ସାବଧାନ,ସମସ୍ତଙ୍କ ଉପରେ ନବୀନଙ୍କ ନଜର

ସାବଧାନ… ସୁଧୁରିଯାଅ… ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନରୁ କେହି ବର୍ତ୍ତିବେନି। ସରକାରୀ ଚାକିରିରେ ଥିଲେ ନିଲମ୍ବିତ କିମ୍ବା ବହିଷ୍କୃତ ହେବେ। ଦଳରେ ଥିଲେ ବିଦା କରିଦିଆଯିବ। କାରଣ ରାଜ୍ୟବାସୀଙ୍କ ସ୍ବାର୍ଥ, ଓଡ଼ିଶାର ହିତ ସର୍ବୋପରେ ଓ ସର୍ବପ୍ରଥମ। ସରକାରଙ୍କ ଆଉ ବିଜେଡି ଦଳର ମଧ୍ୟ। ସେଥିପାଇଁ ତ ଦୁର୍ନୀତିଗ୍ରସ୍ତ, ଲାଞ୍ଚଖୋର, ଅର୍ଥ ତୋଷାରପାତ ଓ ବେନିୟମ ସମ୍ପତ୍ତି ଠୁଳ, କାର୍ଯ୍ୟରେ ଚରମ ଅବହେଳା ପ୍ରଦର୍ଶନକାରୀ ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଖଡ୍‌ଗ କେବଳ ଝୁଲାଇ ନାହାନ୍ତି, ବରଂ ତାହାକୁ ପ୍ରୟୋଗ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରପକ୍ଷରେ ଦଳରେ ମଧ୍ୟ ଅନୁଶାସନ, ନୈତିକତା, ନେତୃତ୍ବକୁ ଅନୁସରଣ ଏବଂ ଦଳୀୟ ନିର୍ବାଚିତ ପ୍ରତିନିଧିଙ୍କ ସାମାଜିକ ଜୀବନରେ ସ୍ୱଚ୍ଛତା, ସେବା ମନୋଭାବ, ଶୃଙ୍ଖଳାକୁ ଗୁରୁତ୍ବ ଦେଇ ଆସିଛନ୍ତି ପାର୍ଟି ସୁପ୍ରିମୋ। ଯିଏ ଏଥିରେ ସୀମା ଉଲ୍ଲଂଘନ କରିଲା କିମ୍ବା ଅନୈତିକ ଆଚରଣ ପ୍ରଦର୍ଶନ କରି ଜନହିତ ବିରୋଧୀ କାର୍ଯ୍ୟ କଲା, ସେ ଯେ କେହି ବି ହେଉ ନା କାହିଁକି ଓ କେତେ ମହତ୍ତ୍ୱପୂର୍ଣ୍ଣ ଥିଲେ ହେଁ ଦଣ୍ଡବିଧାନରୁ ବାଦ୍ ପଡ଼ିନାହାନ୍ତି। ଥରେ ନୁହେଁ, ଏକାଧିକ ବାର, ଅନେକ ସଂଖ୍ୟକ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହାକୁ ବାସ୍ତବତାରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏବେ ମଧ୍ୟ ସମସ୍ତଙ୍କ ଉପରେ ରହିଛି ତାଙ୍କର କଡ଼ା ନଜର। ସେ ଯେଉଁଠି ବି ଯେଉଁ ସ୍ଥିତିରେ ଥାଉ ପଛେ ଯଦି ଧାର୍ଯ୍ୟ ସୀମା ଉଲ୍ଲଂଘନ କରି ସମୂହ ହିତ ବିରୋଧରେ ଗଲା ତେବେ ତା ଉପରେ ପୁଣି ନବୀନଙ୍କ ଛାଟ ପଡ଼ିବା ଥୟ, ଏଥିରେ କୌଣସି ସନ୍ଦେହ ନାହିଁ। ଏଣୁ ଏଭଳି ସରକାରୀ ଅଧିକାରୀ ଓ କର୍ମଚାରୀ ହୁଅନ୍ତୁ ବା ଦଳୀୟ ନେତା କିମ୍ବା ନିର୍ବାଚିତ ଜନପ୍ରତିନିଧି ସମସ୍ତେ ସାବଧାନ ହୋଇଯିବାର ବେଳ ଆସିଯାଇଛି ।

ଚଳିତ ବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ୧୧୩ ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। ସେମାନଙ୍କୁ ସରକାରୀ ଚାକିରିରୁ ବିଦା କରି ଦିଆଯାଇଛି। ବହିଷ୍କାର, ବାଧ୍ୟତାମୂଳକ ଅବସର, ପେନ୍‌ସନ୍‌ ବନ୍ଦ କରିବା ଭଳି କଡ଼ା ପଦକ୍ଷେପ ସହ ସେମାନଙ୍କୁ ନିଜ ଘରମୁହାଁ କରାଇ ଦେଇଛନ୍ତି ସରକାର। ଏହି ତାଲିକାରେ ବଡ଼ ବଡ଼ ଅଧିକାରୀ ମଧ୍ୟ ରହିଛନ୍ତି। ସେପ୍ଟେମ୍ବର ୨୦୧୯ରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ ଯେଉଁଥିରେ ଉଲ୍ଲେଖ ଥିଲା ଯେ- ୫୦ ବର୍ଷ ବା ତଦୁର୍ଦ୍ଧ ବୟସର ରାଜ୍ୟ ସରକାରୀ କର୍ମଚାରୀଙ୍କ ସର୍ଭିସ୍ ରେକର୍ଡ ଯାଞ୍ଚ କରାଯିବ। ସେମାନଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠାର ଅଭାବ ଯଦି ପରିଲକ୍ଷିତ ହୁଏ ତେବେ ସରକାରୀ ଚାକିରିରୁ ବିଦା କରିଦିଆଯିବ। ସେହିପରି ଦୁର୍ନୀତିଗ୍ରସ୍ତ ଓ ଜନସ୍ବାର୍ଥ ବିରୋଧୀ କର୍ମଚାରୀ ଓ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇ ସାରିଥିଲେ ନବୀନ ସରକାର। ସେବେଠାରୁ ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ଏକାଧିକ ଦୁର୍ନୀତିଗ୍ରସ୍ତ, ଅପାରଗ ଅଫିସର୍‌ଙ୍କ ଠାରୁ ଆରମ୍ଭ କରି କିରାଣିଙ୍କ ପର୍ଯ୍ୟନ୍ତ ନବୀନଙ୍କ ଛାଟର ସମ୍ମୁଖୀନ ହୋଇଛନ୍ତି। ୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହେବା ପରେ ଗତବର୍ଷ ଡିସେମ୍ବରରେ ବରିଷ୍ଠ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ସୁପାରିଶ କରିଥିଲେ ଓଡ଼ିଶା ସରକାର। ଲାଞ୍ଚ ମାଗିବା ଅଭିଯୋଗରେ ଚଢ଼ଉ ପରେ ପରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବା ଜଣେ ଆଇଏଏସ୍ ଅଫିସରଙ୍କୁ ଅବିଳମ୍ବେ ନିଲମ୍ବନ କରିଥିଲେ ସରକାର। ପ୍ରଥମ ଥର କୌଣସି ଆଇଏଏସ୍ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଅଟକ ହୋଇଥିଲେ।

ଏହି ତାଲିକାରେ ଅନେକ ବଡ଼ ବଡ଼ ମୁଣ୍ଡ ରହିଛନ୍ତି ଯେମିତି ତହସିଲଦାର, ବିଡିଓ, ଚିଫ୍ ଇଞ୍ଜିନିୟର, ଖଣି ବିଭାଗ ଉପନିର୍ଦ୍ଦେଶକ, ସିନିୟର୍ ପ୍ରୋଜେକ୍ଟ ମ୍ୟାନେଜର୍‌, ମାଇନିଂ ଅଫିସର, ଯୁଗ୍ମ ଶ୍ରମ କମିଶନର୍‌, ଡିଭିଜନାଲ ଶ୍ରମ କମିଶନର, ଜିଲ୍ଲା ଶ୍ରମ ଅଧିକାରୀ, ବନବିଭାଗ ଡିଏଫ୍ଓ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ, ସହକାରୀ ବନ ସଂରକ୍ଷକ, ରେଞ୍ଜ୍ ଅଫିସର୍, ବିଭିନ୍ନ ପଦପଦବିରେ ଅବସ୍ଥାପିତ ଭିନ୍ନ ଭିନ୍ନ ବର୍ଗର ଯନ୍ତ୍ରୀ ଓ ପୁଲିସ ଅଧିକାରୀ, ପ୍ରଧାନଶିକ୍ଷକ, ରାଜସ୍ୱ ନିରୀକ୍ଷକ, ଫାର୍ମାସିଷ୍ଟ, ଅମିନ, ପଞ୍ଚାୟତ ନିର୍ବାହୀ ଅଧିକାରୀ, କିରାଣି, ଏମ୍‌ଭିଆଇ, ଟିକସ ସଂଗ୍ରାହକ, ସମବାୟ ସମିତି ସମ୍ପାଦକ, ଭିଏଲ୍‌ଡବ୍ଲ୍ୟୁ ପ୍ରମୁଖ ସରକାରୀ ସେବାରୁ ବାଧ୍ୟତାମୂଳକ ଭାବେ ନିବୃତ୍ତ ହୋଇଛନ୍ତି। ଏମାନେ ସମସ୍ତେ ଉଣାଅଧିକେ ଭିଜିଲାନ୍ସ ଦ୍ବାରା ଗିରଫ କିମ୍ବା ଯାଞ୍ଚର ସମ୍ମୁଖୀନ ହୋଇଥିଲେ, ଆୟ ବହିର୍ଭୁତ ସମ୍ପରି ଠାବ ହୋଇଥିଲା, ଅର୍ଥ ତୋଷାରପାତର ଗୁରୁତର ଅଭିଯୋଗ ଉଠିଥିଲା।

ତେବେ ମୁଖ୍ୟମନ୍ତ୍ରୀ ବା ବିଜେଡି ସୁପ୍ରିମୋଙ୍କ ଜିରୋ ଟଲେରେନ୍ସ (ଶୂନ୍ୟ ସହନୀୟ) ନୀତି କେବଳ ସରକାରୀ ଅଧିକାରୀ କିମ୍ବା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହୋଇଛି ତାହା ନୁହେଁ। ବିଜେଡି ନେତା ଓ ନିର୍ବାଚିତ ପ୍ରତିନିଧି ମଧ୍ୟ ଦଣ୍ଡବିଧାନର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟ, ରାଜ୍ୟବାସୀଙ୍କ ହିତକୁ ପ୍ରାଥମିକତା ଦେଇ ଦଳୀୟ ସ୍ବାର୍ଥକୁ ଅଣଦେଖା କରି ଏଭଳି ଜନସ୍ୱାର୍ଥ ବିରୋଧୀ ବିଧାୟକ ଓ ନେତାଙ୍କୁ ପାର୍ଟିରୁ ନିଲମ୍ବନ ଓ ବହିଷ୍କାର ଭଳି ଆଦେଶ ଦେଇଛନ୍ତି। ସେ ନିଯୁକ୍ତି ଠକେଇ ଅଭିଯୋଗରେ ଗିରଫ ହୋଇ ସାରିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହୁଅନ୍ତୁ କିମ୍ବା ଅନ୍ୟ ରାଜନୈତିକ ଦଳର ସାଧାରଣ କର୍ମୀଟିଏକୁ ଆଘାତ ପହଞ୍ଚାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, କେହି ନବୀନଙ୍କ ଆଦର୍ଶ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିନାହାନ୍ତି। ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଅନେକ ବଳିଷ୍ଠ ଓ ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ସମସ୍ତ ବିଭାଗକୁ ଦୁର୍ନୀତି ଓ ଅପାରଗତା ବିରୋଧରେ ଜିରୋ ଟଲେରେନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିୟମିତ ବ୍ୟବଧାନରେ ଏକ ସ୍ବତନ୍ତ୍ର କମିଟି ଦ୍ବାରା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା, ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାପରତା ଓ ସାର୍ବଜନୀନ ଜୀବନରେ ସାଧୁତାକୁ ମପା ଯାଉଛି। ଅଧିକାରୀ ଓ ନେତାମାନଙ୍କୁ ପ୍ରତିବର୍ଷ ଶେଷରେ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ନିଜକୁ ମଧ୍ୟ ଏଥିରୁ ବାଦ୍ ଦେଇନାହାନ୍ତି ସେ। ଆଉ ସୃଷ୍ଟି କରିଛନ୍ତି ଏକ ଅନୁକରଣୀୟ ଆଦର୍ଶ। ଖାଲି ସେତିକି ନୁହେଁ, ପବ୍ଲିକ୍ ୱେବ୍‌ସାଇଟ୍ ଦ୍ଵାରା ଏହାକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ମଧ୍ୟ ପ୍ରଦର୍ଶିତ କରାଯିବାକୁ କହିଛନ୍ତି ନବୀନ ପଟ୍ଟନାୟକ। ସ୍ଵଚ୍ଛତା ତଥା ସାଧୁତାର ଏଭଳି ନିଦର୍ଶନ ବିରଳ ନିଶ୍ଚୟ। ଦୁର୍ନୀତି ବିରୋଧୀ ଯୁଦ୍ଧରେ ଏହା ବ୍ରହ୍ମାସ୍ତ୍ର ସଦୃଶ କହିଲେ ହୁଏତ ଅତ୍ୟୁକ୍ତି ହେବନାହିଁ। ତାଙ୍କ କହିବା ପ୍ରକାରେ ପାରଦର୍ଶିତା ହେଉଛି ସରକାରଙ୍କ ପ୍ରମୁଖ ସ୍ତମ୍ଭ। କୌଣସି ବେନିୟମ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଆଦୌ ଛଡ଼ାଯିବନି।

ଅପରପକ୍ଷରେ ଯିଏ ମାପକାଠିରେ ଉତ୍ତୀର୍ଣ୍ଣ ହୋଇପାରୁନି ସେ ବାଦ୍ ପଡ଼ିବା ନିଶ୍ଚିତ। ତେଣୁ ଅଧିକାରୀ ହୁଅନ୍ତୁ କି କର୍ମଚାରୀ ସାବଧାନ। ସେହିପରି ବିଜେଡି କର୍ମୀ ହୁଅନ୍ତୁ କି ନେତା ଅଥବା ତୃଣମୂଳସ୍ତରରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କ ପର୍ଯ୍ୟନ୍ତ ନିର୍ବାଚିତ ଜନପ୍ରତିନିଧି ସେମାନେ ମଧ୍ୟ ସତର୍କ ରହି ବେଳ ଥାଉ ଥାଉ ସୁଧୁରିଯାଆନ୍ତୁ। କାରଣ ନବୀନ ବାବୁ ଆପଣା କି ପର ଦେଖି ନୁହେଁ, ବରଂ ସାଧୁତା, ସମୂହ ସ୍ବାର୍ଥ, ରାଜ୍ୟର ହିତ ସର୍ବୋପରି ଓଡ଼ିଶା ତଥା ଓଡ଼ିଆଙ୍କ ବୃହତ ହିତକୁ ଦେଖି ଯିଏ ବିଫଳ, ସେମାନଙ୍କ ଉପରେ ଛାଟ ଚଲାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ସେଥିପାଇଁ ତ ସେ ଓଡ଼ିଆମାନଙ୍କ ସର୍ବାଧିକ ଲୋକପ୍ରିୟ, ସବୁଠାରୁ ଅଧିକ ସମୟ ଲଗାତାର ଶାସନ ମୁଖ୍ୟ ଭାବେ ଆସୀନ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। କୋଟି କୋଟି ଓଡ଼ିଶାବାସୀଙ୍କ ହୃଦୟରେ ସମ୍ମାନ, ସ୍ନେହର ଅଧିକାରୀ ହୋଇ ରହିଛନ୍ତି।

Comments are closed.