ଶ୍ରୀକ୍ଷେତ୍ରର ପଥ ପ୍ରଦର୍ଶକ ଶ୍ରୀକପୋତେଶ୍ବର ମହାଦେବ

ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ମଧ୍ୟରେ ରହିଛି ଚନ୍ଦନପୁର ଗ୍ରାମ। ପୁରୀ ଠାରୁ ଏହାର ଦୂରତ୍ୱ ହେଉଛି ଦଶ କିଲୋମିଟର ଦୂର। ଏହିଗ୍ରାମ ନିକଟରେ ବହି ଯାଉଛି ପୁଣ୍ୟତୋୟା  ଭାର୍ଗବୀ ନଦୀ। ନଦୀକୂଳରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀକପୋତେଶ୍ୱର । ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ସର୍ବପ୍ରାଚୀନ ଶୈବପୀଠମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଶ୍ରୀକପୋତେଶ୍ୱର ମହାଦେବଙ୍କ ମନ୍ଦିର।

ସ୍କନ୍ଦ ପୁରାଣ ବର୍ଣ୍ଣନା ଅନୁସାରେ ଯେତେବେଳେ ଅବନ୍ତୀର ରାଜା ଇଂଦ୍ରଦୁମ୍ନ୍ୟ ଶ୍ରୀ ପୁରୁଷୋତ୍ତମଙ୍କ  ଦର୍ଶନ ପାଇଁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ଏହି ସ୍ଥାନରେ ଆସି ପହଁଚିଥିଲେ। ସେତେବେଳେ ବର୍ତମାନର ଚନ୍ଦନପୁର ଘଞ୍ଚ ଅରଣ୍ୟରେ ପରିପୂର୍ଣ ଥିଲା।ରାଜା ଇଂଦ୍ରଦୁମ୍ନ୍ୟ ଚାଲିଚାଲି ଆସି ଚନ୍ଦନପୁର ନିକଟରେ ଥିବା ଭାର୍ଗବୀ ନଦୀ ତଟରେ ଯେତେବେଳେ ପହଁଚିଲେ ସେତେବେଳେ ରାତି ଅଧ ହୋଇଯାଇଥିଲା। ଚତୁର୍ଦିଗରେ ଅନ୍ଧାର ବିରାଜମାନ କରୁଥିଲା। କେମିତି ଯିବେ କୁଆଡେ ଯିବେ ବାଟ ଭୁଲିଗଲେ ରାଜା । ଏହି ସମୟରେ  ଭାର୍ଗବି କୂଳରେ ଏକ ବୃକ୍ଷରେ ଦୁଇଟି କପୋତ ଆଉ କପୋତି ବସିଥିଲେ । ରାଜା ଇନ୍ଦ୍ରଦୁମନ୍ୟଙ୍କୁ ଦେଖି କପୋତି କପୋତକୁ ପଚାରିଲେ କିଏ ଏଇ ମନୁଷ୍ୟ ଆଉ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ଇଏ କଣ ପାଇଁ ଆସିଛି ? କପୋତିର ପ୍ରଶ୍ନ ଶୁଣି କପୋତ କହିଲେ ଇଏ ହେଲେ ଅବନ୍ତୀର ରାଜା ଇଂଦ୍ରଦୁମ୍ନ୍ୟ,  ଶ୍ରୀପୁରୁଷୋତ୍ତମଙ୍କ ସନ୍ଧାନ ପାଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ଆସିଛନ୍ତି । ଠିକ୍ ଏହି ସମୟରେ କପୋତ କପୋତିଙ୍କ କଥା ରାଜା ଇନ୍ଦ୍ରଦୁମନ୍ୟଙ୍କ କାନରେ ପଡିଲା ଆଉ ସେହି କ୍ଷଣି ରାଜା କପୋତ କପୋତିଙ୍କୁ ପଚାରିଲେ ଆପଣମାନେ ପ୍ରକୃତରେ କିଏ?  ଏ କପୋତ କପୋତି ରୂପରେ ଏଠି ବସିଛନ୍ତି ଦୟାକରି ମତେ କୁହନ୍ତୁ । ସେହିକ୍ଷଣି ଭଗବାନ ଶିବ ଆଉ ମା ପାର୍ବତୀ କପୋତ କପୋତି ରୂପ ତ୍ୟାଗକରି ରାଜା ଇଂଦ୍ରଦୁମ୍ନ୍ୟଙ୍କ ଆଗରେ ଉଭାହେଲେ । ରାଜା ଇଂଦ୍ରଦୁମ୍ନ୍ୟ ସ୍ୱୟଂ ଶିବ ପାର୍ବତୀଙ୍କୁ ଦର୍ଶନ କରି ଧନ୍ୟ ହେଲେ ଆଉ କହିଲେ ହେ ! ପ୍ରଭୁ ମୁ ଅବନ୍ତିରୁ ଶ୍ରୀପୁରୁଷୋତ୍ତମଙ୍କୁ ଦର୍ଶନ କରିବାକୁ ଆସିଛି ଦୟାକରି ମତେ ମାର୍ଗ ଦର୍ଶନ କରନ୍ତୁ । ସେହିକ୍ଷଣି ଭଗବାନ ଶିବ କହିଲେ ହେ ! ରାଜା ତୁମେ ଶ୍ରୀପୁରୁଷୋତ୍ତମଙ୍କୁ ଦର୍ଶନ କରୁବାକୁ ହେଲେ ପ୍ରଥମେ ନିଜ ରାଜକୀୟ ପୋଷାକ ପରିତ୍ୟାଗ କର।  ତାପରେ ଆଗକୁ ବଢ କିଛିବାଟ ଯିବା ପରେ ବାଟରେ ଜଣେ ଦେବୀ ତୁମକୁ ଦର୍ଶନ ଦେବେ ଆଉ ସେହି ଦେବୀ ତୁମକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ଯିବାର ସଠିକ ମାର୍ଗ ନିର୍ଦେଶ କରିବେ । ଏତିକି କହି ଭଗବାନ ଭୁତଭାବନ ଅନ୍ତର୍ହିତ ହୋଇଗଲେ। ଭଗବାନ ଶଙ୍କରଙ୍କ ଆଦେଶ ଅନୁସାରେ ରାଜା ଇଂଦ୍ରଦୁମ୍ନ୍ୟ ରାଜକୀୟ ପୋଷାକ ପରିତ୍ୟାଗ କରି ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ।

ପରବର୍ତ୍ତୀ ସମୟରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ଶଙ୍କର ପାର୍ବତୀ କପୋତ କପୋତି ରୂପରେ ତାଙ୍କୁ ପଥ ପ୍ରଦର୍ଶନ କରାଇ ଥିବାରୁ ଏହି ସ୍ଥାନରେ ମନ୍ଦିର ନିର୍ମାଣ କରାଇ ତାଙ୍କୁ ଶ୍ରୀକପୋତେଶ୍ବର ମହାଦେବ ରୂପରେ ଆରାଧନା କଲେ। କୁହାଯାଏ ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀକ୍ଷେତ୍ର ଆଗମନ ସମୟରେ ଭଗବାନ ଶ୍ରୀକପୋତେଶ୍ବର ତାଙ୍କୁ ଶ୍ରୀକ୍ଷେତ୍ର ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଥିଲେ।

ଶ୍ରୀକପୋତେଶ୍ବର ମହାଦେବଙ୍କ ବର୍ଷରେ ଦୋଳ, ଶିବରାତ୍ରୀ ସହ କାର୍ତ୍ତିକ ମାସରେ ଶ୍ରୀକପୋତେଶ୍ବର ମେଳା ପାଳିତ ହୋଇଥାଏ। ଏହି ସମୟରେ ଅନେକ ଶ୍ରଦ୍ଧାଲୁ ପ୍ରଭୁ ଶ୍ରୀକପୋତେଶ୍ବରଙ୍କୁ ଦର୍ଶନ କରି ନିଜ ଜୀବନକୁ ସାର୍ଥକ କରିଥାନ୍ତି।

Comments are closed.