କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ଦର ନକମାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ : ବିଜେଡି

ଭୁବନେଶ୍ୱର : ରନ୍ଧନ ଗ୍ୟାସର ଦରବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ୨୨,୨୩ ଓ ୨୪ ତାରିଖରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା , ତାହାକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଛନ୍ତି । ପ୍ରଥମେ ସେଥିପାଇଁ ଦଳ ତରଫରୁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ବିଜେଡିର ତିନି ବିଧାୟକ ବ୍ୟୋମକେଶ ରାୟ , ପ୍ରଣବ ବଳବନ୍ତରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ । ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ତିନି ବିଧାୟକ କହିଛନ୍ତି ଯେ ବିଶ୍ଵର କୌଣସି ଦେଶରେ କେବେବି ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ପରିମାଣରେ ବଢି ନାହିଁ । ୨୦୧୪ରେ ଯେତେବେଳେ ଏହି ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ସେତେବେଳେ ଗ୍ୟାସ ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା । ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢି ୯୩୦ ଟଙ୍କା ଛୁଇଁଲାଣି । କରୋନା ଭଳି ମହାମାରୀ ସଂକଟ ବେଳେ ପ୍ରତି ମାସରେ ୨୫/୫୦/ ୭୫ ଟଙ୍କା ପର୍ଯ୍ୟନ୍ତ ବଢାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରାଯାଉଛି । ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି କରି କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇ ସାରିଲେଣି । ଲୋକେ ତ୍ରାହି ତ୍ରାହି ଡାକିଲେଣି ଓ ଏହାର ପ୍ରତିବାଦରେ ବିଜୁ ଜନତା ଦଳର ଡାକରାରେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ‘ ଓଲଟା ବିଜେପିର ରାଜ୍ୟ ନେତୃବୃନ୍ଦ ସରକାରକୁ ବଞ୍ଚାଇବା ଲାଗି ମିଛର ସାହାରା ନେଉଛନ୍ତି ଓ ହାସ୍ୟାସ୍ପଦ ଯୁକ୍ତି ବାଢ଼ୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଯାଇ କହୁଛନ୍ତି , ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ୍‌ ଓ ଅଶୋଧୂତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍‌ ଦର ବଢୁଛି । ମାତ୍ର ବାସ୍ତବତା ହେଲା ; ୨୦୧୪ରେ ଆନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସର ଦର ୬ ଡଲାର ବିଟିୟୁ ( ବ୍ରିଟିଶ୍ ଥର୍ମାଲ ୟୁନିଟ୍ ) ଥିଲାବେଳେ ଏବେ ତାହା ୫.୮ ଡଲାରକୁ କମିଯାଇଛି । ଠିକ୍ ସେମିତି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧ୍ଵତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିଲାବେଳେ ଏବେ ଏହା ୭୮ ଡଲାର ରହିଛି । ଉଭୟ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧୀତ ତୈଳର ଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲାବେଳେ ରନ୍ଧନ ଗ୍ୟାସ୍‌ ଦର ୧୨୩ % ବଢିବାର ଯଥାର୍ଥତା କେଉଁଠି ବୋଲି ବିଜେଡିର ତିନି ନେତା ପ୍ରଶ୍ନ କରିଛନ୍ତି ।

ଅନୁରୂପ ଭାବେ ଉଜ୍ଜ୍ବଳା ଯୋଜନା ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଲୋକଙ୍କୁ ମିଛ ସଫଳତାର କାହାଣୀ ଶୁଣାଇ ଚାଲିଛନ୍ତି । ଏହି ଯୋଜନାକୁ ବହୁ ଆଡ଼ମ୍ବରରେ ଆରମ୍ଭ କଲାବେଳେ ସରକାର କେତେ ସ୍ଵପ୍ନ ଦେଖାଇଥିଲେ । ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲିମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କହିଥିଲେ । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଉଜ୍ଜ୍ବଳା ଯୋଜନାର ଅଧିକାଂଶ ହିତାଧିକାରୀ ମହିଳା ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରି ନପାରି ପୁଣି ଚୁଲିମୁଣ୍ଡକୁ ଫେରି ଯାଇଛନ୍ତି । ଏ ସବୁ ପ୍ରତିଶ୍ରୁତି ଯେ ଫମ୍ପା ଥୁଲା , ତାହା ସେମାନେ ବୁଝି ସାରିଲେଣି । ତେଣୁ ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ ଜବାବ ଦେବେ । ବିଜୁ ଜନତା ଦଳ ସବୁବେଳେ ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ କାମ କରି ଆସୁଛି । ଏହି ପରିପ୍ରେକ୍ଷୀରେ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନର ଡାକରା ଦିଆଯାଇଥିଲା । ଚଳିତ ମାସ ୨୨ , ୨୩ , ୨୪ ଗତ ୩ ଦିନ ଧରି ଦଳ ପକ୍ଷରୁ ରାଜ୍ୟ ସାରା ଯେଉଁଭଳି ଭାବେ ମହିଳା , ଯୁବକ , ଛାତ୍ର ଓ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି , ତାହା ଅଭୂତପୂର୍ବ । ଏଥିପାଇଁ ଆମେ ରାଜ୍ୟବାସୀଙ୍କୁ ପୁଣିଥରେ ଧନ୍ୟବାଦ ଜଣାଉଛି ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.