ଗୋପାଳପୁର ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ସଜବାଜ: ବିଜେଡି ବିଜୟର ଭରପୁର ଆଶାରେ କର୍ମୀ ଉତ୍ସାହିତ

ଗୋପାଳପୁର: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ସହ ତାଳ ଦେଇ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବା ପାଇଁ ସଜବାଜ ଆରମ୍ଭ କରି ଦେଲେଣି। ସେଥିପାଇଁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳର ନେତା ଓ କର୍ମୀ ଚଳଚଞ୍ଚଳ ହୋଇ ଉଠିଲେଣି। ଗଞ୍ଜାମ ଜିଲ୍ଲାରେ ବିକାଶର ଭରପୁର ସମ୍ଭାବନା ଥିବା ତଥା ଉନ୍ନତିର ପଥରେ ଆଗେଇ ଚାଲିଥିବା ଏକ ପ୍ରମୁଖ ନିର୍ବାଚନମଣ୍ଡଳୀ ହେଉଛି ଗୋପାଳପୁର। ପର୍ଯ୍ୟଟନ କୁହନ୍ତୁ କି ଶିକ୍ଷା, ଯୋଗାଯୋଗ କୁହନ୍ତୁ କିମ୍ବା ଭିଭିଭୂମି, ଅନ୍ୟ ଅଞ୍ଚଳ ତୁଳନାରେ ଅପେକ୍ଷାକୃତ ଆଗୁଆ ଏହି ନିର୍ବାଚନମଣ୍ଡଳୀ। ଗୋପାଳପୁର ବେଳାଭୂମି, ପଞ୍ଚମା- ଭୈରବୀ- ଧବଳେଶ୍ଵର ଆଦି ଧର୍ମପୀଠ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଆଇଜର୍ ଭଳି ଅନେକ ସରକାରୀ ଓ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନ, ଜାତୀୟ ରାଜପଥ, ରେଳପଥ, ସିଟି ବସ୍ ଟର୍ମିନାଲ ଆଦି ଥିବା ଏହି ନିର୍ବାଚନମଣ୍ଡଳୀରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଅଧିକ। ଉଭୟ ଓଡ଼ିଆ ଏବଂ ତେଲୁଗୁ ଭାଷାଭାଷୀ ଭୋଟରଙ୍କ ସାଙ୍ଗକୁ ଏଠିକାର ରାଜନୈତିକ ମହଲ ବେଶ୍ ତତ୍ପର। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ଏବେଠୁ ଏହି ନିର୍ବାଚନମଣ୍ଡଳୀରେ ଉଷ୍ମତା ପରିଲକ୍ଷିତ ହେବା ସ୍ବାଭାବିକ। ତେବେ ଏ କ୍ଷେତ୍ରରେ ରାଜ୍ୟର ଶାସକ ବିଜେଡି କିନ୍ତୁ ଅନ୍ୟ ରାଜନୈତିକ ଦଳ ଅପେକ୍ଷା ବେଶ୍ କେଇ ପାଦ ଆଗରେ ରହିଥିବା ଜଣାପଡ଼ିଛି। ଅନ୍ୟ ପ୍ରମୁଖ ପାର୍ଟି ଏବେ ନିଜ ଅଣ୍ଟା ସଳଖିବା ଆରମ୍ଭ କରୁଥିବା ଅଥବା ତୃଣମୂଳସ୍ତରରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ଏବେବି ସୁପ୍ତ ଅବସ୍ଥାରେ ଥିବା ବେଳେ ବିଜେଡି ବିଭିନ୍ନ ବର୍ଗର କର୍ମୀ ସମ୍ମିଳନୀରୁ ଆରମ୍ଭ କରି ନେତାଙ୍କୁ ଏକଜୁଟ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଜୋରସୋରରେ ପ୍ରସ୍ତୁତି ଆଗକୁ ବଢ଼ାଇ ନେଲାଣି। ନିର୍ବାଚନମଣ୍ଡଳୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାସ ଲଢ଼େଇରେ ବିଜେଡିର ବିଜୟ ଧ୍ଵଜା ଉଡ଼ାଇବାକୁ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି। ବିଭିନ୍ନ ବର୍ଗର ନେତା ଓ କର୍ମୀଙ୍କୁ ଏକାଠି କରି ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ ନିର୍ଦ୍ଦେଶକ୍ରମେ ସାରା ନିର୍ବାଚନମଣ୍ଡଳୀରେ ଦଳକୁ ସଙ୍ଗଠିତ ଓ ସକ୍ରିୟ କରାଇ ସାରିଲେଣି ସେ। ସେଥିପାଇଁ ତ ବିଜେଡି ଏବେ ଅନ୍ୟ ଯେକୌଣସି ପାର୍ଟି ଅପେକ୍ଷା ପଞ୍ଚାୟତ ନିର୍ବାଚନ ପାଇଁ ଅଧିକ ସଙ୍ଗଠିତ ଓ ସଶକ୍ତ ଭାବେ ପ୍ରସ୍ତୁତ ହେଲାଣି। ଏହାର ଫଳ ଯେ କଣ ହେବ ତାହା ଅନୁମାନ କରିବା କଷ୍ଟକର ନୁହେଁ।

ପୂର୍ବରୁ ଏହି ନିର୍ବାଚନମଣ୍ଡଳୀ ବିଶେଷ କରି ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ ଏକାଧିକ କାର୍ଯ୍ୟକ୍ରମରେ ଡ. ଦାସଙ୍କୁ ସକ୍ରିୟ ଭୂମିକାରେ ଦେଖିବାକୁ ମିଳିଥିଲା। ତଳସ୍ତରରୁ ଆରମ୍ଭ କରି ଉପରସ୍ତର ପର୍ଯ୍ୟନ୍ତ ଦଳୀୟ ନେତୃବୃନ୍ଦଙ୍କ ସମେତ ନିର୍ବାଚିତ ଜନପ୍ରତିନିଧିଙ୍କୁ ନେଇ ସେ ବିକାଶ କାର୍ଯ୍ୟ ସମୀକ୍ଷା କରିବା ସାଙ୍ଗକୁ ସମସ୍ୟା ଦୂରୀକରଣ ପାଇଁ ପ୍ରୟାସ କରି ଆସିଛନ୍ତି। ଦଳୀୟ ସଙ୍ଗଠନକୁ ବାରମ୍ବାର ଚଳଚଞ୍ଚଳ କରାଇ ଆସିଛନ୍ତି। ଆଉ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ପୂର୍ବାପେକ୍ଷା ଅଧିକ ମଜବୁତ କରିବା, ଯୁବ- ଛାତ୍ର- ମହିଳାଙ୍କ ସମେତ ବିଭିନ୍ନ ଗୋଷ୍ଠୀର ନେତା ଓ କର୍ମୀଙ୍କୁ ନେଇ କର୍ମୀ ସମ୍ମିଳନୀ କରି ବିଜୟର ସୂତ୍ର ନିର୍ଦ୍ଧାରଣ କରିବା ଉପରେ ଜୋର୍ ଦେଇ ଆସିଛନ୍ତି ବିଜେଡି ଜିଲ୍ଲା ଓ ରାଜ୍ୟ ନେତୃବୃନ୍ଦ।

ବିଗତ ମାସରେ ଡ. ଦାସ ବ୍ରହ୍ମପୁର ମହାନଗର ଅନ୍ତର୍ଭୁକ୍ତ ବିଭିନ୍ନ ୱାର୍ଡ ଯାହା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତାହାର ନେତୃବୃନ୍ଦଙ୍କୁ ନେଇ ସମୀକ୍ଷା ତଥା ପ୍ରସ୍ତୁତି ବୈଠକ କରିଥିଲେ। କାରଣ ଆଗକୁ ପଞ୍ଚାୟତ ସହ ପୌର ନିର୍ବାଚନ ମଧ୍ୟ ହେବାର ଅଛି। ଆଉ ଏବେ ଯେତେବେଳେ ରାଜ୍ୟ ନିର୍ବାଚନ ଅଧିକାରୀ ପଞ୍ଚାୟତ ନିର୍ବାଚନ ଶୀଘ୍ର ହେବା ନେଇ ସ୍ପଷ୍ଟ ସଙ୍କେତ ଦେଲେଣି ସେତେବେଳେ ଗ୍ରାମାଞ୍ଚଳ ସଙ୍ଗଠନ ଉପରେ ଫୋକସ୍ କରିଛନ୍ତି ବିଜେଡି ନେତୃବୃନ୍ଦ। ସୋମବାର ୫୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ବିଜେଡି ଯୁବ ଓ ଛାତ୍ର ସାଙ୍ଗଠନିକ ବୈଠକ କନିଷି ଠାରେ ହୋଇଥିଲା। ନବୀନ ସରକାରଙ୍କ ବିକାଶ ଯୋଜନାକୁ ଘରେ ଘରେ ପହଞ୍ଚାଇବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖ୍ ସମସ୍ତେ ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବା, ଦଳକୁ ମଜବୁତ କରି ସଫଳତା ହାସଲ କରିବା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଡ. ଦାସ। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୁ ଯୁବ- ଛାତ୍ର- ମହିଳା ଜନତା ଦଳର ନେତା ଓ କର୍ମୀ ନିଜକୁ ବିଜୟର ସମ୍ପୂର୍ଣ୍ଣ ସମ୍ଭାବନା ସହ ମତଦାତାଙ୍କ ନିକଟରେ ପହଞ୍ଚିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ବୈଠକରେ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସିଏଚ. ଭରତ, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, ବ୍ଲକ୍ ଅଧ୍ୟକ୍ଷା ସିଏଚ୍. ଉଷାରାଣୀଙ୍କ ସମେତ ଜିଲ୍ଲା ଓ ବ୍ଲକ୍‌ର ବରିଷ୍ଠ, ଯୁବ ଓ ଛାତ୍ର ନେତୃବୃନ୍ଦ ଉପସ୍ଥିତ ରହି ବିଜୟ ହାସଲ ନେଇ ବିସ୍ତୃତ ବିଚାରବିମର୍ଷ କରିଥିଲେ। ଏଥିସହ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଥିବା ଏହି ନିର୍ବାଚନମଣ୍ଡଳୀର ପଞ୍ଚାୟତମାନଙ୍କରେ ମଧ୍ୟ ସମାନ ରଣନୀତି ସହ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଛି ବିଜେଡି। କେବଳ ବିରୋଧୀଙ୍କ ମିଥ୍ୟା ଅପପ୍ରଚାରର ମୁକାବିଲା କରୁନାହିଁ ବିଜେଡି। ବରଂ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗର୍ଭବତୀ ମା’ ଓ ଛୁଆ ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପରବର୍ତ୍ତୀ ଅବସ୍ଥା ପର୍ଯ୍ୟନ୍ତ ସମାଜର ସବୁ ବୟସ ଓ ସମସ୍ତ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଜନକଲ୍ୟାଣ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଭୋଟ ନିବେଦନ ପାଇଁ ସଜବାଜ ଚଳାଇଛି। କହିବା ବାହୁଲ୍ୟ କଂଗ୍ରେସ ନେତୃବୃନ୍ଦ ସୁପ୍ତ, ବାମପନ୍ଥୀ ଓ ଅନ୍ୟ ଦଳର ସ୍ଥିତିଶୂନ୍ୟ ଓ ବିଜେପିର ଅଣ୍ଟାସଜଡ଼ା ତୁଳନାରେ କର୍ମୀ ସମ୍ମିଳନୀ, ରଣନୀତି ପ୍ରସ୍ତୁତି ସହ ବିଜେଡି ପ୍ରତିପକ୍ଷକୁ ମାତ୍ ଦେବାକୁ ବେଶ୍ ପାଦ ଆଗରେ ରହିଛି, ଏହା ନିଃସନ୍ଦେହ।

Comments are closed.