୬୨୨ କୋଟିରେ ବିଶୁଦ୍ଧ ପାଣି ପାଇବେ ଗଜପତି ଜିଲ୍ଲାର ୯୦ଟି ପଞ୍ଚାୟତବାସୀ

ପାରଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ପାଇଁ ସବୁବେଳେ ସ୍ଵତନ୍ତ୍ର ଦୃଷ୍ଟି ରଖି ଆସିଛନ୍ତି। ସେ ମହାବାତ୍ୟା ବିପର୍ଯ୍ୟୟ ହେଉ ବା ଅନ୍ୟ କୌଣସି ସମସ୍ୟା, ଜିଲ୍ଲାବାସୀଙ୍କ ସାଙ୍ଗରେ ସବୁବେଳେ ନିଜକୁ ଯୋଡ଼ି ଆସିଛନ୍ତି ସାରା ଓଡ଼ିଶାର ଏହି ପ୍ରିୟ ନେତା। ଆଉ ଏବେ ଗଜପତି ଜିଲ୍ଲାର ୪ଟି ବ୍ଲକ୍‌ ଅନ୍ତର୍ଗତ ୯୦ ଗୋଟି ପଞ୍ଚାୟତର ବାସିନ୍ଦାଙ୍କ ଦୁଃଖ ଶୁଣିଛନ୍ତି ସେ। ସେମାନେ ଭୋଗୁଥିବା ବିଶୁଦ୍ଧ ପାନୀୟ ଜଳ ସଙ୍କଟ ଦୂର କରିବାକୁ ୪ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ୬୨୨ କୋଟି ଟଙ୍କାର ଅନୁଦାନ ମଧ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିପାଇଁ ଜିଲ୍ଲାବାସୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆଦିବାସୀ ବହୁଳ, ପାହାଡ଼ ଜଙ୍ଗଲ ଭରା ଗଜପତି ଜିଲ୍ଲାରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ତଥାପି ଜିଲ୍ଲାବାସୀଙ୍କୁ ରାଜ୍ୟର ବିଜେଡି ସରକାର ଯାବତୀୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଛି। ନିକଟରେ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ। ଏହା ଜିଲ୍ଲାର ୧.୩୫ ଲକ୍ଷ ହିତାଧିକାରୀ ପରିବାର ଯାହା ଜିଲ୍ଲାର ମୋଟ ଜନସଂଖ୍ୟାର ୯୦ ପ୍ରତିଶତ ଅଟେ ସେମାନଙ୍କ ପାଇଁ ଦଶହରା ଭେଟି ସଦୃଶ ଥିଲା। ଏଥିସହ ୮୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ବା ଶିଳାନ୍ୟାସ କରିଥିଲେ। ସେହି କ୍ରମରେ ମୋହନା, ଆର୍‌.ଉଦୟଗିରି, ଗୁମ୍ମା ଓ ନୂଆଗଡ଼ ବ୍ଲକର ୯୦ଟି ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୯୦୦ ଗାଁର ବାସିନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାଁ ଲୋକଙ୍କୁ ପାଇପ୍‌ ଯୋଗେ ପିଇବା ପାଣି ଘରେ ଘରେ ପହଞ୍ଚାଯିବ। ସେମାନଙ୍କୁ ଆଉ ପିଇବା ପାଣି ଆଣିବା ପାଇଁ ଚାଲି ଚାଲି, ଜଙ୍ଗଲ ଓ ପାହାଡ଼ିଆ ରାସ୍ତାରେ ଦୂରତା ଅତିକ୍ରମ କରିବାକୁ ପଡ଼ିବନି କିମ୍ବା ନଈ, ନାଳ, ଝରଣାର ପାଣି ଉପରେ ନିର୍ଭରଶୀଳ ରହିବାକୁ ହେବନି। ମୋହନା ବ୍ଲକ୍‌ର ୩୯ଟି ପଞ୍ଚାୟତ, ନୂଆଗଡ଼ ବ୍ଲକ୍‌ର ୧୯ଟି, ଆର୍.ଉଦୟଗିରି ବ୍ଲକ୍‌ର ୧୭ଟି ଓ ଗୁମ୍ମା ବ୍ଲକ୍‌ର ୫ଟି ପଞ୍ଚାୟତ ଅନ୍ତର୍ଗତ ଶହ ଶହ ଗାଁର ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ।

ପୂର୍ବରୁ ଅଞ୍ଚଳବାସୀ ପିଇବା ପାଣି ପାଇଁ ନିଜେ ଓ ନିର୍ବାଚିତ ଜନପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ତାହାକୁ ଶୁଣି, ଜାଣି, ବୁଝିପାରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପାରଳାଖେମୁଣ୍ଡିସ୍ଥିତ ରାଧାରାଣୀ କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ। ଉଲ୍ଲେଖଯୋଗ୍ୟ ଯେ ଏଠାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ଜିଲ୍ଲା ପରିଷଦ ଜୋନ୍ ବୈଠକ ହୋଇଥିଲା। ସେଠାରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପ୍ରତିଟି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ସମର୍ଥନ ଓ ସହଯୋଗ ହାସଲ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦିଆଯାଇଥିଲା। ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲାବାସୀଙ୍କ ପାଇଁ ଏହି ଖୁସି ଖବର ସମ୍ପର୍କରେ ଅବଗତ କରାଇଥିଲେ ବିଜେଡି ପର୍ଯ୍ୟବେକ୍ଷକ। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପାରଳା ରାଜକୁମାରୀ କଲ୍ୟାଣୀ ଗଜପତି ଏବଂ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ ଉପସ୍ଥିତ ଥିଲେ। ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି ଦର୍ଶାଯାଇ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇ ଥିଲା।

Comments are closed.