ଶ୍ରୀକ୍ଷେତ୍ରର ଐତିହ୍ୟ ଦରିଆ ମହାବୀର

ଶ୍ରୀଜଗନ୍ନାଥ ମହାପ୍ରଭୁ ଲୀଳାମୟ l ତାଙ୍କ ଲୀଳା ବଡ଼ ବିଚିତ୍ର l ଶ୍ରୀକ୍ଷେତ୍ର, ମହୋଦଧି କୂଳରେ ଥିବା ହେତୁ ବହୁ ସମୟରେ ଭୟଙ୍କର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥାଏ l କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ି ଥାଏ ଯେ ସମୁଦ୍ର କେବେହେଲେ କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରେ ନାହିଁ l ଅତୀତରେ ଫନି ଭଳି ପ୍ରବଳ ଝଡ଼ ବାତ୍ୟା ଦ୍ୱାରା ଶ୍ରୀକ୍ଷେତ୍ର ଧ୍ୱସ୍ତବିଧ୍ୱସ୍ଥ ହୋଇଥିଲେ ମଧ୍ୟ ସମୁଦ୍ରର ଜଳ କୂଳ ଲଙ୍ଘନକରି ସହରକୁ ପ୍ରବେଶ କରି ନଥିଲା l ହୁଏତ ଏହାର କିଛି ବୈଜ୍ଞାନିକ କାରଣ ଥାଇପାରେ l କିନ୍ତୁ ପୌରାଣିକ କଥାବସ୍ତୁ ଆଧାରରେ କିଛି ଅଲୌକିକ କଥା ରହିଛି l

କିମ୍ବଦନ୍ତୀ ଅନୁସାରେ ସାଗରରାଜ ବରୁଣ ମହା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆସୁଥିଲେ l ଏଣୁ ବାରମ୍ବାର ସମୁଦ୍ର,କୂଳ ଲଙ୍ଘନ କରୁଥିଲା ଏବଂ ଶ୍ରୀକ୍ଷେତ୍ର ଜଳମଗ୍ନ ହେଉଥିଲା l ଏଥିରୁ ନିସ୍ତାର ପାଇଁ ଶ୍ରୀକ୍ଷେତ୍ରବାସୀ ମହାପ୍ରଭୁଙ୍କୁ ପ୍ରାର୍ଥନା କଲାରୁ ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶ କ୍ରମେ ହନୁମାନ,ସମୁଦ୍ର କୂଳ ଚକ୍ରତୀର୍ଥ ନିକଟରେ କଡ଼ା ପହରାଦେଇ ଶ୍ରୀକ୍ଷେତ୍ର ମଧ୍ୟକୁ ସାଗରରାଜ ବରୁଣଙ୍କର ପ୍ରବେଶକୁ ପ୍ରତିହତ କଲେ l ଫଳରେ ଶ୍ରୀକ୍ଷେତ୍ର ମଧ୍ୟକୁ ଦରିଆ ଜଳର ପ୍ରବେଶ ରୋକା ଯାଇ ପାରିଲା l ଏହା ପର ଠାରୁ ଲୋକ ମାନେ ଚକ୍ରତୀର୍ଥ ନିକଟରେ ଥିବା ମହାବୀର ହନୁମାନଙ୍କୁ ଶ୍ରଦ୍ଧାରେ ‘ଦରିଆ ମହାବୀର’ ଆଖ୍ୟା ଦେଲେ l

ଦିନେ ଦରିଆ ମହାବୀର ଖୁଆମଣ୍ଡା ବା ଅମୃତ ଲଡୁ ଖାଇବାପାଇଁ ଶ୍ରୀଜଗନ୍ନାଥଙ୍କ ବିନାନୁମତିରେ ଅଯୋଧ୍ୟା ଚାଲି ଯାଇଥିଲେ l ମହାପ୍ରଭୁ,ହନୁମାନ ନାହାଁନ୍ତି ବୋଲି ସମ୍ପୂର୍ଣ ଅଜ୍ଞ ଥିଲେ l ହନୁମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସାଗରରାଜ ବରୁଣ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ପ୍ରବେଶ କରନ୍ତେ ସମଗ୍ର ସହର ଜଳମଗ୍ନ ହୋଇଗଲା l ଜଗନ୍ନାଥ ଦରିଆ ମହାବୀରଙ୍କୁ ସ୍ମରଣ କରିବାରୁ ସେ ଲଡୁ ଖାଉଥିବା ଅବସ୍ଥାରେ ଗଦାଧରି ଆସି ପହଞ୍ଚିଗଲେ l ତାଙ୍କ ଆସିବା ଫଳରେ ଅପସରି ଗଲେ ସାଗର ରାଜ l କିନ୍ତୁ ହନୁମାନ ଲଡ଼ୁ ଖାଉଥିବା ଅବସ୍ଥାରୁ ଉଠି ଆସିଛନ୍ତି ଏକଥା ଜାଣି ପାରିଲେ ମହାପ୍ରଭୁ l ସେ ହନୁମାନଙ୍କୁ ଡାକି ଏପରି ଏକ ଅମୃତଲଡୁ ପ୍ରଦାନ କଲେ ଯାହା କେବେ ହେଲେ ସରିବନାହିଁ l ତେଣୁ ସେବେଠାରୁ ହନୁମାନ ଆଉ କେବେ ଅମୃତଲଡୁ ଖାଇବା ପାଇଁ ଅଯୋଧ୍ୟା ଗଲେ ନାହିଁ l କିନ୍ତୁ ସେ କର୍ତ୍ତବ୍ୟରେ ଅବହେଳା କରି ଥିବାରୁ ମହାପ୍ରଭୁ ତାଙ୍କୁ ଶୃଙ୍ଖଳରେ ବନ୍ଧନ କରିବା ପାଇଁ ଚାହିଁଲେ l ହନୁମାନ ତାଙ୍କର ପରମ ଭକ୍ତ l ତାଙ୍କୁ ଶୃଙ୍ଖଳରେ ବନ୍ଧନ ଅସମ୍ଭବ l ସେଇଠୁ ମହାପ୍ରଭୁ ଶୃଙ୍ଖଳ ବା ବେଡିର ପ୍ରତ୍ୟକ ଅଂଶରେ ପ୍ରଭୁ ଶ୍ରୀରାମଙ୍କ ନାମ ଉଚ୍ଚାରଣ ହେବାର ବ୍ୟବସ୍ଥା କରିଦେଲେ l ପ୍ରଭୁ ଶ୍ରୀରାମଙ୍କ ପ୍ରତି ହନୁମାନଙ୍କର ଥିଲା ଅଚଳା ଭକ୍ତି ଯେଉଁ କାରଣରୁ ହନୁମାନ ରାମନାମ ଉଚ୍ଚାରଣ ହେଉଥିବା ବେଡିକୁ ଛିଣ୍ଡାଇ ପାରିଲେନାହିଁ lସେହି ଦିନ ଠାରୁ ଶ୍ରୀକ୍ଷେତ୍ରର ରକ୍ଷକ ଭାବେ ସିନ୍ଧୁ ରାଜ ବରୁଣଙ୍କ ଶ୍ରୀକ୍ଷେତ୍ର ପ୍ରବେଶକୁ ପ୍ରତିରୋଧ କରିବା ପାଇଁ ସତର୍କ ପ୍ରହରୀ ଭାବେ ଚକ୍ରତୀର୍ଥ ନିକଟରେ ଅବସ୍ଥାନ କରୁଛନ୍ତି ଦରିଆ ମହାବୀର ବା ବେଡି ହନୁମାନ l ସେ ବାମ ହସ୍ତରେ ଧାରଣ କରିଛନ୍ତି ଲଡ଼ୁ ଓ ଦକ୍ଷିଣ ହସ୍ତରେ ଉତ୍ତୋଳିତ ଗଦା l

Comments are closed.