ଫେଡ଼ି ରାଜା ପ୍ରଭୁଙ୍କର ମସ୍ତକକୁ ଅନାଇଲେ। ସମସ୍ତ ଆଖି ଝଲସାଇ ତ୍ରିମୁଣ୍ଡିରେ କୁଞ୍ଚ ଇଂଚ କଂଟାବାଳ ତଳକୁ କେରି କେରି ହୋଇ ଓହଳି ପଡ଼ିଲା ।

ପ୍ରକୃତରେ ଶ୍ରୀଜଗନ୍ନାଥଙ୍କ ତ୍ରିମୁଣ୍ଡିର ବାଳ କିମ୍ବା କୃତ୍ରିମ ବାଳ ଯୋଖି ହୋଇଛି, ତାହା ଜାଣିବାକୁ ଇଚ୍ଛା କରନ୍ତେ ପଶୁପାଳକ ତ୍ରିମୁଣ୍ଡିର ଗୋଟିଏ ବାଳ ଉପାଡ଼ି ଦିଅନ୍ତେ ଝରଝର ରୁଧିର ଶ୍ରୀମୁଖ ଉପରେ ବୋହିପଡ଼ିଲା ।

ଶ୍ରୀମୁଖ ରୁଧର ଦେଖି ସମସ୍ତ ଦୁଃଖରେ ଭାଙ୍ଗି ପଡ଼ିଲେ । ରାଜା ପ୍ରତାପରୁଦ୍ର ପ୍ରଭୁଙ୍କ ଶ୍ରୀଚରଣରେ କୋଟି କୋଟି ଦଣ୍ଡବତ କରି ନିଜ ଅପରାଧ ପାଇଁ କ୍ଷମା ମାଗିଲେ । ନବରକୁ ଫେରିଯାଇ ଅନାହାରରେ ପ୍ରାଣ ବିସର୍ଜନ କରିବାକୁ ସିଦ୍ଧାନ୍ତ କଲେ । ତିନିଦିନ ପରେ ରାତିରେ ପ୍ରଭୁ ରାଜାଙ୍କର ଅପରାଧ କ୍ଷମାକଲେ ଓ ବାଳ ଅପ୍ରାଧୁ ତାଙ୍କଠାରେ ବାଳଧୂପର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଲେ ।

ଆଶ୍ୱିନ ଶୁକ୍ଳ ଦଶମୀ ଦିନ ପ୍ରଭୁ ଜଗନ୍ନାଥ ତ୍ରିମୁଣ୍ଡିରେ ବାଳ ଦେଖାଇଥିଲେ। ସେହି ଦିନଠାରୁ ବାଳଧୂପର ବିଧାନ ହୋଇଥିଲା ଓ ସବୁକାଳକୁ ବାଳଧୂପର ଖ୍ୟାତି ଲାଭ କରିଥିଲା । ପ୍ରଭୁ ଦାମୋଦର ରୂପ ହୋଇ ବାଳଧୂପକୁ ଆଘ୍ରାଣ କରନ୍ତି । ତ୍ରିମୁଣ୍ଡିକୁ ଦିବ୍ୟ ଚୂଳରେ ବାନ୍ଧି ଦିଆଯାଏ। ହେମ କେତକୀ ପୁଷ୍ପ ଦ୍ବାରା ଜୁଡ଼ା ସଜେଇ ଦିଆଯାଏ । ରତ୍ନ କିରୀଟରେ ମୁକୁଟ ଖଂଜି ଦିଆଯାଏ । ସୁନାସୁତାରେ ମୁକୁତା ପ୍ରବାଳ ଝରା ଗଳାରେ ଲମ୍ବାଇ ଦିଆଯାଏ । ସୁବର୍ଣ୍ଣର ରଙ୍ଗ ଝିନବସନ ପ୍ରଭୁଙ୍କୁ ପିନ୍ଧାଇ ଦିଆଯାଏ । କର୍ଣ୍ଣରେ କର୍ଣ୍ଣଚୂଳ ଦିଆଯାଏ । ବଳିଆର ଭୁଜରେ ଶଙ୍ଖ ଚକ୍ର ଦାଉଦାଉ ହୋଇ ବିରାଜେ । ପୁଣି ଦଶ ଅବତାରରେ ମଣିହାର ଗଳାରେ ଲମ୍ବାଇ ଦିଆଯାଏ । କରପଲ୍ଲବରେ କୁଙ୍କୁମ ବୋଲାଯାଇ ପାଂଚ ପାଂଚ ମାଳିର ଝୁମ୍ପା ଝୁଲାଇ ଦିଆଯାଏ । ହୃଦୟରେ ରତ୍ନ ଜଡ଼ିତ ସୁନା ବ୍ୟାଘ୍ରନଖି ଖଚିତ କରାଯାଏ । କଟୀତଟରେ କଚଟିର ଝରି, ଝିନବସନ ଓ କାଛେଣୀ ପିନ୍ଧାଇ ଦିଆଯାଏ । ଚକାଡୋଳାକୁ କର୍ପୂରର ଭୁଲତା ଆହୁରି ସୁନ୍ଦର ଦିଶେ । ଏହିପରି ସୁନ୍ଦର କେଶରେ ଶ୍ରୀଜଗନ୍ନାଥଙ୍କର ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଏବଂ ଏକମାସ ଧରି ପ୍ରଭୁଙ୍କ ବାଳ ଧୂପ ଅନୁଷ୍ଠିତ ହୋଇଥାଏ।

Comments are closed.