ଗୋପାଳପୁର ନିର୍ବାଚନ ମଣ୍ଡଳୀ:ବିଧାୟକ ପ୍ରାର୍ଥୀ ଏସ୍.ଧର୍ମରାଜ ରେଡ୍ଡୀଙ୍କ କଂଗ୍ରେସରୁ ଇସ୍ତଫା

ଗୋପାଳପୁର : ଗତ ସାଧାରଣ ନିର୍ବାଚନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିବା ଏସ୍.ଧର୍ମରାଜ ରେଡ୍ଡୀଙ୍କ ସମେତ ୬ ସ୍ଥାନୀୟ ଟାଣୁଆ ନେତା ଦଳ ଛାଡ଼ିଛନ୍ତି।

ଗୋପାଳପୁର ନିର୍ବାଚନମଣ୍ଡଳୀ କଂଗ୍ରେସର ବରିଷ୍ଠ ତଥା ପ୍ରଭାବଶାଳୀ ନେତା କୁହାଯାଉଥିବା ଏସ୍. ଧର୍ମରାଜ ରେଡ୍ଡୀ କାଲି ରାତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ମେଲ୍ ମାଧ୍ୟମରେ ପଠାଇଛନ୍ତି। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକ୍ କଂଗ୍ରେସ ସଭାପତି ସୁନୀଲ କୁମାର ସାହୁ ଓ ଗୋପାଳପୁର ଏନ୍‌ଏସି ସଭାପତି ଏମ୍.ଚନ୍ଦ୍ରଶେଖର ନିଜ ଇସ୍ତଫା ପତ୍ର ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ପାଖକୁ ପଠାଇ ଦେଇଛନ୍ତି। କରାପଲ୍ଲୀ ସରପଞ୍ଚ ଏସ୍.ମେନକା ରେଡ୍ଡୀ, ଜିଲ୍ଲା ପରିଷଦ ଜୋନ୍‌ସ୍ତରୀୟ ସଭାପତି କେ.ମୋହନ ଓ ସୁଦର୍ଶନ ମଲାଣ ମଧ୍ୟ ଜିଲ୍ଲା ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

ଏସ୍.ଧର୍ମରାଜ ରେଡ୍ଡୀ କହିଛନ୍ତି ଯେ- ସେ ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳରେ ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ବିଭିନ୍ନ ସାଙ୍ଗଠନିକ କାମରେ ନିଜକୁ ନିୟୋଜିତ କରି ଆସୁଥିଲେ। କିନ୍ତୁ ଗତ କିଛି ଦିନ ହେଲା ସେ ଦଳ ଭିତରେ ରହି ନିଜକୁ ଅଣନିଃଶ୍ଵାସୀ ଅନୁଭବ କରୁଥିଲେ । ଏଣୁ ସେ ଓ ତାଙ୍କ ୫ ଜଣ ସଦସ୍ୟ କଂଗ୍ରେସରୁ ଇସ୍ତଫା ଦେବା ସହ ଆଗାମୀ ଦିନରେ ଗୋପାଳପୁର ନିର୍ବାଚନମଣ୍ଡଳୀର ଶତାଧକ କଂଗ୍ରେସ କର୍ମୀ ମଧ୍ୟ ପାର୍ଟି
ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବେ କହିଛନ୍ତି ।

ଆଗାମୀ ଦିନରେ ସେ ବିଜେଡି ଦଳରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି ।

Comments are closed.