ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିରୋଧରେ ବନ୍ଦ ଡାକରା ଦେଇ ଲୋକହସା ହେଲେ ଭକ୍ତ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିରୋଧରେ ବନ୍ଦ ଡାକରା ଦେଇ ଲୋକହସା ହେଲେ ଭକ୍ତ

ନବୀନଙ୍କ ସ୍ବାଗତ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଜନତା

ଭବାନୀପାଟଣା : କଂଗ୍ରେସର ହେଭିୱେଟ୍ ନେତା ଭକ୍ତ ଦାସଙ୍କୁ ଗତକାଲି ଚରମ ଲୋକହସାର ଶିକାର ହେବାକୁ ପଡିଛି । ମମିତା ମେହେର ହତ୍ୟା ଘଟଣାକୁ ଆଳ କରି ପୁଣି ଥରେ ନିଜର ଦୁର୍ବଳ ସଂଗଠନକୁ ସଞ୍ଜୀବନୀ ଦେବାର ପ୍ରଚେଷ୍ଟା ଆଳରେ ସାଂଘାତିକ ଧୋକା ଖାଇବାକୁ ପଡିଛି । ଏପରିକି ନିଜର ରାଜନୈତିକ ଗଡ଼ରେ ବି ତାଙ୍କ କଥା କାଣିଚାଏ ରଖିବାକୁ କେହି ବାହାରିଲେ ନାହିଁ । ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି କଳାହାଣ୍ଡି ବନ୍ଦ ଡାକରା ଦେଇଥିବା ବେଳେ ତାଙ୍କ କଥାକୁ ଜିଲ୍ଲାବାସୀ ତ ଦୂରର କଥା ଖୋଦ୍ ତାଙ୍କ ସମର୍ଥକ ବି ବାଏଁ ବାଏଁ ଉଡାଇ ଦେଇଛନ୍ତି । ଏପରିକି ଏହି ବନ୍ଦ ଡାକରାକୁ ଭୃକ୍ଷେପ ନ କରି ହଜାର ହଜାର ଜନତା ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ଶୋଭାଯାତ୍ରାରେ ସାମିଲ ହେବା ଘଟଣା ସମସ୍ତ ବିରୋଧୀଙ୍କୁ ଶକ୍ତ ଚାପୁଡା ସଦୃଶ ହୋଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଥିଲା । ମମିତା ମେହେର ହତ୍ୟା ଘଟଣା ପାଇଁ କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ବିରୋଧୀ ଏହାକୁ ରାଜନୈତିକ ପ୍ରସଙ୍ଗ କରି ବେଶ୍ ଦୀର୍ଘ ଦିନ ହେଲା ତମ୍ବିତୋଫାନ କରୁଛନ୍ତି । ମମିତାଙ୍କ ବାପା ଏହି ରାଜନୀତି ବନ୍ଦ କରିବାକୁ ନିବେଦନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଆସ୍ଥା ଥିବା କହିବା ପରେ ବିରୋଧୀଙ୍କୁ ଏହା ଶକ୍ତ ଧକ୍କା ଲାଗିଛି । ଆଉ କୌଣସି ଉପାୟ ନ ପାଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ଉଭୟ ବିଜେପି ଏବଂ କଂଗ୍ରେସ ସବୁ ବଳ କଷି ଦେଇଛନ୍ତି । ଏଭଳି ସ୍ଥିତିରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବେଶ୍ କିଛି ଦିନ ହେଲା ମମିତା ପ୍ରସଙ୍ଗରେ ବିନା ତଥ୍ୟ ପ୍ରମାଣରେ ଅନେକ କଥା ଗପି ଆସୁଛନ୍ତି । ଫଳରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବି ଭକ୍ତଙ୍କ ପ୍ରତି ଏକ ନକରାତ୍ମକ ବାତାବରଣ ସୃଷ୍ଟି ହୋଇସାରିଛି । ଲୋକେ ଏହାକୁ ଗ୍ରହଣ କରିବାକୁ ବି ପସନ୍ଦ ନଥିବା କୁହାଯାଉଛି । ଆଉ ଆଜିର ଘଟଣାରୁ ଏହା ସ୍ପଷ୍ଟ ହୋଇଛି ।

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ସମଗ୍ର କଳହାଣ୍ଡିରେ ବନ୍ଦ ଡାକରା ଦେଇଥିଲେ ଭକ୍ତ । ଏଥିରେ ନିଜର ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କୁ ବି ଆହ୍ବାନ ଦେଇଥିଲେ । ହେଲେ ଜନସାଧାରଣ ତ ଦୂରର କଥା ଖୋଦ୍ ତାଙ୍କ ଦଳୀୟ କର୍ମୀ ଏପରିକି ତାଙ୍କର ଖାସ୍ ଅନୁଗତ ବି ବନ୍ଦ ପାଇଁ ଆଦୌ ବାହାରିନଥିବା ଚର୍ଚ୍ଚା ହେଉଛି । ସେପଟେ , ଭକ୍ତଙ୍କ ବନ୍ଦ ଡାକରାକୁ ଭୃକ୍ଷେପ ନ କରି ହଜାର ହଜାର ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ଉଦ୍ଦେଶ୍ୟରେ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଫଳରେ ଭକ୍ତ ଏହି ବନ୍ଦ ଡାକରା ଦେଇ ଏକପ୍ରକାର ସାଂଘାତିକ ଲୋକହସାର ଶିକାର ହୋଇଥିବା କୁହାଯାଉଛି । କଂଗ୍ରେସ ରାଜନୀତିରେ ଜାତୀୟସ୍ତରରେ ନିଜର ପ୍ରଭାବ ରଖି ଆସୁଥିବା ଭକ୍ତଙ୍କୁ ଖୋଦ୍ ତାଙ୍କ ଜନ୍ମମାଟିରେ ଏଭଳି ହତାଦରକୁ ନେଇ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ସବୁଠାରୁ ଗୁରୁତ୍ଵପୂର୍ଣ କଥା ହେଉଛି ଯେ , ତାଙ୍କ ନିଜର ସହର ଭବାନୀପାଟଣାରୁ ଆରମ୍ଭ କରି କଲମପୁର , ଧର୍ମଗଡରୁ ଆରମ୍ଭ କରି ଜୁନାଗଡ , କୋକସରାରୁ ଆରମ୍ଭ କରି ଲାଞ୍ଜିଗଡ ଆଦି ପ୍ରତିଟି ପ୍ରାନ୍ତର ହଜାର ହଜାର ଲୋକ ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ଶୋଭାଯାତ୍ରାରେ ସାମିଲ ହେବା ଘଟଣାକୁ ନେଇ ବିଜେପି ଶିବିର ବି ଚିନ୍ତାରେ ପଡିଯାଇଛି । ଏହା ଜିଲ୍ଲାର ଅନ୍ୟତମ ବିଜେପିର ହେଭିୱେଟ୍ ନେତା ତଥା ସାଂସଦ ବସନ୍ତ ପଣ୍ଡାଙ୍କୁ ବି ଶକ୍ତ ଧକ୍କା ସଦୃଶ ହୋଇଛି ବୋଲି ଆଲୋଚନା ହେଉଛି ।

Bhakta Charan DasBJPChief Minister Naveen PatnaikCongressKalahandi