କାଶୀର ଅନନ୍ୟ ପରମ୍ପରା ‘ଶ୍ମଶାନନାଥ ମହୋତ୍ସବ’

ପୌରାଣିକ ମତ ଆଧାରରେ କାଶୀରେ ଭଗବାନ ବିଷ୍ଣୁ ଶିଵଙ୍କ ଉଦ୍ଧେଶ୍ୟରେ ଏକ ହଜାରେ ବର୍ଷ ତପସ୍ୟା କରିଥିଲେ l ବିଷ୍ଣୁଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବଦେବ ମହାଦେବ ଵିଷ୍ଣୁଙ୍କୁ ଦର୍ଶନ ଦେଇଥିଲେ। ଭଗବାନ ବିଷ୍ଣୁ ଶିବଙ୍କ ଠାରୁ ବର ମାଗିଥିଲେ ଯେ ‘ସୃଷ୍ଟି ବିନାଶକାଳରେ ମଧ୍ୟ କାଶୀର ବିନାଶ ହେବ ନାହିଁ’ l ଭଗବାନ ଶଙ୍କର ଓ ମା’ ପାର୍ବତୀ ବିଷ୍ଣୁଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ ତାଙ୍କୁ ତଥାସ୍ତୁ ବୋଲି କହିଥିଲେ l ଏହି ସ୍ଥାନଟି ଥିଲା ଆଜିର ମଣିକର୍ଣ୍ଣିକା ଘାଟ । ସେହିଦିନ ଠାରୁ ଏହାଏକ ମୋକ୍ଷଦାୟୀ ଘାଟ ଭାବରେ ପ୍ରସିଦ୍ଧି ଲାଭ କରିଛି।

ପ୍ରବାଦ ରହିଛି ଭଗବାନ ଶଙ୍କର ମାତା ସତୀଙ୍କ ମୃତ ଶରୀରକୁ ଏହିଠାରେ ହିଁ ଦାହ ସଂସ୍କାର କରି ଥିଲେ l ଏହା ଫଳରେ ଏହା ମହାଶ୍ମଶାନର ମାନ୍ୟତା ଲାଭ କରିଛି ।

ଏଠାରେ ଏକ ନିଆରା ପରମ୍ପରା ପ୍ରଚଳିତ ଅଛି l ବର୍ଷରେ ଥରେ ଏଠାରେ ଜଳନ୍ତା ଜୁଇ ନିକଟରେ ଗୋଟିଏ ମହୋତ୍ସବ ହୁଏ l ଏହା ‘ଚୈତ୍ର ନବରାତ୍ର ସପ୍ତମୀ’ ତିଥି ରାତ୍ରୀରେ ଅନୁଷ୍ଠିତ ହୁଏ l ଏହା ‘ଶ୍ମଶାନନାଥ ମହୋତ୍ସବ ନାମରେ ବିଦିତ’ l

ଏହିଉତ୍ସବ ରାତ୍ରିରେ କାଶୀର ନଗରବଧୂଗଣ (ବାରାଙ୍ଗନା) ସାରାରାତ୍ରୀ ଘାଟରେ ଜଳନ୍ତାଯୁଇ ନିକଟରେ ନଟରାଜ ଶିବଙ୍କୁ ସାକ୍ଷୀରଖି ନୃତ୍ୟ କରିଥାନ୍ତି l ସେମାନେ ଏହି ନାଚଗୀତ ମାଧ୍ୟମରେ ଭୋଳାନାଥଙ୍କୁ ପ୍ରାର୍ଥନା କରନ୍ତି, ଆର ଜନ୍ମରେ ସେମାନଙ୍କୁ ଯେମିତି ଏହି କଳଙ୍କିତ ନଗରବଧୂ ଜନ୍ମ ନମିଳୁ l ଏ ପରମ୍ପରା ଆମେରର ରାଜା ତଥା ସମ୍ରାଟ ଆକବରଙ୍କ ହିନ୍ଦୁ ସେନାପତି ସୱାଇ ମାନସିଂହଙ୍କ ସମୟରେ ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ଚାଲି ଆସୁଛି l କୁହାଯାଏ ମହାରାଜା ମାନସିଂହ ଏକଦା ମଣିକର୍ଣ୍ଣିକା ଘାଟରେ ଗୋଟିଏ ଉତ୍ସବର ଆୟୋଜନ କରିଥିଲେ l ଏହି ଉତ୍ସବରେ କୌଣସି କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆସିବାକୁ ରାଜି ହେଲେ ନାହିଁ l ତେଣୁ ସେ ନଗରବଧୂମାନଙ୍କୁ ନେଇ ଏହା ସମାପନ କଲେ l ସେହି ଦିନଠାରୁ ଏ ପରମ୍ପରା ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲି ଆସୁଛି l
ମଣିକର୍ଣ୍ଣିକା ଘାଟର ଅନତିଦୂରରେ ରହିଛି ‘ମାନସିଂହ ଘାଟ’ l ଏହି ଘାଟକୁ ମାନସିଂହ ୧୫୮୫ ରେ ନିର୍ମାଣ କରାଇ ଥିଲେ l

ମଣିକର୍ଣ୍ଣିକା ଘାଟର ଅଳ୍ପ ଦୂରରେ ରହିଛି କାଶୀର ଅନ୍ୟ ଏକ ପ୍ରସିଦ୍ଧ ଘାଟ ‘ହରିଶ୍ଚନ୍ଦ୍ରଘାଟ’ l ଏଠାରେ ସତ୍ୟକାମୀ ହରିଶ୍ଚନ୍ଦ୍ର ସତ୍ୟରକ୍ଷା ନିମନ୍ତେ ରାଜ୍ୟ, ଧନ, ଦାରା, ପୁତ୍ର ହରାଇ ଏବଂ ଶେଷରେ ନିଜକୁ ଚଣ୍ଡାଳ ପାଖରେ ଦାସଭାବେ ବିକ୍ରୟକରି ଚଣ୍ଡାଳ ବେଶରେ ଶ୍ମଶାନ ଜଗି ଥିଲେ l ତାଙ୍କ ସତ୍ୟସନ୍ଧ ଜୀବନର ଶେଷ ପରୀକ୍ଷାର ପରିସମାପ୍ତି ଏହିସ୍ଥାନରେ ହୋଇଥିଲା । ଯେତେବେଳେ ମହାରାଣୀ ଶୈବ୍ୟା ପୁତ୍ର ରୋହିତର ମୃତ ଶରୀର ଦାହକରିବା ପାଇଁ ସ୍ମଶାନ ଜଗୁଆଳ ଚଣ୍ଡାଳ ବେଶରେ ଥିବା ହରିଶ୍ଚନ୍ଦ୍ରଙ୍କ ପାଖରେ ପହଞ୍ଚି ଥିଲେ l ଶୈବ୍ୟାଙ୍କୁ ହରିଶ୍ଚନ୍ଦ୍ର ମାହାସୁଲ ବିନା ଶବଦାହ କରାଇ ଦେବେନାହିଁ ବୋଲି କହିଥିଲେ l ଦୁଃଖିନୀ ଶୈବ୍ୟାଙ୍କ ନିକଟରେ କିଛିବି ନଥିଲା l ପିନ୍ଧିଥିବା ଛିଣ୍ଡା ଶାଢୀ କାନିରୁ ଖଣ୍ଡେ କନା ଚିରି ସେ ହରିଶ୍ଚନ୍ଦ୍ରଙ୍କୁ ଘାଟ ମୁଲ ପଇଠ କରିଥିଲେ l ଏହି ଠାରେ ଧର୍ମ ଆବିର୍ଭୁତ ହୋଇ ସେମାନଙ୍କର ପୁନର୍ମିଳନ କରାଇ ଥିଲେ l ସତ୍ୟ ନିଷ୍ଠତାର ଏ ଅପୂର୍ଵ କାହାଣୀ ଭାରତୀୟ ଜୀବନ ଧାରାକୁ କେଉଁ କାଳରୁ ପ୍ରଭାବିତ କରି ଆସୁଛି l ଏହି କାହାଣୀ ଦିନେ ସତ୍ୟ ପ୍ରତି ଅନୁରକ୍ତି ଆଣି ଦେଇଥିଲା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପାଇଁ l

ଯେହେତୁ ରାଣୀ ଶୈବ୍ୟାଙ୍କୁ ମଧ୍ୟ ଘାଟ ମାହାସୁଲ ଦେବାକୁ ପଡ଼ିଥିଲା ତେଣୁ ଏହି ଘାଟରେ ପ୍ରତୀକ ସ୍ୱରୂପ କିଛି ମାହାସୁଲ ଦେବାକୁ ପ୍ରତ୍ୟେକଙ୍କୁ ପଡ଼ିଥାଏ l କଳାନ୍ତକ ନଗରୀ କାଶୀର ଏ ପବିତ୍ର ଘାଟ ସବୁ ମୋକ୍ଷର ଦ୍ୱାର l ମନୁଷ୍ୟ ଜନ୍ମ ପାଇ ଏଠାରେ ଯିଏ ଶରୀର ତ୍ୟାଗକରେ ତା’ ଜୀବନ ଧନ୍ୟ l

( ସଂଗୃହିତ )

Comments are closed.