ଦୁଇ ମହାନଗରରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ, ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା

ଭୁବନେଶ୍ୱର – ରାଜ୍ୟରେ କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଏ ଯାଏଁ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଲୋକ ଟିକା ନେଇଛନ୍ତି । ୭୮ ପ୍ରତିଶତ ଅର୍ଥାତ ୨ କୋଟି ୪୧ ଲକ୍ଷ ୫୧ ହଜାରରୁ ଅଧିକ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୩୨ ପ୍ରତିଶତ ଅର୍ଥାତ ୯୯ ଲକ୍ଷ ୨୨ ହଜାର ୮୪୫ ଜଣ ଟିକାର ଉଭୟ ଡୋଜ୍ ନେଇଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ଲକ୍ଷ୍ୟ ରଖାଯାଇଛି । ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମରେ ୧୦୦ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ରିଆମାଳ, ଟିକାବାଲି, ରାଇକିଆ, ଜି. ଉଦୟଗିରି, ବେଲଗୁଣ୍ଠାରେ ବି ୧୦୦ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି । ଏଥିସହ ୩ ହଜାର ୫୪୦ଟି ଗାଁରେ ବି ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଥିବା ସେ କହିଛନ୍ତି ।

ଦ୍ୱିତୀୟ ଡୋଜ୍ ଟିକା ନେଇ ନ ଥିବା ଲୋକଙ୍କୁ ବାରମ୍ବାର ମେସେଜ କରାଯାଉଛି । ଟିକାକରଣ କାମ ପାଇଁ ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କୁ ପୁରସ୍କୃତ କରାଯାଉଛି । ଟିକାକରଣ କେନ୍ଦ୍ରକୁ ଆସିବାକୁ ସଂପୂର୍ଣ୍ଣ ଅସମର୍ଥ ଲୋକଙ୍କୁ ଘରେ ଟିକା ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଂଟିବଡି ଥିବା ସେ କହିଛନ୍ତି ।

Comments are closed.