ଆଉ ଏକ ହକି ମହାସମର ପାଇଁ କଳିଙ୍ଗ ପ୍ରସ୍ତୁତ, ଆଜିଠାରୁ ଆଇକନିକ୍ ଷ୍ଟାଡିୟମରେ ଜୁନିଅର ବିଶ୍ୱକପ୍ ହକି

ଭୁବନେଶ୍ୱର- ଆଇକନିକ କଳିଙ୍ଗ ହକି ଷ୍ଟାଡିୟମରେ ପୁଣି ଥରେ ହକି ମହୋତ୍ସବ । ବିଶ୍ୱର ସବୁଠାରୁ ଲୋକପ୍ରିୟ ହକି ଷ୍ଟାଡିୟମରେ ବଛା ବଛା ଦଳ ମଧ୍ୟରେ ଆଉ ଏକ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ କ୍ଷେତ୍ର ପ୍ରସ୍ତୁତ । ଚାମ୍ପିଅନସ ଟ୍ରଫି ଓ ବିଶ୍ୱକପ୍ ହକି ଭଳି ବଡ ବଡ ପ୍ରତିଯୋଗିତା ଆୟୋଜନ କରିସାରିଥିବା କଳିଙ୍ଗରେ ଏଥର ଜୁନିଅର ବିଶ୍ୱକପ୍ ଆୟୋଜନ ହେବ । ଆଜିଠାରୁ ଆରମ୍ଭ ହେଉଛି ଏହି ବହୁ ପ୍ରତୀକ୍ଷିତ ପ୍ରତିଯୋଗିତା । ଭାଗ ନେଉଛନ୍ତି ୧୬ଟି ଦଳ । ୪ଟି ଗ୍ରୁପ୍‌ରେ ୧୬ଟି ଦଳକୁ ବିଭକ୍ତ କରାଯାଇଛି । ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ଲଗାତର ଦ୍ୱିତୀୟ ଥର ଭାରତରେ ଆୟୋଜନ ହେଉଛି ଜୁନିଅର ବିଶ୍ୱକପ୍ ହକି । ୨୦୧୬ରେ ଲକ୍ଷ୍‌ନୌରେ ଆୟୋଜିତ ବିଶ୍ୱକପରେ ଭାରତୀୟ ଜୁନିଅର ଦଳ ଚାମ୍ପିଅନ ହୋଇଥିଲା । ଆଉ ଏଥର କଳିଙ୍ଗରେ ଭାରତ ଟାଇଟଲ ଡିଫେଣ୍ଡ୍ କରିବା ଲକ୍ଷ୍ୟରେ ଓହ୍ଲାଇବ । ଭାରତ ପୁଲ୍ ବି ରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହ ସ୍ଥାନ ପାଇଛି ।

କୋରୋନା କାରଣରୁ ଏଥର କଳିଙ୍ଗ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାର ରୋମାଂଚରୁ ବଂଚିତ ହେବେ ହକିପ୍ରେମୀ । ଟୁର୍ଣ୍ଣାମେଂଟର ସବୁଠାରୁ ସଫଳ ଦଳ ଜର୍ମାନୀ, ବେଲଜିୟମ, ଆର୍ଜେଂଟିନା ଭଳି ଶକ୍ତିଶାଳୀ ଦଳ ଏହି ବିଶ୍ୱକପରେ ଭାଗ ନେଉଛନ୍ତି । ପାକିସ୍ତାନ ମଧ୍ୟ ଏଥିରେ ଭାଗ ନେଉଛି ।

ଜୁନିଅର ବିଶ୍ୱକପ୍ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଜଧାନୀର ୧୦ଟି ହୋଟେଲରେ ଖେଳାଳିମାନଙ୍କ ରହଣୀ ବ୍ୟବସ୍ଥା କରାଯାଇଛି । ହୋଟେଲ୍‌, ଷ୍ଟାଡିୟମ, ଖେଳାଳି ଓ ରୁଟ୍ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୋରୋନା ଦୃଷ୍ଟିରୁ ଖେଳାଳିଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି ।

ଡିସେମ୍ବର ୫ ତାରିଖ ଯାଏଁ ଚାଲିବ ପ୍ରତିଯୋଗିତା ।

Comments are closed.