ପାରଦ ଖସୁଛି, ଜାଡ଼ ବଢୁଛି କନ୍ଧମାଳକୁ ଆସୁଛି ପର୍ଯ୍ୟଟନ ଋତୁ | News Room Odisha

ପାରଦ ଖସୁଛି, ଜାଡ଼ ବଢୁଛି କନ୍ଧମାଳକୁ ଆସୁଛି ପର୍ଯ୍ୟଟନ ଋତୁ

ଦାରିଙ୍ଗବାଡ଼ି: ଆସିଯାଇଛି ଶୀତ ଋତୁ। ଫେରି ଆସୁଛି ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜାଡ଼ର ମାହୋଲ। ପ୍ରକୃତି ସତେ ଯେମିତି ନିଜକୁ ଥଣ୍ଡାର ଚାଦରରେ ସଜାଇ ହୋଇ ନୂଆ ରୂପରେ ପର୍ଯ୍ୟଟକଙ୍କ ସକାଶେ ମନଲୋଭା ପରିବେଶ ସୃଷ୍ଟି କରୁଛି। ଆମନ୍ତ୍ରଣ କରୁଛି, ଆସନ୍ତୁ ପ୍ରକୃତିର କୋଳରେ ହଜି ଯାଆନ୍ତୁ। ଏଠି ରାତିର ଦେହଥରା ଶୀତ ଓ ସକାଳେ କାକରର ଧଳା ଚାଦରକୁ ଉପଭୋଗ କରନ୍ତୁ। ଦୁଇ ବର୍ଷ କାଳ କରୋନା ସଂକ୍ରମଣର ଆଶଙ୍କାକୁ ପଛରେ ପକାଇ ଫେରି ଆସୁଛି ଟୁରିଷ୍ଟ ସିଜନ୍। ଆଶା କରାଯାଉଛି ପୁଣି ଭ୍ରମଣକାରୀଙ୍କ ସମାଗମ ହେବ। ପାହାଡ଼, ଝରଣା ଓ ସବୁଜ ବଣରେ ଭରପୁର ଏଇ ଜିଲ୍ଲା ପୁଣି ପର୍ଯ୍ୟଟକଙ୍କ ଆଗମନରେ ଚମକି ଉଠିବ।

ରାଜ୍ୟ ସରକାରଙ୍କ ସଫଳ ମୁକାବିଲା ହେତୁ କରୋନା ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଏବେ ତଳମୁହାଁ। ଶୂନ୍ୟ କରୋନା ପଜିଟିଭ୍ ଆଡ଼କୁ ଗତି କରୁଛି କନ୍ଧମାଳ ଜିଲ୍ଲା। ଏଭଳି ସ୍ଥିତିରେ ପର୍ଯ୍ୟଟନର ସମ୍ଭାର, ପ୍ରକୃତିର ବୈଚିତ୍ର୍ୟରେ ଭରପୁର ଆଦିବାସୀବହୁଳ ଏଇ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳକୁ ଭ୍ରମଣକାରୀଙ୍କ ସକାଶେ ଖୋଲି ଦିଆଯାଇଛି। ଆଉ ଠିକ୍ ଶୀତ ଋତୁର ଆଗମନରେ ସରକାରଙ୍କ ଏହି ପଦକ୍ଷେପ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରକୁ ପୁଣି ଉଦ୍‌ଜୀବିତ କରିଛି। ପାରଦ ଧିରେ ଧିରେ ଖସୁଛି। ସୂର୍ଯ୍ୟ ନଇଁଲେ ଜାଡ଼ ଉପରମୁହାଁ ହେଉଛି। କନ୍ଧମାଳରେ ଦେଖାଦେବାରେ ଲାଗିଲାଣି ଶୀତର ପ୍ରକୋପ। ପର୍ଯ୍ୟଟକଙ୍କ ଆଗମନକୁ ଦେଖି ସଜେଇ ହେବାରେ ଲାଗିଛି ଦାରିଙ୍ଗବାଡ଼ି।

ଗତବର୍ଷ ଶୀତ ଋତୁରେ ଅନେକ ଥର ପାରଦ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଖସି ଆସିଥିଲା। ହେଲେ ତାହାକୁ ଉପଭୋଗ କରିବାକୁ ଯଥେଷ୍ଟ ପର୍ଯ୍ୟଟକ ଆସି ପାରି ନଥିଲେ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ଖୋଲି ଯାଇଛି ଜିଲ୍ଲାର ସବୁ ପର୍ଯ୍ୟଟନସ୍ଥଳୀ। ଆଉ କନ୍ଧମାଳ ହାତ ଠାରି ଦେଖଣାହାରୀଙ୍କୁ ଡାକୁଛି କୁହୁଡ଼ି ସାଙ୍ଗକୁ ତୁଷାରପାତ ଆଉ ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବାକୁ, ପାହାଡ଼ ଉପରୁ ଖସି ଆସୁଥିବା ଝରଣା ବା ଜଳପ୍ରପାତର କୁଳୁକୁଳୁ ଘର୍ଘର ନାଦ ଉପଭୋଗ କରିବାକୁ ଥରେ ଏଇ ଜିଲ୍ଲାକୁ ବୁଲି ଆସ।

ଏବେ ଦାରିଙ୍ଗବାଡ଼ିରେ ସୂର୍ଯ୍ୟ ନଇଁବାରୁ ଆରମ୍ଭ କରି ଦିନ ୯ଟା ବାଜିବା ପର୍ଯ୍ୟନ୍ତ ଶୀତବସ୍ତ୍ର ନପିନ୍ଧିଲେ ନଚଳେ। ଶନିବାର ପର୍ଯ୍ୟଟକଙ୍କ ପାଇଁ ଭୂସ୍ୱର୍ଗ କୁହାଯାଉଥିବା ଏହି ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇ ଥିଲା। ରବିବାର ୧୨ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରହିଥିଲା। ଆଉ ହାତଗଣତି କେଇ ଦିନ ପରେ ତାହା ଏକ ଅଙ୍କକୁ ଖସି ଆସିବ। ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସମାଗମ ବୃଦ୍ଧି ପାଇବାରେ ଲାଗିଛି। ଏଠିକାର ହିଲ୍ ଭିୟୁ ପାର୍କ ଓ ନେଚର ପାର୍କ ସାଙ୍ଗକୁ କଫି ବଗିଚା, ଦାସିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳପ୍ରପାତ, କିରିକୁଟିର ଲଭର୍ସ ପଏଣ୍ଟ, ସନ୍‌ସେଟ୍ ପଏଣ୍ଟରେ ଟୁରିଷ୍ଟଙ୍କ ଗହଳଚହଳ ଦେଖାଗଲାଣି।

ତେଣେ ଜି.ଉଦୟଗିରି, ବାଲିଗୁଡ଼ା ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଏବେ ସକାଳ ଏବଂ ସନ୍ଧ୍ୟାରେ ଶୀତବସ୍ତ୍ର ଲୋଡ଼ା ପଡ଼ୁଛି। ଥଣ୍ଡାର ଆଗମନରେ ବୃଦ୍ଧି ପାଇବାରେ ଲାଗିଛି ଶୀତବସ୍ତ୍ର ବିକ୍ରିବଟା। ଚଳିତ ବର୍ଷ ସକାଶେ ଶୀତ ଋତୁର ପ୍ରଥମ ସ୍ପର୍ଶରେ ଜନଜୀବନ ଚଳଚଞ୍ଚଳ ହୋଇଛି। ସାପ୍ତାହିକ ହାଟରେ ଶୀତବସ୍ତ୍ରର ବିକ୍ରିରୁ ଏହାର ସଙ୍କେତ ମିଳିଯାଉଛି। ଶୀତର ମଜା ନେବାକୁ ବିଭିନ୍ନ ଅଞ୍ଚଳରୁ କନ୍ଧମାଳକୁ ପର୍ଯ୍ୟଟକ ପୁଣି ବହୁ ସଂଖ୍ୟାରେ ଆସିବେ ବୋଲି ଅଞ୍ଚଳବାସୀ, ବେପାରୀ, ହୋଟେଲ ମାଲିକ ଆଶା ବାନ୍ଧିଛନ୍ତି। ଉଲ୍ଲେଖଯୋଗ୍ୟ ଯେ- ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିଭାଗ ଏଥର ମଧ୍ୟ ଇକୋ-ରିଟ୍ରିଟ୍ ଆୟୋଜନ କରୁଛି ଯାହା ପ୍ରକୃତିର କୋଳରେ ପର୍ଯ୍ୟଟକଙ୍କୁ ନୈସର୍ଗିକ ଆନନ୍ଦ ଆଣି ଦେଉଛି।

Daringbadi