ଶ୍ରୀଜୀଉଙ୍କ ଆଜି ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ

ପଞ୍ଚୁକ ପାଞ୍ଚ ଦିନ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ବେଶ ହେବା ସହ ସ୍ୱତନ୍ତ୍ର ନୀତି ହୋଇଥାଏ। ତେବେ ଏହି ଦୁର୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଶ୍ରୀମନ୍ଦିର ଚାରିପଟେ ପୋଲିସ୍ ଫୋର୍ସ ମୁତୟନ ରହିଛନ୍ତି। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତ ଶେଷ ହେବ।

ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ କାର୍ତ୍ତିକମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥାଏ । ଏହି ଦିନ ଶ୍ରୀକ୍ଷେତ୍ରସ୍ଥ ଚକ୍ରନୃସିଂହଙ୍କ ନିକଟରୁ ଶ୍ରୀଜୀଉଙ୍କ ପାଖକୁ ଆଜ୍ଞାମାଳ ଆସିଥାଏ ।

ଲକ୍ଷ୍ମୀନୃସିଂହ ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥିଲେ। ବଡଠାକୁର ସୁବର୍ଣ୍ଣର ହଳ ମୂଷଳ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ରୁପାର ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ଧାରଣ କରିଥାନ୍ତି।
ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଚୂଳରେ ସୁବର୍ଣ୍ଣ କିଆ ଖଞ୍ଜା ଯାଏ। ଏଥିସହ ସୋଲ ଓ ଜରିରେ ନିର୍ମିତ ବିଭିନ୍ନ ଫୁଲ ଧାରଣ କରାଯାଏ। ଏହି ବେଶରେ ଠାକୁରମାନେ ପାଟବସ୍ତ୍ରରେ ବିଭୂଷିତ ହେବା ସହ ବିଭିନ୍ନ ସୁବାସିତ ପୁଷ୍ପରେ ମଣ୍ଡିତ ହୁଅନ୍ତି ।

ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ସେବାୟତମାନେ ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜା ଯାଇଥାଏ । ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ନେପାଳର ରାଜା, ଶ୍ରୀରାମଦାସ ମଠ ଓ ବଡ଼ଛତା ମଠ ଏହି ବେଶ ପାଇଁ ସହଯୋଗ କରିଥାନ୍ତି ।

Comments are closed.