ନୂଆଦିଲ୍ଲୀ: ଲଗାତାର ଭାବେ ପେଟ୍ରୋଲ-ଡିଜେଲ ଦରବୃଦ୍ଧି ନେଇ ଜନ ଅସନ୍ତୋଷ ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି । ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ କମାଇଛି କେନ୍ଦ୍ର । କେନ୍ଦ୍ରର ଏହି ନିଷ୍ପତ୍ତି ଦ୍ୱାରା ଲୋକଙ୍କୁ ସାମୟିକ ଆଶ୍ୱସ୍ତି ମିଳିବ ସିନା ସାମଗ୍ରିକ ଭାବେ ମହଙ୍ଗା ବୋଝରୁ ମୁକ୍ତି ମିଳିବ ନାହିଁ । ଉତ୍ପାଦ ଶୁଳ୍କରେ ସାମାନ୍ୟ ହ୍ରାସ କରାଯାଇଥିବାରୁ ଅଧିକାଂଶ ରାଜ୍ୟରେ ଏବେ ବି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଛି । ଲୋକଙ୍କୁ ଆଶ୍ୱସ୍ତି ଦେବା ପରିବର୍ତ୍ତେ କେନ୍ଦ୍ରର ଏହି ନିଷ୍ପତ୍ତି ଯେ ରାଜନୈତିକ ବାଧ୍ୟବାଧକତା ଦ୍ୱାରା ପ୍ରେରିତ ଏହା କାହାକୁ ଅଛପା ନାହିଁ ।
ଉପନିର୍ବାଚନ ଫଳାଫଳ ଆସିବାର ଦିନକ ପରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତିନୋଟି ଲୋକସଭା ଆସନ ବ୍ୟତୀତ ୧୩ଟି ରାଜ୍ୟର ୨୯ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ତୈଳ ଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା । ଉପନିର୍ବାଚନରେ ବିଜେପିକୁ ଅନେକ ସ୍ଥାନରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଉପନିର୍ବାଚନ ଝଟ୍କା ପରେ ଆଗକୁ ହେବାକୁ ଥିବା କିଛି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ତୈଳଦର ସାମାନ୍ୟ କମାଇ ଶ୍ରେୟ ନେବାକୁ ଚାହୁଁଛି ।
ତେବେ ପେଟ୍ରୋଲ-ଡିଜେଲ ଉପରେ ପ୍ରାୟ ୬୫% ଉତ୍ପାଦ ଶୁଳ୍କ ବଢ଼ାଇବା ପରେ ଏଥିରେ ନଗଣ୍ୟ ହ୍ରାସ କରିବା କେନ୍ଦ୍ରର ନିଷ୍ପତ୍ତି ଧମର୍କୁ ଆଖିଠାର ସଦୃଶ ହୋଇଛି । କେନ୍ଦ୍ରର ଏହି ନିଷ୍ପତ୍ତିକୁ ଡ୍ରାମା ବୋଲି ଅଭିହିତ କରିଛନ୍ତି ବିରୋଧୀ । ସରକାରଙ୍କ ଏହି ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସେମାନେ କହିଛନ୍ତି । ଚଳିତ ବର୍ଷ ପେଟ୍ରୋଲ୍ ସର୍ବମୋଟ ୨୮ ଟଙ୍କା ଓ ଡିଜେଲ ୨୬ ଟଙ୍କା ପ୍ରତି ଲିଟର ବୃଦ୍ଧି କରାଯାଇଛି । ପେଟ୍ରୋଲ ଉପରେ ୬୫% ଓ ଡିଜେଲ ଉପରେ ୭୯% ଯାଏଁ ଉତ୍ପାଦ ଶୁଳ୍କ ବଢ଼ିଛି । ବର୍ଦ୍ଧିତ ଟିକସ ଯୋଗୁଁ ୨୦୨୦-୨୧ରେ ପେଟ୍ରୋଲ-ଡିଜେଲରୁ ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କା ରାଜସ୍ୱ ଆୟ କରିଛନ୍ତି । ଅହେତୁକ ଭାବେ ଟିକସ ବୃଦ୍ଧି ପରେ ଏଥିରେ ସାମାନ୍ୟ ହ୍ରାସ କରି ଏହାକୁ ‘ଦୀପାବଳୀ ଉପହାର’ ବୋଲି କହିବାର ଯଥାର୍ଥତା କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଏହାଛଡ଼ା ପେଟ୍ରୋଲ-ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ଦ୍ୱାରା ରାଜ୍ୟମାନଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିବ । କାରଣ କେନ୍ଦ୍ରୀୟ ଟିକସରୁ ୪୧.୫% ଭାଗ ରାଜ୍ୟମାନଙ୍କୁ ମିଳିଥାଏ । ଏ ସବୁ ପରିପ୍ରେକ୍ଷୀରେ କେନ୍ଦ୍ରର ନିଷ୍ପତ୍ତି ସାଧାରଣ ଖାଉଟିଙ୍କ ଦୁଃଖ ଦୂର କରିବା ପରିବର୍ତ୍ତେ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଯେ ଉଦ୍ଦିଷ୍ଟ ଏହା ସହଜେ ଅନୁମେୟ ।