ଗୋପାଳପୁର ନିର୍ବାଚନମଣ୍ଡଳୀ ୫୫ ନଂ ଜୋନ୍‌ସ୍ତରୀୟ ଯୁବ ଓ ଛାତ୍ର ସଙ୍ଗଠନ ବୈଠକ

ଗୋପାଳପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ମଜବୁତ ହେଉଛି ବିଜୁ ଜନତା ଦଳ। ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବା ସାଙ୍ଗକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସକାଶେ ସଶକ୍ତ ଓ ବ୍ୟବସ୍ଥିତ ଭାବେ ରଣକୌଶଳ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବାରେ ଲାଗିଛି ବିଜେଡି। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨ଟି ଜିଲ୍ଲା ପରିଷଦ ଜୋନ୍‌ରେ ଯୁବ ଓ ଛାତ୍ର ସଙ୍ଗଠନର ବୈଠକ ହୋଇସାରିଥିବା ବେଳେ ଶନିବାର ହୋଇଛି ୫୫ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ସ୍ତରୀୟ ଯୁବ ଓ ଛାତ୍ର ବିଜେଡି ବୈଠକ। ରଙ୍ଗେଇଲୁଣ୍ଡା ପଞ୍ଚାୟତ ବାତ୍ୟା ଆଶ୍ରୟୀସ୍ଥଳୀ ଠାରେ ହୋଇଥିବା ଏହି ବୈଠକରେ ଉକ୍ତ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବୈଠକରେ ମାର୍ଗଦର୍ଶକ ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଓ.ଏସ୍.ଡି ଡ. ଗୋପବନ୍ଧୁ ଦାସ। ବିଜେଡି ଯୁବ ଓ ଛାତ୍ର ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବା, ବିଭିନ୍ନ ସରକାରୀ ଯୋଜନାର ସୁଫଳ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ ଡ. ଦାସ।

ବୈଠକରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତି ୱାର୍ଡରେ ଦଳୀୟ କମିଟି ଗଠନ କରାଯାଇ ଲୋକଙ୍କ ସମସ୍ୟା ବାବଦରେ ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତାହାର ସମାଧାନ କରିବା ଉପରେ ଗୁରୁତ୍ବାରୋପ କରାଯାଇ ଥିଲା। ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରୟାସ ପୂର୍ବକ ସରକାର ତଥା ଦଳ ପ୍ରତି ସମର୍ଥନକୁ ଅଧିକ ବ୍ୟାପକ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦିଆଯାଇ ଥିଲା। ବୈଠକରେ ବ୍ଲକ୍ ଉପାଧ୍ୟକ୍ଷ ତଥା ଦଳର ବ୍ଲକ୍ ସଭାପତି ଅଜିତ କୁମାର ଦାସ, ଗୋପାଳପୁର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସି.ଏଚ୍.ଭରତ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ଏହି ଜୋନ୍‌ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ଏହି ବୈଠକ ପରେ ଗୋପାଳପୁର ନିର୍ବାଚନମଣ୍ଡଳୀର ଦଳୀୟ ନେତୃବୃନ୍ଦ ଓ କର୍ମୀ ମହଲରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ପଞ୍ଚାୟତ ତଥା ପୌର ନିର୍ବାଚନ ପାଇଁ ସେମାନେ ଅଣ୍ଟା ଭିଡ଼ି ବିରୋଧୀ ଦଳମାନଙ୍କର ହୀନ ରାଜନୀତିକୁ କଡ଼ା ଟକ୍କର ଦେବା ପାଇଁ ସଜବାଜକୁ ଜୋରଦାର କରିଲେଣି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନମଣ୍ଡଳୀର କଂଗ୍ରେସର ଆଗଧାଡ଼ିର ନେତାଏ ପାର୍ଟିର ହାତଛଡ଼ା କରିବା ସାଙ୍ଗକୁ ଅନ୍ୟତମ ବିରୋଧୀ ଦଳ ବିଜେପିର ନେତୃବୃନ୍ଦଙ୍କ ସୁପ୍ତ ଅବସ୍ଥା ବିଜେଡିକୁ ସୁହାଉଛି। ବିଜୁ ଜନତା ଦଳ ନେତୃବୃନ୍ଦ କର୍ମୀଙ୍କ ସହ ତୃଣମୂଳସ୍ତରରେ ସଙ୍ଗଠନକୁ ବ୍ୟାପକ କରାଇ ଯୋଜନାବଦ୍ଧ ଭାବେ ନିର୍ବାଚନ ଆଡକୁ ପାଦେ ପାଦେ ଆଗକୁ ବଢ଼ିବାରେ ଲାଗିଛନ୍ତି। ବିଜୟକୁ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥିତ ଢଙ୍ଗରେ ଦଳୀୟ ବୈଠକ ସାଙ୍ଗକୁ ରଣକୌଶଳ ନିର୍ଦ୍ଧାରଣ କରାଯାଉଛି।

Comments are closed.