ଅନ୍ତର୍ଜାତୀୟସ୍ତରରେ ପ୍ରତିଦ୍ଵନ୍ଦ୍ବିତା ପାଇଁ ଉଚ୍ଚସ୍ତରୀୟ ଇନୋଭେସନ୍ ଲୋଡ଼ା

ବ୍ରହ୍ମପୁର: ଅନ୍ତର୍ଜାତୀୟସ୍ତରରେ ପ୍ରତିଦ୍ଵଦ୍ଵିତା କରିବା ପାଇଁ ହେଲେ ଉଚ୍ଚସ୍ତରୀୟ ଗବେଷଣା ଓ ଉଦ୍‌ଭାବନ ଆବଶ୍ୟକ। ଆମର ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ବିଶ୍ବସ୍ତରୀୟ ଜ୍ଞାନ ଓ ମୂଲ୍ୟବୋଧ ନିର୍ମାତା ସାଜିବା ଆବଶ୍ୟକ। ନବୀନ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ବିକାଶର ଦୂରତ୍ଵ ହ୍ରାସ କରିବାକୁ ହେବ। ପୃଥିବୀକୁ ରହଣୀ ସକାଶେ ଅଧିକ ଉତ୍ତମ ସ୍ଥାନ କରିବା ନିମନ୍ତେ ସମ୍ମିଳିତ ଉଦ୍ୟମ ଲୋଡା ବୋଲି କହିଛନ୍ତି ପଦ୍ମବିଭୂଷଣ ଡ. ଅନୀଲ କାକୋଡକର। ଆଜି ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଆଇଜର୍) ବ୍ରହ୍ମପୁରର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ଏଆଇସିଟିଇ ବିଶିଷ୍ଟ ମୁଖ୍ୟ ପ୍ରାଧ୍ୟାପକ ତଥା ଭାବା ଆଣବିକ ଗବେଷଣା କେନ୍ଦ୍ର ପୂର୍ବତନ ମୁଖ୍ୟ ଡ . କାକୋଡକର । ନିଜ ଉଦ୍‌ବୋଧନରେ ଛାତ୍ରଛାତ୍ରୀଙ୍କୁ ସେ ଏହିପରି ପରାମର୍ଶ ଦେଇଛନ୍ତି।

ଆଇଜର ନିର୍ଦ୍ଦେଶକ ପ୍ରଫେସର କେ.ଭି.ଆର୍.ଚାରୀଙ୍କ ପୌରୋହିତ୍ୟରେ ଉତ୍ସବ ରଙ୍ଗେଇଲୁଣ୍ଡା ବ୍ଲକ୍ ଲାଉଡିଗାଁସ୍ଥିତ ସ୍ଥାୟୀ ପରିସରରେ ହୋଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଥିଲେ ଏମ୍ଏସ୍ଏନ୍ ଲାବରୋଟୋରୀ ପ୍ରାଇଭେଟ୍ ଲିମିଟେଡ୍‌ ପରିଚାଳନା ନିର୍ଦ୍ଦେଶକ ତଥା ବ୍ରହ୍ମପୁର ଆଇଜର୍ ଶାସକ ମଣ୍ଡଳ ଅଧ୍ୟକ୍ଷ ଏମ୍.ଏସ୍.ଏନ୍.ରେଡ୍ଡୀ। ଏକାଡେମିକ୍ ଓ ଶିଳ୍ପାୟନ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି କହିଥିଲେ ସେ। ସମାବର୍ତ୍ତନ ଉତ୍ସବରେ ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ଗଣିତରେ ୪୫ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବି.ଏସ୍- ଏମ୍.ଏସ୍. ଦୈତ ଡିଗ୍ରୀ ପ୍ରଦାନ କରାଯାଇ ଥିଲା। ଆଦିତ୍ୟ ପ୍ରସାଦ ଦାସ ପ୍ରେସିଡେଣ୍ଟ୍ ଗୋଲ୍ଡ ମେଡାଲ୍ ଓ ଅନିନ୍ଦ୍ରା ରାୟ ଡିରେକ୍ଟର ଗୋଲ୍ଡ ମେଡାଲ୍ ପ୍ରାପ୍ତ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏକ ତୃତୀୟାଂଶରୁ ଅଧିକ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଭାରତ ତଥା ବିଦେଶରେ ପ୍ରତିଷ୍ଠିତ ଅନୁଷ୍ଠାନମାନଙ୍କରେ ପି.ଏଚ୍.ଡି. ନିମନ୍ତେ ମନୋନୀତ ହେବା ଏକ ନୂଆ ଅନୁଷ୍ଠାନ ନିମନ୍ତେ ଉଲ୍ଲେଖନୀୟ ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ ପ୍ରଫେସର ଚାରୀ।

ପ୍ରକାଶ ଥାଉକି ବ୍ରହ୍ମପୁର ଆଇଜର୍ ୨୦୧୬ ମସିହାରେ ଦେଶର ୭ଟି ଆଇଜର୍ ମଧ୍ୟରେ ସର୍ବକନିଷ୍ଠ ଭାବରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ (ତତ୍କାଳୀନ ମାନବ ସମ୍ବଳ ମନ୍ତ୍ରଣାଳୟ) ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା। ଅନୁସନ୍ଧାନ ସହିତ ବିଜ୍ଞାନ ଶିକ୍ଷାକୁ ଏକୀକୃତ କରିବା ଏହି ଉଚ୍ଚଶିକ୍ଷାନୁଷ୍ଠାନର ମୂଳ ଉଦ୍ଦେଶ୍ୟ। ଏଠାରେ ବି.ଏସ୍.- ଏମ୍.ଏସ୍. ଦୈତ ଡିଗ୍ରୀ, ଇଣ୍ଟିଗ୍ରେଟେଡ୍ ପି.ଏଚ୍.ଡି. ଏବଂ ପି.ଏଚ୍.ଡି. ସହ ପୋଷ୍ଟ – ଡକ୍ଟରାଲ ପ୍ରଶିକ୍ଷଣ ଏବଂ ବିଜ୍ଞାନର ବିବିଧ ବିଭାଗରେ ଅନୁସନ୍ଧାନମୂଳକ କାର୍ଯ୍ୟକ୍ରମ ସଞ୍ଚାଳନ କରାଯାଏ।

Comments are closed.