ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ନାମ ଏପରି ନାମକରଣ କରାଯାଇଛି ।
ପୌରାଣିକ ବର୍ଣ୍ଣନାନୁଯାୟୀ ଅକୃର ମଥୁରାକୁ ଯିବା ସମୟରେ ଯମୁନା ନଦୀରେ ସ୍ନାନ କରୁଥିବାବେଳେ ଜଳ ମଧ୍ୟରେ ଏହି ‘ରାଧା ଦାମୋଦର’ ବେଶ ଦର୍ଶନ କରିଥିଲେ । କୁହାଯାଏ ସେହିଦିନ ଠାରୁ ଏହି ରାଧା ଦାମୋଦର ଉପାସନା ଆରମ୍ଭ ହୋଇଛି।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଏହି ବେଶ ସମ୍ଭନ୍ଧରେ ଏକ ସୁନ୍ଦର କଥା ରହିଛି। ମହାପ୍ରଭୁଙ୍କ ବେଶ ଓଲାଗି ପରେ ବିଗ୍ରହଙ୍କଠାରୁ କଢ଼ାଯାଇଥିବା ପୁଷ୍ପ ଅଳଙ୍କାର ରାଜା ରାଣୀଙ୍କୁ ଦେବାର ମନ୍ଦିର ପରମ୍ପରାରେ ବିଧି ଅଛି । ଥରେ ତଳୁଚ୍ଛ ସେବକ ନାରାୟଣ ମହାପାତ୍ର ଫୁଲଗୁଣାଟିକୁ ଦେବଦାସୀ ଲାବଣ୍ୟବତୀଙ୍କ ଗଭାରେ ଗୁଞ୍ଜି ଦେଇଥିଲେ । ପରେ ରାଜା ଏହି ଗୁଣାଟିକୁ ରାଣୀଙ୍କୁ ଦେବା ସମୟରେ ଏକ କେଶ ଲାଗିଥିବା ଦେଖି କ୍ରୋଧିତ ହୋଇ ପ୍ରଭୁଙ୍କ କେଶ ଥିବା ନ ଦେଖାଇଲେ ଦଣ୍ଡିତ ହେବେ ବୋଲି ସେବକ ନାରାୟଣ ମହାପାତ୍ରଙ୍କୁ ଆଦେଶ ଦେଲେ । ଭକ୍ତକୁ ରକ୍ଷା କରିବା ପାଇଁ ପ୍ରଭୁ କେଶ ଧାରଣ କଲେ, ପରଦିନ ରାଜା କେଶକୁ ଦେଖି ଟାଣିବାରୁ ରକ୍ତସ୍ରାବ ହେଲା । ସେହିଦିନଠାରୁ ପ୍ରଭୁଙ୍କର ଏହି ରାଧା ଦାମୋଦର ବେଶ ହେବାସହ ସ୍ୱତନ୍ତ୍ର ବାଳଧୂପ ନୀତି ପ୍ରଚଳିତ ହୋଇଛି।
ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇ ଥାଏ । ଠାକୁରମାନେ ଏହି ବେଶରେ ବାଳଧୂପ ପର୍ଯ୍ୟନ୍ତ ରହନ୍ତି । ଏହି ବେଶରେ ଥାଇ ଶ୍ରୀଜୀଉଙ୍କର ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ ଓ ବାଳଧୂପ ହୋଇଥାଏ । ବାଳଧୂପ ଛେକ ଆସିବା ପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି ଓ ବାଳ ଭୋଗ ସରିବା ପରେ ତିନି ବାଡ଼ରେ ବନ୍ଦାପନା ହୋଇ, ବେଶ ଓଲାଗି ହୋଇଥାଏ । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଓ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ପରିଧାନ କରିଥାନ୍ତି । ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ (ନଳୀଭୂଜରେ ଆୟୁଧର ଚିତ୍ର ଥାଏ), ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର, ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ଭୂଷିତ ହୋଇଥାନ୍ତି । ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରୀ କପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ଲାଗି ହୁଏ ।
ଏହି ବେଶରେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ପାଟବସ୍ତ୍ର ଜୀଉମାନେ ଲାଗି ହୁଅନ୍ତି । ରବିବାର ନାଲି, ସୋମବାର ଧଳାରେ କଳାଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଶୁକ୍ଳ ଓ ଶନିବାର କଳାରଙ୍ଗ ପାଟବସ୍ତ୍ର ଲାଗି ହୁଅନ୍ତି । ଏହି ସ୍ୱତନ୍ତ୍ର ବେଶ କାର୍ତ୍ତିକ ଶୁକ୍ଳପକ୍ଷ ଦଶମୀ ତିଥିରେ ଶେଷ ହୋଇଥାଏ। ଏହା ପରଦିନ ଠାରୁ ଅର୍ଥାତ ହରି ଉତ୍ଥାପନ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀଜୀଉମାନେ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।