ଲେଖକ: ପ୍ରତିଭା ନେପାକ
ଗାଁ ଆଉ ଆଗ ଭଳି ମଫସଲ ହୋଇ ରହିନି। କଚ୍ଚା ଓ ଖାଲଖମାରେ ଭରି ରାସ୍ତା ନାହିଁ କି ଦଳଭର୍ତ୍ତି ପୋଖରୀ ନାହିଁ। ଗୋବର ପଡ଼ି ରହିଥିବା ଗୁହାଳ ଘର ନାହିଁ କି ପୋଖରୀ କଡ଼ରେ ଖୋଲାରେ ମଳତ୍ୟାଗ ଦେଖିବାକୁ ମିଳୁନି। ଆଉ ଦୃଶ୍ୟମାନ ହେଉନି ଅବିକଶିତ ଓ ଗାଉଁଳିଆ ପରିବେଶ। ବରଂ ତାର ସ୍ଥାନ ନେଲାଣି ସବୁଜିମାରେ ଭରା ଗ୍ରାମ୍ୟ ଉଦ୍ୟାନ, ସୁନ୍ଦର ଭାବେ ସଜା ହୋଇ ପଥର ବନ୍ଧା ହୋଇଥିବା ଆଦର୍ଶ ପୋଖରୀ, ପକ୍କା ଗୁହାଳ ଘର… ଏମିତି କେତେ କଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମଗ୍ରୀକ ବିକାଶର ମଡେଲରେ ଗାଁର କାୟାକଳ୍ପ ଧିରେ ଧିରେ ବଦଳିବାରେ ଲାଗିଛି। ଜିଲ୍ଲା ଓ ବ୍ଲକ୍ ସଦରମହକୁମାରୁ ଦୂର ଉପାନ୍ତ ଅଞ୍ଚଳ ହେଲେ ବି ସେଠି ବିକାଶର ଛାୟା ସ୍ପଷ୍ଟ ପ୍ରତିଫଳିତ ହେଉଛି। ଗାଁ ଲୋକ ଆଉ ସହରର ପାର୍କ, ଜଳାଶୟ ଦେଖି ନିଜକୁ ପଛୁଆ ମନେ କରୁନାହାନ୍ତି। କାରଣ ସେମାନଙ୍କ ଗାଁରେ ମଧ୍ୟ ସୁନ୍ଦର ସୁନ୍ଦର ନିର୍ମାଣ କାର୍ଯ୍ୟ କରାଗଲାଣି। ସେ ସ୍କୁଲ ଘର ହେଉ କି ଅଙ୍ଗନବାଡ଼ି ଗୃହ ଅଥବା ରୁରାଲ ପାର୍କ କିମ୍ବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ, ଗାଁ ଲୋକ ଏବେ ସହର ଭଳି ସୌନ୍ଦର୍ଯ୍ୟକରଣ ଜରିଆରେ ସ୍ବଚ୍ଛନ୍ଦ୍ୟରେ ଭରା ଜୀବନର ବିକାଶର ଧାରାରେ ସାମିଲ ହେଲେଣି।
ଗତ ଅଗଷ୍ଟ ମାସରେ ଗଞ୍ଜାମ ଜିଲ୍ଲାକୁ ରାଜ୍ୟର ଶତାଧିକ ମନ୍ତ୍ରୀ, ବିଧାୟକ ଓ ସାଂସଦ ବୁଲି ଆସିଥିଲେ। ଆଉ ଏବେ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀଗଣ (ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓ, ବିଭିନ୍ନ ବର୍ଗର ଯନ୍ତ୍ରୀ, ପଞ୍ଚାୟତସ୍ତରୀୟ ଅଧିକାରୀ) ଗଞ୍ଜାମର ବିଭିନ୍ନ ବ୍ଲକ୍ ପରିଦର୍ଶନ କରୁଛନ୍ତି। ସେମାନେ ଯେଉଁଠାକୁ ଯାଉଛନ୍ତି ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍ ସହ ମନରେଗା ଯୋଜନାରେ କିଭଳି ବିକାଶମୂଳକ କାର୍ଯ୍ୟ ହୋଇଛି, ତାହାର ପ୍ରତ୍ୟକ୍ଷଦର୍ଶୀ ସାଜୁଛନ୍ତି। ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଅନ୍ତର୍ଗତ ସ୍ମାର୍ଟ ସ୍କୁଲ ସାଙ୍ଗକୁ ଗାଁ ଗାଁରେ ପକ୍କା ରାସ୍ତା, ଆଦର୍ଶ ପୋଖରୀ, ରୁରାଲ୍ ପାର୍କ, ମିଶନ୍ ଶକ୍ତି ଗୃହ, ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆଦି ଦେଖୁଛନ୍ତି। ଶ୍ରମିକଙ୍କୁ ରୋଜଗାର ସହ ଗ୍ରାମ୍ୟ ଭିତ୍ତିଭୂମିକୁ କିଭଳି ସୁଦୃଢ଼ କରାଯାଉଛି ତାହାର ଅନୁଧ୍ୟାନ କରୁଛନ୍ତି। ଗଞ୍ଜାମ ଜିଲ୍ଲା ସହର ସମେତ ଗ୍ରାମୀଣ ବିକାଶରେ ରାଜ୍ୟ ଏପରିକି ଦେଶରେ ମଧ୍ୟ ରୋଲ୍ ମଡେଲ୍ ହୋଇଛି ତାହାର ପ୍ରମାଣ ପାଉଛନ୍ତି।
ତେବେ ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଷ୍ଠାପର ପ୍ରୟାସ କରି ଆସୁଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଯେଉଁ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଛନ୍ତି ସେହି ଜିଲ୍ଲାରେ ସାମଗ୍ରୀକ ବିକାଶ ମାଧ୍ୟମରେ ସହରରୁ ଆରମ୍ଭ କରି ଗାଁ ଧିରେ ଧିରେ ପ୍ରଗତିର ପଥରେ ଏକାକାର ହେବାର ସ୍ପଷ୍ଟ ଦୃଶ୍ୟ ପ୍ରତିଫଳିତ ହେବାରେ ଲାଗିଛି। ଗାଁ ଗାଁରେ ଥିବା ସ୍ଥାନୀୟ ପ୍ରସିଦ୍ଧ ମନ୍ଦିର, ଖୋଲା ପଡ଼ିଆରେ ପ୍ରତିଷ୍ଠା କରାଯାଉଛି ଗ୍ରାମ୍ୟ ଉଦ୍ୟାନ। ସବୁଜିମା ଓ ସ୍ୱାସ୍ଥ୍ୟପ୍ରଦ ପରିବେଶ, ବିଭିନ୍ନ ବୟସ ବର୍ଗଙ୍କ ପାଇଁ ଆମୋଦପ୍ରମୋଦର ଅବସର ଆଣି ଦେଉଛି ଏହି ରୁରାଲ ପାର୍କ। ଏଥିସହ ପର୍ଯ୍ୟଟକ ତଥା ବାହ୍ୟ ଆଗନ୍ତୁକଙ୍କ ସକାଶେ ମଧ୍ୟ ଆକର୍ଷଣର ବିନ୍ଦୁ ପାଲଟୁଛି ଏଭଳି ଗ୍ରାମ୍ୟ ପାର୍କ। ସେ ପୁରୁଷୋତ୍ତପୁର ବ୍ଲକର ପ୍ରସିଦ୍ଧ ଶୈବ ପୀଠ ହେଉ ବା ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତର ସମୁଦ୍ରକୂଳିଆ ବଟେଶ୍ବର ମନ୍ଦିର, ବେଗୁନିଆପଡ଼ା ବ୍ଲକ୍ କେ.ବରିଡ଼ା ପଞ୍ଚାୟତ ହେଉ ଅଥବା ସାନଖେମୁଣ୍ଡି ବ୍ଲକ୍ ଆଡ଼ପଡ଼ା ପଞ୍ଚାୟତର ଈଶାଣେଶ୍ବର ଶୈବ ପୀଠ ଏବଂ ଜିଉରା ପାର୍କ ହେଉ, ଏସବୁ ପ୍ରମାଣିତ କରି ଦେଉଛି ଯେ- ଏବେ ଗ୍ରାମ୍ୟ ପରିବେଶ କାଦୁଅ, ଧୂଳି ଧୂସରିତ ନ ହୋଇ ସବୁଜିମା, ସୌନ୍ଦର୍ଯ୍ୟରେ ଭରପୁର ହେବାରେ ଲାଗିଛି। ସହରାଞ୍ଚଳ ନୁହେଁ, ଗ୍ରାମୀଣ ଉଦ୍ୟାନ ଓ ଆଦର୍ଶ ପୋଖରୀ ଦେଖଣାହାରୀଙ୍କ ଚକ୍ଷୁକୁ ସୁନ୍ଦର ଦୃଶ୍ୟର ଦର୍ଶନ କରାଉଛି। ସୁନ୍ଦର ତୃପ୍ତିର ଅବସାଦ ନାହିଁ… ଏହି ବାକ୍ୟକୁ ଅକ୍ଷରେ ଅକ୍ଷରେ ବାସ୍ତବ କରିବାରେ ଲାଗିଛି ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ଥିବା ଗ୍ରାମ୍ୟ ପରିବେଶ।
ଏଠି କହି ରଖିବା ଉଚିତ ହେବ ଯେ ମନରେଗାର ସଫଳ କାର୍ଯ୍ୟକାରିତାରେ ଗଞ୍ଜାମ ଜିଲ୍ଲା ସାରା ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଛି। ଏହି ଜିଲ୍ଲାରେ ଗୋଟିଏ ଆର୍ଥିକ ବର୍ଷରେ ରେକର୍ଡ ୨ କୋଟିରୁ ଅଧିକ ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି। ଆଉ ମନରେଗା ସଫଳ କାର୍ଯ୍ୟକାରିତା ସହ ଜିଲ୍ଲାରେ ଗ୍ରାମୀଣ ପରିବେଶରେ ଆଖି ଝଲସାଇ ଦେବା ଭଳି ପରିବର୍ତ୍ତନ ଆସିବାରେ ଲାଗିଛି।
Comments are closed.