ପ୍ରଗତିପଥେ ଶ୍ରୀକ୍ଷେତ୍ରର ରୂପରେଖ, ଭକ୍ତ ଦେଖିବେ ନୂଆ ରୂପରେ ପୁରୀ ଶ୍ରୀଜଗନ୍ନାଥ ପରିକ୍ରମା ମାର୍ଗ

ଲେଖକ: ଗୁରୁ ଚରଣ ଦାସ

ପ୍ରଗତି ପଥରେ ଆଗେଇ ଚାଲିଛି ଶ୍ରୀକ୍ଷେତ୍ରର ରୂପରେଖ। ଦେଖିବାକୁ ମିଳିଛି ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ର ଝଲକ। କିଭଳି ଭାବେ ଶ୍ରୀମନ୍ଦିର ଚୌହଦୀ ରୂପରେଖ ବଦଳାଯିବ, ତା’ର ଚିଠା ଡିଜାଇନ୍ ୨୦୧୯ରେ ପ୍ରସ୍ତୁତ କରାଯାଇଥିଲା। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିଠା ଡିଜାଇନ୍ ର ଲୋକାର୍ପିତ କରିଥିଲେ।

ଡିଜାଇନରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ନବକଳେବର ରୂପ ଦେଖିବାକୁ ମିଳିଥିଲା। ଏହି ଡିଜାଇନରେ ଆଖି ଝଲସିଲା ପରି ସୌନ୍ଦର୍ଯ୍ୟକରଣର ଚିତ୍ର ଉପସ୍ଥାପନ କରାଯାଇଥିଲା। ସବୁଠି ଶ୍ରୀଜଗନ୍ନାଥ କଳା ସଂସ୍କୃତି ଓ ପ୍ରାଚୀନ ଓଡ଼ିଆ କଳାର ଝଲକ ରହିଥିଲା। ଏହି ଡିଜାଇନ ଆଧାରରେ ଶ୍ରୀମନ୍ଦିର ଚୌହଦୀରେ ଦେଖିବାକୁ ମିଳିବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଦଶାବତାରର ଚିତ୍ର ଓ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଅନେକ ତଥ୍ୟ। ଏହି ଡିଜାଇନରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପାଖରେ ଅତି ପ୍ରଶସ୍ତ ପରିକ୍ରମା ମାର୍ଗ, ମାର୍ଗ କଡ଼ରେ ସୃଷ୍ଟି ହେବ ସବୁଜ ବଳୟ। ଭକ୍ତମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ରହିବ। ଯାତ୍ରୀମାନଙ୍କ ହାତ ପାଦ ପ୍ରକ୍ଷାଳନ ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା,ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହ ପିଇବା ପାଣି ଓ ଶୌଚାଳୟର ବି ବିକାଶ କରାଯିବ। ରଥଚକଡ଼ାରେ ଆକର୍ଷଣୀୟ ଝୋଟି ଚିତା, ଭକ୍ତ ଉପଯୋଗୀ ନୂଆ ବ୍ୟାରିକେଡ୍, ପଥଚାରୀଙ୍କ ପାଇଁ ବଡ଼ଦାଣ୍ଡ ରେ ସ୍ଵତନ୍ତ୍ର କରିଡର, ଆଲୋକମାଳାରେ ସୁସଜ୍ଜିତ ହେବ ମେଘନାଦ ପାଚେରି ।

ଏହା ସହ ଏଠାରେ ରହିବ ପାଠାଗାର, ଶ୍ରୀମନ୍ଦିର ଚୌହଦୀ ପ୍ରବେଶ ପଥ, ଧ୍ୟାନ ସ୍ଥଳ, ପ୍ରଦର୍ଶନୀ ଆର୍ଟ ପ୍ୟାଭିଲିୟନ୍, ଦର୍ଶନ ଟାଓ୍ଵାର, ବଟାନିକାଲ ପାର୍କ, ଖାଦ୍ୟ ସାମଗ୍ରୀ ଷ୍ଟଲ, ବସିବା ପାଇଁ ସ୍ଥାନ, ତର୍ପଣ ସ୍ଥଳ, ପଦ୍ମ ପୋଖରୀ ।

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ୮୦୦ କୋଟି ଟଙ୍କାର ପ୍ରକଳ୍ପ । ୩୦ ଡିସେମ୍ବର ୨୦୧୯ରେ ପ୍ରକଳ୍ପର ଚିଠା ପ୍ରସ୍ତୁତ ହୋଇଥିଲା । ଜୁନ ପହିଲାରୁ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ ଆରମ୍ଭ ହୋଇଥିଲା। ଐତିହ୍ୟ କରିଡରକୁ ୯ ଭାଗରେ ବିଭକ୍ତ କରାଯାଇଛି । ସବୁଜମିକୁ ମହାପ୍ରଭୁ ଙ୍କ ନାଁରେ ନାମିତ କରାଯିବା ପାଇଁ ନିଷ୍ପତ୍ତି ଚୂଡାନ୍ତ ହୋଇଛି । ତେବେ ଶ୍ରୀମନ୍ଦିର ଚାରିପାଖର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଅତୀତରେ ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ କରାଯାଇଛି ।

ଗତବର୍ଷ ଲୋକସେବା ଭବନରେ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡରର ଚିଠା ଆର୍କିଟେକଚୁଆଲ୍ ପ୍ଲାନ ଲୋକାର୍ପିତ କରାଯାଇଥିଲା। ଏହି ଚିଠା ଡିଜାଇନ୍ ସମ୍ପର୍କରେ ଜନସାଧାରଣ ସେମାନଙ୍କ ମୂଲ୍ୟବାନ ମତାମତ ଇ-ମେଲ୍ ([email protected]) ଜରିଆରେ ଆସନ୍ତା ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପଠାଇବା ପାଇଁ ନିବେଦନ କରାଯାଇଥିଲା । ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଗତ ଫେବ୍ରୁଆରୀ ମାସରେ ଚୂଡ଼ାନ୍ତ ଆର୍କିଟେକଚୁଆଲ୍ ଡିଜାଇନ୍ ପ୍ରକାଶ ପାଇଥିଲା ।

ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତି ବିଶେଷମାନେ ଜମି ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁଙ୍କ କାର୍ଯ୍ୟପାଇଁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷଙ୍କ ନାମ ଏହି ଐତିହ୍ୟ କରିଡର ର ଏକ ଫଳକରେ ସବୁଦିନ ପାଇଁ ସ୍ଥାନିତ ହୋଇ ରହିବ । ସେହିପରି ଐତିହ୍ୟ କରିଡର ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ । ତେବେ ଏହି ପ୍ରକଳ୍ପ ପାଇଁ ସେ ରାଜ୍ୟବାସୀ ବିଶେଷ କରି ପୁରୀବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ଶ୍ରୀମନ୍ଦିରର ଚାରିପାଶ୍ୱର୍ରେ ମେଘନାଦ ପାଚେରିରୁ ୭୫ ମିଟର ପର୍ଯ୍ୟନ୍ତ ବିକାଶର ନକ୍ସା ଟଣାଯାଇଛି । ଶ୍ରୀମନ୍ଦିରର ସୁରକ୍ଷା ଓ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଖ୍ୟାତିସମ୍ପନ୍ନ ବୃତ୍ତିଧାରୀମାନଙ୍କୁ ଦେବା ପାଇଁ ସ୍ଥିର କରାଯାଇଛି ।

ଯୋଜନା ମୁତାବକ, ଶ୍ରୀମନ୍ଦିର ଚୌହଦୀର ରୂପରେଖ ବଦଳିଯିବ। ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଲକ୍ଷଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି। ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସେମାନେ ଯେପରି ପୁରୀରୁ ପବିତ୍ର ଅନୁଭୂତି ନେଇ ଫେରିବେ, ତା’ ଉପରେ ଏକ ପାରିପାଶ୍ୱିର୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।
ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ ରହିବ। ଶ୍ରୀ ମନ୍ଦିର ଚାରିପାଖ ବୁଲିବା ପାଇଁ ପରିକ୍ରମା ରହିବ। ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକୀକରଣ, ସିସିଟିଭି ବ୍ୟବସ୍ଥା ରହିବ। ପିଇବା ପାଣି ଓ ଶୌଚାଳୟର ସୁବିଧା ରଖାଯିବ। ଶ୍ରୀମନ୍ଦିର ଚାରିପାଖରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଓ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ବାବଦରେ ଯାତ୍ରୀମାନଙ୍କୁ ଅବଗତ କରିବା ପାଇଁ ବ୍ୟବସ୍ଥା ରହିବ । ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା, ସଂସ୍କୃତି ଝଲସିବ। ଚିଠା ଡିଜାଇନ୍ ବାବଦରେ ଭୂମିପତ୍ର ଆର୍କିଟେକଚର ସଂସ୍ଥାର ଆଲୋକ ସେଟ୍ଟୀ ଚିତ୍ର ଓ ଭିଡିଓ ମାଧ୍ୟମରେ ବିସ୍ତୃତ ବିବରଣୀ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରିଥିଲେ।

ଏକ ଆଧ୍ୟାତ୍ମିକ ପରିବେଶରେ ଶ୍ରୀମନ୍ଦିର ଶୋଭା ବର୍ଦ୍ଧନ କରିବ। ସବୁଜିମାରେ ଭରପୂର ହେବ ଶ୍ରୀମନ୍ଦିର ଚାରିପାଖ। ଶାନ୍ତ ପରିବେଶ, ଶୀତଳ ପବନ ଆଉ ସବୁଜ ଗଛରୁ ଛାଇ ଫାଙ୍କରୁ ଭକ୍ତ ଦେଖିବେ ବଡ଼ ଦେଉଳର ପତିତପାବନ ବାନା। ଗଛଛାଇ ତଳେ ଏକ ଶାନ୍ତ ପରିବେଶ ରେ ବସି କାଳିଆ ଠାକୁରଙ୍କୁ ଦର୍ଶନ କରିବେ ଭକ୍ତ। ପୁରୀର ଐତିହ୍ୟ କରିଡର ବିକାଶ ପାଇଁ ଶ୍ରୀମନ୍ଦିର ଚାରିପାଖର ନକ୍ସା ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି।

ଶ୍ରୀମନ୍ଦିରର ଚାରୋଟି ଦ୍ୱାରର ନକ୍ସା ବି ବଦଳିଯିବ। ପ୍ରତିଦ୍ୱାର ସାମ୍ନାରେ ରଙ୍ଗବେରଙ୍ଗର ଫୁଲ ଗଛ ସହ ଭକ୍ତଙ୍କ ବସିବା ପାଇଁ ପଥରରେ ବେଞ୍ଚ ପଡ଼ିବ। ଭକ୍ତମାନେ ଜଗନ୍ନାଥ ଦର୍ଶନ ସାରି ଗଛ ମୂଳେ ଶାନ୍ତିରେ ବସି ଶ୍ରୀମନ୍ଦିରର ପରିବେଶକୁ ଉପଭୋଗ କରି ପାରିବେ।

ଭଗବାନଙ୍କ ଓ ଭକ୍ତଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ପାଇଁ ମଧ୍ୟ ଶ୍ରୀମନ୍ଦିର ବାହାରେ ଧ୍ୟାନସ୍ଥଳୀ ରହିବ। ଏହା ସହ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାକୁ ଏକ ବିଶ୍ୱସ୍ତରୀୟ ପାଠାଗାର ରହିବ।

ଦୂରରୁ ବଡ଼ ଦେଉଳ ଓ ନୀଳଚକ୍ର ଦର୍ଶନ ପାଇଁ ଏକ ଟାୱାର ପରିକଳ୍ପନା ରହିଛି। ଔଷଧୀୟ ଗଛ ସହ ଏକ ଛୋଟ ଜଙ୍ଗଲ ସୃଷ୍ଟି କରାଯିବ। ଭୋଗ ବିକ୍ରି, ଖାଦ୍ୟ ବିକ୍ରି ପାଇଁ ବି ବ୍ୟବସ୍ଥା ହେବ। ତେବେ ମନ୍ଦିର ଚାରି ଦ୍ୱାର ଭିତରୁ ଗୋଟିଏ ଦ୍ୱାର ପାଖରେ ପଦ୍ମ ପୋଖରୀ ତିଆରି ହେବ।

ସବୁଠାରୁ ବଡ଼ କଥା ହେଉଛି ବଡ଼ଦାଣ୍ଡରେ ତିନି ରଥ ରହିବା ପାଇଁ ସ୍ବତନ୍ତ୍ର ସ୍ଥାନ କରାଯିବ। ଭକ୍ତ କିଭଳି ରଥଯାତ୍ରାରେ ତିନି ରଥକୁ ସୁରୁଖୁରରେ ଟାଣି ନେବେ ତାହା ପାଇଁ ବ୍ୟବସ୍ଥା କରାଯିବ। ତେବେ ଦେଉଳ ଭିତରକୁ ଯିବାକୁ ପ୍ରସ୍ତୁତ ହୋଇଥିବା ବ୍ୟାରିକେଟ କାମ ଇତି ମଧ୍ୟରେ ଶେଷ ହୋଇଥିବା ବେଳେ ଆଗକୁ ପରିକଳ୍ପନା କରାଯାଇଥିବା ସମସ୍ତ କାମ ନିଷ୍ଠାର ସହିତ ଆଗେଇ ଚାଲିଛି। ଯାହାକି ବଡ଼ଦାଣ୍ଡର ଭିନ୍ନଏକ ଚିତ୍ର ଭକ୍ତଙ୍କୁ ଶ୍ରୀକ୍ଷେତ୍ର ଆସିବାକୁ ଅଧିକ ଆକର୍ଷିତ କରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଞ୍ଚମ ପାଳି ଶାସନ କାଳ ଭିତରେ ଓଡ଼ିଆ ଜାତିକୁ ନୂତନ ଭେଟି ପ୍ରଦାନ କରିବାକୁ ଯାଉଛନ୍ତି। ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ନବକଳେବର ରୂପ ନିକଟରେ ସମସ୍ତଙ୍କୁ ଦେଖିବାକୁ ମିଳିବ। ଏଥିରେ ରହିଛି ଆଖିଝଲସା ସୌନ୍ଦର୍ଯ୍ୟକରଣର ଚିତ୍ର। ସବୁଠି ଭରି ରହିବ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ କଳାର ନିଛକ ଚିତ୍ର । ଶ୍ରୀମନ୍ଦିର ଚୌହଦୀରେ ଏବେ ଶ୍ରୀଜଗନ୍ନାଥ ପରିକ୍ରମା ମାର୍ଗ ଦେଖିବାକୁ ମିଳିବ । ଏଥିପାଇଁ ବୈଦିକ ରୀତିରେ ଯଜ୍ଞାନୁଷ୍ଠାନ ନଭେମ୍ବର ୨୧ ଅର୍ଥାତ ମାର୍ଗଶିର କୃଷ୍ଣ ଦ୍ଵିତୀୟା ତିଥିରେ ଗଜପତି ମହାରାଜା ବ୍ରାହ୍ମଣ ବରଣ କରି ଗୁଆ ଟେକିଛନ୍ତି। ଅଙ୍କୁରାରୋପଣ ପରେ ନଭେମ୍ବର ୨୨ ରୁ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ଦିନ ଏହି ପବିତ୍ର ମାର୍ଗର ଗଜପତି ମହାରାଜା ଶିଳାନ୍ୟାସ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିବେ। ତାଙ୍କର ଏ କାଳଜୟୀ ପ୍ରଚେଷ୍ଟା ପ୍ରଭୁ ଶ୍ରୀଜଗନ୍ନାଥ ସଫଳ କରିବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବର ସୁରକ୍ଷା ହେଉ ଏହାହିଁ ଆମର କାମନା।

Comments are closed.