ଗଜଲକ୍ଷ୍ମୀ ପୂଜା: ଆଜି ସମଗ୍ର ରାଜ୍ୟରେ ପାଳିତ ହେଉଛି ମା’ ଗଜଲକ୍ଷ୍ମୀ ପୂଜା

ଆଜି ସମଗ୍ର ରାଜ୍ୟରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଚଳିତବର୍ଷ କରନା କଟକଣା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ ନିୟମକୁ ପାଳନ କରି ସମସ୍ତ ପୂଜାମଣ୍ଡପ ପୂଜା ଜାରି ରଖିଛନ୍ତି।

ଲକ୍ଷ୍ମୀପୂରାଣ ବର୍ଣ୍ଣିନା ଅନୁସାରେ ସତ୍ୟଯୁଗରେ ଦେବତା ଓ ଦାନବମାନେ ସମୁଦ୍ର ମନ୍ଥନ କରିଥିଲେ। ସମୁଦ୍ର ସମସ୍ତ ରତ୍ନର ଭଣ୍ଡାର। ତେଣୁ ସମୁଦ୍ରକୁ ରତ୍ନାକର କୁହାଯାଏ । କାରଣ ଏହା ସମସ୍ତ ପ୍ରକାର ରତ୍ନକୁ ନିଜ ବକ୍ଷରେ ଧାରଣ କରିଥାଏ। ସମୁଦ୍ର ମନ୍ଥନରୁ ଅନେକ ଦୁର୍ମୂଲ୍ୟ ଦ୍ରବ୍ୟ ପ୍ରାପ୍ତ ହୋଇଥିଲା। ସେହି ମନ୍ଥନରୁ ଆଦ୍ୟାଶକ୍ତି ଜଗତଜନନୀ ଲକ୍ଷ୍ମୀ ଆର୍ବିର୍ଭୁତା ହୋଇଥିଲେ। ଗଜଲକ୍ଷ୍ମୀ ହେଉଛନ୍ତି ଜଳାଧିପତି ବରୁଣଙ୍କ କନ୍ୟା । ଲକ୍ଷ୍ମୀଙ୍କ ଆବିର୍ଭାଭାବ ହେତୁ ତାଙ୍କର ଅନ୍ୟନାମ କୁମାର ଲକ୍ଷ୍ମୀ। ଭଗବାନ ବିଷ୍ଣୁଙ୍କର ପାଣିଗ୍ରହଣ ପରେ ମହାଲକ୍ଷ୍ମୀ ତ୍ରୀପୁରରେ ବିଜିତା ହେଲେ। ବିଷ୍ଣୁଙ୍କ ଗୃହିଣୀ ହେତୁ ମାଆଙ୍କ ଉଭୟ ପାର୍ଶ୍ୱରେ ୨ଟି ଗଜହସ୍ତି ଜଳାଭିଷେକ ମୁଦ୍ରାରେ ଦଣ୍ଡାୟମାନ ରହିଥିବାରୁ ମାଆଙ୍କୁ ଗଜଲକ୍ଷ୍ମୀଭାବେ ଆରାଧନା କରାଯାଏ । ଶତଦଳ ପ୍ରସ୍ଫୁଟିତ ପଦ୍ମ ଉପରେ ଅଭୟ ବରଦା ମୁଦ୍ରାରେ ଶୋଭିତା ମାଆ ଗଜଲକ୍ଷ୍ମୀ । କେବଳ ହିନ୍ଦୁ ଧର୍ମ ନୁହେଁ ବୌଦ୍ଧ ଧର୍ମରେ ମଧ୍ୟ ଗଜଲକ୍ଷ୍ମୀଙ୍କୁ ଉପାସନା ପ୍ରଚଳିତ ରହିଛି । ମା’ଲକ୍ଷ୍ମୀ ହେଉଛନ୍ତି ଧନଦା ଏବଂ ସୁଖଦା। ଵିଷ୍ଣୁଙ୍କ ଗୃହିଣୀ ହେତୁ ସିଏ ସମଗ୍ର ଜଗତର ଅନ୍ନଦାତ୍ରୀ। ଆଜିର ଏ ପବିତ୍ର ଦିବସରେ ମାଆ ସମୁଦ୍ରରୁ ଅବିର୍ଭୁତ ହୋଇଥିବାରୁ ସ୍ଥାନେ ସ୍ଥାନେ ତାଙ୍କର ସ୍ୱତନ୍ତ୍ର ପୂଜା ଆୟୋଜିତ ହୋଇଥାଏ।

ଏହିଦିନ ସମସ୍ତ ଗୃହିଣୀ ମାନେ ମଧ୍ୟ ମା’ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବରେ ଆରାଧନା କରିଥାନ୍ତି। ବର୍ଷରେ ମୁଖ୍ୟତଃ ଲକ୍ଷ୍ମୀପୂଜା ତିନିଥର ସମ୍ପର୍ଣ୍ଣ ହୋଇଥାଏ।ମାର୍ଗଶିର ମାସ ଗୁରୁବାରରେ, କାର୍ତ୍ତିକ ମାସ ଦୀପାବଳି ଅମାବାଶ୍ୟରେ ଏବଂ ଆଶ୍ୱିନ ପୂର୍ଣ୍ଣିମାରେ ଲକ୍ଷ୍ମୀଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ। ଏହାବ୍ୟତୀତ କେତେକଙ୍କ ଘରେ ସୁଦଶା ବ୍ରତରେ, ଧନୁ ଓ ମକର ସଂକ୍ରାନ୍ତିରେ ମଧ୍ୟ ଲକ୍ଷ୍ମୀ ପୂଜା ହୋଇଥାଏ। ଏସବୁ ପୂଜା ଭିତରେ କୁମାର ପୂର୍ଣ୍ଣିମାରେ ହେଉଥିବା ଗଜଲକ୍ଷ୍ମୀ ପୂଜା ସ୍ଵତନ୍ତ୍ର ।

ଏହି ପୂଜାର୍ଚ୍ଚନା କରିବାର କିଛି ବିଶେଷ ବିଧି ରହିଛି। ଘରେ ହେଉ ଅବା କୌଣସି ଅନୁଷ୍ଠାନ ରେ ପ୍ରାତଃକାଳରେ କାଠ ପିଢ଼ାରେ ଶ୍ୱେତବସ୍ତ୍ର ଓ ଧଳାଫୁଲ ବିଛାଇ ମାଆ ଗଜଲକ୍ଷ୍ମୀଙ୍କ ଫଟୋ ରଖି ଦ୍ୱିପ, ଧୂପ, ନୈବିଦ୍ୟ ଅର୍ପଣ କରିବେ। ସନ୍ଧ୍ୟାରେ ବରୁଣ ପୂଜା ସହିତ ମାଆଙ୍କ ଷୋଡ଼ଶ ଉପଚାର ପୂଜା କରିବେ। ଏହାପରେ ମାତାଙ୍କୁ ୧୦୮ ପଦ୍ମ ପ୍ରଦାନ କରିବେ। ଏହି ସମୟରେ ମାଆଙ୍କ ଏହି ମନ୍ତ୍ର କୁ ନିଷ୍ଠାର ସହିତ ଉଚ୍ଚାରଣ କରିବେ :

ଲକ୍ଷ୍ମୀ ଶୁକ୍ଳାବରା ଦେବି, ରୂପେଣ ପ୍ରତିମା ଭୂବି
ପୃଥକ୍ ଚର୍ତ୍ତୃଭୂଜା କାର୍ଯ୍ୟା, ଦେବି ସିଂହାସନେ ଉଭା ସିଂହାସନେ ସ୍ତ୍ୟା କର୍ତ୍ତବ୍ୟଂ କମଳଂ ଯାରୁକାର୍ଣ୍ଣିଂକାମ୍ ଅଷ୍ଟାପତ୍ରଂ ମହାଭାଗା କର୍ଣ୍ଣଂକାୟାଂ ସୁସଂସ୍ଥିତା

ସମ୍ଭବ ହେଲେ ହୋମ ଆଦି ଅନୁଷ୍ଠାନ କରିବା ବିଧେୟ। ଏହାପରେ ‘ଓଁ ଗଜଲକ୍ଷ୍ମୀ ନମଃ’ ମନ୍ତ୍ର ଜପ କରିବେ । ପୂଜାନ୍ତେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ପୁନଃ ନିଜର ମନୋବାଞ୍ଛିତ ଫଳ ପାଇବା ପାଇଁ ମନ୍ତ୍ର ‘ ଓଁ ଗଜଲକ୍ଷ୍ମୀ ମମ ସର୍ବାରିଷ୍ଟ ପ୍ରଶମାନୟ ସ୍ୱାହା’ କୁ ଅନ୍ତତଃ ୨୧ ଥର ଜପ କରିବେ।

ଗଜଲକ୍ଷ୍ମୀଙ୍କୁ କୁମାର କୁମାରୀମାନେ ଉପାସନା କରିବା ଦ୍ୱାରା ଉପଯୁକ୍ତ ବର, କନ୍ୟା ରତ୍ନ ପ୍ରାପ୍ତିହୋଇଥାଏ। ଦୁର୍ଗା ଜଗତକୁ ଶକ୍ତି ପ୍ରଦାନ କରବା ପରେ ମହାଲକ୍ଷ୍ମୀ ଐଶ୍ଵର୍ଯ୍ୟ ପ୍ରଦାନ ପାଇଁ ଏ ଧରାକୁ ଆଗମନ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Comments are closed.