କାର୍ତ୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ସମଗ୍ର ଭାରତରେ ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ପାଳନ କରାଯାଏ । ସେ ମଧ୍ୟ ଆୟୁର୍ବେଦର ଜନକ ଭାବରେ ଶାସ୍ତ୍ରରେ ପରିଚିତ। ଭଗବାନ୍ ଧନ୍ଵନ୍ତରୀ ଦେବ ଓ ଅସୁରଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନରୁ କାର୍ତ୍ତି କୃଷ୍ ତ୍ରୟୋଦଶୀରେ ଆବିର୍ଭୂତ ହୋଇଥିଲେ । ତାଙ୍କର ଏହି ଜନ୍ମତିଥିକୁ ଧନ୍ଵନ୍ତରୀ ତ୍ରୟୋଦଶୀ ବା ସଂକ୍ଷେପରେ ଧନ ତ୍ରୟୋଦଶୀ କୁହାଯାଏ । ଅନ୍ୟ ରାଜ୍ୟରେ ତାହା ଅପଭ୍ରଂଶ ହୋଇ ଧନତେରାସ ନାମରେ ପରିଚିତ ହୋଇଛି । ଆମ ଦେଶରେ ଏହି ଦିବସକୁ ଆୟୁର୍ବେଦ ଦିବସ ରୂପେ ପାଳନ କରାଯାଉଛି ।
ଧନ୍ଵନ୍ତରୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅବତାର । ସେ ଚତୁର୍ଦ୍ଧାମୂରତି। ତାଙ୍କର ଗୋଟିଏ ହାତରେ ଶଙ୍ଖ, ଗୋଟିଏ ହାତରେ ଔଷଧୀୟ ଗୁଳ୍ମ, ଗୋଟିଏ ହାତରେ ଅମୃତ କଳସ ଏବଂ ଅନ୍ୟଏକ ହାତରେ ଆୟୁର୍ବେଦ ଶାସ୍ତ୍ର ଥାଏ। ଭିନ୍ନମତ ଅନୁସାରେ ବରଦମୁଦ୍ରା ପ୍ରଦର୍ଶିତ କରିଥାନ୍ତି।
ଅନ୍ୟ ଅର୍ଥରେ ଭଗବାନ ଧନ୍ଵନ୍ତରୀ ହେଉଛନ୍ତି ସ୍ୱର୍ଗବୈଦ୍ୟ । ପୃଥିବୀରୁ ଜରାବ୍ୟାଧି ଦୂରକରିବା ପାଇଁ ସେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥଲେ । ସେ ହେଉଛନ୍ତି ଆୟୁର୍ବେଦର ପ୍ରବର୍ତ୍ତକ। କାରଣ ଜଗତ ରେ ଯେତେସବୁ ଧର୍ମ, ଅର୍ଥ, କାମ, ମୋକ୍ଷ ରହିଛି ସବୁର ମୂଳରେ ଗୋଟିଏ ଉଦେଶ୍ୟ ତାହା ହେଉଛି ଜୀବନରେ ନିରୋଗ ରହିବା। ତେଣୁ ଶାସ୍ତ୍ରରେ କୁହାଯାଇଛି- ‘ଧର୍ମାର୍ଥକାମମୋକ୍ଷାଣାମାରୋଗ୍ୟ” ମୂଳମୁତ୍ତମମ୍ ” ସ୍ୱୟଂ ଭଗବାନ ବିଷ୍ଣୁ ଏହି ଧନ୍ଵନ୍ତରୀ ରୂପରେ ପ୍ରକଟିତ ହୋଇ ଚିକିତ୍ସା ବିଜ୍ଞାନର ସୃଷ୍ଟି କରିଥିଲେ। ସର୍ଵ ପ୍ରଥମେ ଦେଵଲୋକରେ ଦେବତା ମାନଙ୍କୁ ଔଷଧୀୟ ଗୁଳ୍ମ ଲତା ଦେଇ ଦୀର୍ଘ ଜୀବନର ବାର୍ତା ପ୍ରଚାର କରିଥିଲେ। ଏ ସମଗ୍ର ସୃଷ୍ଟିରେ ସେଇ ଚୈତନ୍ୟ ସତ୍ତା ବିରାଜିତ। କେଉଁଠାରେ ସିଏ ମହାକାଳ ତ କେଉଁଠାରେ ସିଏ ଦିବ୍ୟ ଅମୃତବିନ୍ଦୁ ଭାବରେ ପ୍ରକଟିତ। ସେଇ ଦିବ୍ୟ ଅମୃତବିନ୍ଦୁ ଯାହାକୁ ଉପଯୋଗ କରି ଦେବ ମାନବ ସମସ୍ତେ ସୁସ୍ଥ ନିରାମୟ ଜୀବନ ନିର୍ବାହ କରିବା ସହିତ ନିଜ ଭିତରେ ଅମୃତର ସ୍ପର୍ଶ ଅନୁଭବର ଶିକ୍ଷା ଦେଇଥିଲେ ଭଗବାନ ଧନ୍ଵନ୍ତରୀ। ଆଜିର କଳୁଷିତ ସଂସାରରେ ବ୍ୟାଧିଗସ୍ତ ପ୍ରତ୍ୟେକ ପ୍ରାଣୀ ସେଇ ଦେବବୈଦ୍ୟ ଧନ୍ଵନ୍ତରୀଙ୍କ ଶରଣାପନ୍ନ ହେବା ନିହାତି ବାଞ୍ଛନୀୟ।