ଝରିଗାଁ ଥାନାରେ ବିଜେପି ବିରୋଧରେ ଏତଲା

ନବରଙ୍ଗପୁର: ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ବିରୋଧରେ ବିରୋଧୀ ବିଜେପିର ଅପପ୍ରଚାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଝରିଗାଁର ବିଜେଡି କର୍ମୀ ଓ ସାଧାରଣ ଜନତା। ପ୍ରଥମେ ନବରଙ୍ଗପୁର ଥାନା ଆଉ ଏବେ ଝରିଗାଁ ଥାନାରେ ବିଜେଡି ନେତା ଓ କର୍ମୀମାନେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ସାହୁଙ୍କ ବିରୋଧରେ ଏତଲା ଦେଇଛନ୍ତି। ଶନିବାର ଝରିଗାଁ ବ୍ଲକର ବିଜେଡି ଯୁବ ନେତା ଓ କର୍ମୀମାନେ ଜିଲ୍ଲାର ସାଂସଦ ରମେଶ ମାଝୀଙ୍କୁ ସୋସିଆଲ ମିଡିଆରେ ନିନ୍ଦିତ କରିବାକୁ ଅପଚେଷ୍ଟା କରିଥିବା ଚନ୍ଦ୍ରଭାନୁଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦଳୀୟ କର୍ମୀମାନେ ଯୁବ ବିଜେଡି ସଭାପତି ଦୁର୍ଗା ପ୍ରସାଦ ମାଝୀ ଓ ଅନ୍ୟମାନଙ୍କ ନେତୃତ୍ବରେ ଏକ ବିରାଟ ପଟୁଆର କରି ବିଭିନ୍ନ ଅଞ୍ଚଳ ବୁଲିଥିଲେ। ବିଜେଡି ସାଂସଦଙ୍କ ବିରୋଧରେ ବିଜେପି ଦଳର ଅପପ୍ରଚାର ପ୍ରତିବାଦରେ ସ୍ଲୋଗାନ ଦେଇଥିଲେ। ପରେ ଝରିଗାଁ ଥାନାରେ ପହଞ୍ଚି ଆଇଆଇସିଙ୍କୁ ଏତଲା ପ୍ରଦାନ ପୂର୍ବକ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କୁ ଗିରଫ କରିବାକୁ ଦାବି ଜଣାଇଥିଲେ।

କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ପ୍ରଦୀପ ମାଝୀ ନିକଟରେ ବିଜେଡିରେ ଯୋଗ ଦେଇଥିଲେ। ଫଳରେ ନବରଙ୍ଗପୁର ଜିଲ୍ଲାରେ ବିଜେଡି ଅଧିକ ଶକ୍ତିଶାଳୀ ତ ହୋଇଛି, ତା ସହ ନିଜକୁ ପ୍ରମୁଖ ବିରୋଧୀ ଦଳ ବୋଲାଉଥିବା ବିଜେପିର ଗୁରୁତ୍ବ ମଧ୍ୟ ହ୍ରାସ ପାଇଛି। ଏଥିରେ ବିବ୍ରତ ହୋଇ ଉଠିଛନ୍ତି ଜିଲ୍ଲାର ବିଜେପି ନେତୃବୃନ୍ଦ। ସୋସିଆଲ ମିଡିଆକୁ ମାଧ୍ୟମ କରି ବିଜେଡି ବିରୋଧରେ ଅପପ୍ରଚାର ଆରମ୍ଭ କରିଛନ୍ତି। କିନ୍ତୁ ଏହାକୁ ମୁକାବିଲା କରୁଛନ୍ତି ଜିଲ୍ଲାର ଶାସକ ଦଳ ନେତୃତ୍ବ। ବିଜେପି ଯୁବମୋର୍ଚ୍ଚା ନେତାଙ୍କ ସାଂସଦଙ୍କୁ ନିନ୍ଦିତ କରିବା ପ୍ରୟାସ ବିରୋଧରେ ପଟୁଆର ସହ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ବିଜେଡି ଯୁବ ନେତୃବୃନ୍ଦ। ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ସାହୁ ଫେସବୁକରେ ପ୍ରଦୀପ ମାଝି ବିଜେଡିରେ ସାମିଲ ହେବା ପରେ ଦଳରେ ରମେଶ ମାଝୀଙ୍କ ସ୍ଥିତିକୁ ନେଇ ଅପପ୍ରଚାର କରିଥିଲେ। କିନ୍ତୁ ଏହାକୁ ନେଇ ଜନସାଧାରଣ ତଥା ବିଜେଡି ନେତା ଓ କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଶନିବାର ବିରାଟ ରାଲି ବିଜେପି ବିରୋଧରେ ସେହି ଅସନ୍ତୋଷର ପ୍ରତିଫଳନ ବୋଲି ବିବେଚନା କରାଯାଉଛି।

Comments are closed.