ଇଲେକ୍ଟ୍ରୋନିକ ଶିଳ୍ପରେ ଅଗ୍ରଣୀ ରାଜ୍ୟ ହେବ ଓଡିଶା, ଇଲେକ୍ଟ୍ରୋନିକ ନୀତି ୨୦୨୧କୁ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର – ଓଡିଶା ଇଲେକ୍ଟ୍ରୋନିକ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ରାଜ୍ୟରେ ଇଲେକ୍ଟ୍ରୋନିକ ଶିଳ୍ପର ପ୍ରସାର ନିମନ୍ତେ ଏହି ନୀତିର ଉଦ୍ଦେଶ୍ୟ । ପ୍ରଥମ ୧୦ଟି ନୂଆ ନିବେଶ ଓ ସଂପ୍ରସାରଣକୁ ମିଳିବ ଉତ୍ପାଦନ ଭିତ୍ତିକ ସହାୟତା । ସହାୟତା ବାବଦରେ ବାର୍ଷିକ କାରବାରର ୧ ପ୍ରତିଶତ ଉତ୍ପାଦନ ୫ ବର୍ଷ ଯାଏଁ ମିଳିବ । ୨୦୨୬ ସୁଦ୍ଧା ଓଡିଶାକୁ ଇଲେକ୍ଟ୍ରୋନିକ ଶିଳ୍ପରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ହେଉଛି ନୂଆ ନୀତିର ଲକ୍ଷ୍ୟ । ଇଏସଡିଏମ ଯୁନିଟଗୁଡିକୁ ସେମାନଙ୍କର ପୁଞ୍ଜିନିବେଶ ଆଧାରରେ ୧୦ କୋଟିରୁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଉଦ୍ୟୋଗଗୁଡିକୁ ବିଦ୍ୟୁତ ଶୁଳ୍କ ୫ ବର୍ଷ ପର୍ଯ୍ୟନ୍ତ ଛାଡ କରାଯିବ । ଯୋଗ୍ୟ ଉଦ୍ୟୋଗଗୁଡିକୁ ବିଦ୍ୟୁତ ବିଲ୍‌ର ୩୦ ପ୍ରତିଶତ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ କରାଯିବ । ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ବେଳେ ଷ୍ଟାମ୍ପ ଡ୍ୟୁଟି ୧୦୦ ପ୍ରତିଶତ ଓ ଦ୍ୱିତୀୟ ଥର ପାଇଁ ୫୦ ପ୍ରତିଶତ ଛାଡ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦ ପ୍ରତିଶତ ଯୋଗାଇ ଦିଆଯିବ । ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗମାନଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧ କୋଟି ଯାଏଁ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । ସ୍ଥାନୀୟ ଅଂଚଳର ଉଦ୍ୟୋଗମାନଙ୍କୁ ଅଗ୍ରାଧିକାର ଦିଆଯିବ । ଯେଉଁ ଉଦ୍ୟୋଗମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବେ,ସେମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।

Comments are closed.