ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଦୀର୍ଘ ୨୩ ଘଣ୍ଟାର ଭିିଜିଲାନ୍ସ ଚଢାଉ ଶେଷ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ସାରା ରାତି ଭିଜିଲାନ୍ସ ଚଢାଉ କରିଛି । ଦୀର୍ଘ ୨୩ ଘଣ୍ଟା ଚଢାଉ ପରେ ଆଜି ସକାଳ ୬ଟାରେ ପ୍ରଦୀପଙ୍କ ଘରୁ ଫେରିଛି ଭିଜିଲାନ୍ସ । ବହୁ ଜମିଜମା ସଂପତ୍ତିର କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ଲାପଟପ୍‌, ଏଟିଏମ କାର୍ଡ ଓ ମୋବାଇଲ ଫୋନ୍ ବି ଜବତ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ସହଯୋଗୀଙ୍କଠାରୁ ନଗତ ୨୦ ଲକ୍ଷ ଟଙ୍କା ଜବତ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଜନବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିରୁ ବିଦା ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ବିରୋଧରେ ଟାଟା କଂପାନିରେ ଚାକିରି ଦେବା ନାଁରେ ଠକେଇ ଭଳି ସଂଗୀନ ଅଭିଯୋଗ ରହିଛି । ମାମଲାରେ ପ୍ରଦୀପ ପାଣିଗ୍ରାହୀ ଗିରଫ ବି ହୋଇଥିଲେ । ଏଣେ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ଅଭିଯୋଗର ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ୨୦୧୯ ମେ ମାସରୁ ୨୦୨୦ ଅକ୍ଟୋବର ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ୫ କୋଟି ୫ ଲକ୍ଷରୁ ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ସିକ୍ରେଟ ଭେରିଫିକେସନରୁ ଜାଣି ପାରିଥିଲା । ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ବାସଭବନ ସମେତ ତାଙ୍କ ସହଯୋଗୀଙ୍କ ୧୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୩ ଘଣ୍ଟାର ଚଢାଉ ଆଜି ସକାଳେ ଶେଷ ହୋଇଛି ।

Comments are closed.