ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦୁର୍ବଳ ହେଉଛନ୍ତି ବିରୋଧୀ: ସହସ୍ରାଧିକ ନେତା, କର୍ମୀ ବିଜେଡିରେ ସାମିଲ ହେଲେ

ଗୋପାଳପୁର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେଡି ପ୍ରତି ସେତେ ସମର୍ଥନ ବୃଦ୍ଧି ପାଉଛି। ଦୀର୍ଘ ୨୧ ବର୍ଷ ଧରି ରାଜ୍ୟବାସୀଙ୍କୁ ସୁଶାସନ ଦେଇ ଆସୁଥିବା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିକାଶକୁ ସରକାର- ପ୍ରଶାସନର ମୂଳମନ୍ତ୍ର କରିଥିବା ବିଜୁ ଜନତା ଦଳ ପଟରେ କେବଳ ସାଧାରଣ ଲୋକ ନୁହଁନ୍ତି, ବରଂ ଅନ୍ୟ ପାର୍ଟିର ନେତା ଓ କର୍ମୀ ଅଧିକ ମାତ୍ରାରେ ଢଳୁଛନ୍ତି। ସେଥିପାଇଁ ତ ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳ ଛାଡ଼ି ଏବେ ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚ ପଦରେ ଥିବା ନେତା ଓ କର୍ମୀ ଶାସକ ଦଳରେ ସାମିଲ ହେବାରେ ଲାଗିଛନ୍ତି। ରବିବାର ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ ମନ୍ତ୍ରୀଡ଼ି ଠାରେ ଅନୁଷ୍ଠିତ ବିଜେଡି ଯୋଗଦାନ ପର୍ବ ଏହାର ଏକ ନଜିର ପାଲଟିଛି। ସହସ୍ରାଧିକ ନେତା ଓ କର୍ମୀ ବିଜେପି, କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ମିଶିଛନ୍ତି। ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାସ, ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଏବଂ ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ମନ୍ତ୍ରୀଡ଼ି ସରପଞ୍ଚ ପ୍ରଶାନ୍ତ ଦାସ, ଗୋଳନ୍ଥରା ସରପଞ୍ଚ ସସ୍ମିତା ଜେନା ନିଜର ଶହ ଶହ ସମର୍ଥକଙ୍କ ସହ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଏମାନଙ୍କ ସହ ବିଶ୍ବନାଥପୁର, ଗୋଳନ୍ଥରା, ଚାନ୍ଦପୁର, ପଦ୍ମପୁରରୁ ବହୁ ନେତା ଓ କର୍ମୀ ମଧ୍ୟ ଆସି ବିଜେଡିରେ ଯୋଗ ଦେଇଛନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ, ବିକାଶମୁଖୀ ଆଭିମୁଖ୍ୟ, ଲୋକପ୍ରିୟ ଜନକଲ୍ୟାଣକାରୀ ଯୋଜନା ଜରିଆରେ ରାଜ୍ୟବାସୀଙ୍କ ହିତସାଧନ ନୀତିରେ ପ୍ରେରିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ଏହାଦ୍ୱାରା ସେମାନଙ୍କ ଅଞ୍ଚଳରେ ଅଧିକ ବିକାଶର ମାର୍ଗ ମଧ୍ୟ ପ୍ରଶସ୍ତ ହେବ ବୋଲି ଆଶା ଓ ବିଶ୍ଵାସ ପ୍ରକଟ କରିଛନ୍ତି ଦୁଇ ସରପଞ୍ଚ ଓ ଅନ୍ୟ ନେତୃବୃନ୍ଦ। ଲୋକଙ୍କ ସହିତ ରହିବା ଏବଂ ଶାସକ ଦଳରେ ରହି ଲୋକଙ୍କ ସେବା କରିବାକୁ ଇଚ୍ଛୁକ ଥିବା ସେମାନେ କହିଛନ୍ତି। ନୂତନ କରି ବିଜେଡିରେ ସାମିଲ ହୋଇଥିବା ଏହି ନେତା ଓ ସେମାନଙ୍କ ସମର୍ଥକଙ୍କୁ ପାର୍ଟି ତରଫରୁ ଉଚ୍ଛର୍ସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଭର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ- ଏହି ଯୋଗଦାନ ପର୍ବ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ସାଙ୍ଗଠନିକ ପରିସରକୁ ଅଧିକ ବ୍ୟାପକ ଓ ସଶକ୍ତ କରିବ। ସେହିପରି ଡ. ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଓ ବିକାଶମୂଳକ ଆଭିମୁଖ୍ୟ ଦର୍ଶାଇ କହିଛନ୍ତି ଯେ ବିଜେଡି ସର୍ବଦା ଓଡ଼ିଶାର ବିକାଶ ସାଙ୍ଗକୁ ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷଙ୍କ ପ୍ରଗତି ପାଇଁ ଅହରହ ପ୍ରୟାସ ତଥା ସଂଗ୍ରାମ କରି ଆସୁଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ସବୁ କ୍ଷେତ୍ରରେ ଅଧିକରୁ ଅଧିକ ବିକଶିତ ହେବାରେ ଲାଗିଛି। ସକରାତ୍ମକ ପରିବର୍ତ୍ତନର ସାକ୍ଷୀ ହେଉଛନ୍ତି କୋଟି କୋଟି ଓଡ଼ିଶାବାସୀ। ବିକାଶର ଶୀର୍ଷ ସ୍ଥାନରେ ଆମ ରାଜ୍ୟକୁ ପହଞ୍ଚାଇବା ପାଇଁ ତଥା ନୂତନ ଓଡ଼ିଶା ଗଠନ ସକାଶେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଅଧିକ ଟାଣ କରିବା ଲାଗି ଏହି ଅବସରରେ ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ଵାନ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ- ନିକଟରେ ପ୍ରଥମେ ପେଟ୍ରୋଲ, ଡିଜେଲ୍‌ ସମେତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ ଗୋପାଳପୁର ନିର୍ବାଚନମଣ୍ଡଳୀରେ ବେଶ୍ ସମର୍ଥନ ପାଇଥିଲା। ଏହା ପରେ ପୁଣି ରନ୍ଧନ ଗ୍ୟାସ୍ ଦାମରେ ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ଆନ୍ଦୋଳନ ମଧ୍ୟ ସଫଳ ରହିଥିଲା। ଲୋକେ କେନ୍ଦ୍ରର ବିଜେପି ସରକାରଙ୍କ ଦରବୃଦ୍ଧି ତଥା ଜନସ୍ବାର୍ଥ ବିରୋଧୀ ନୀତିରେ ଅତିଷ୍ଠ ହୋଇ ଉଠୁଥିବା ବେଳେ କଂଗ୍ରେସ ଦଳର ଶୀର୍ଷରୁ ତୃଣମୂଳସ୍ତର ପର୍ଯ୍ୟନ୍ତ ନେତୃବର୍ଗଙ୍କ ଅପାରଗତା ଓ ଦୁର୍ବଳତା ହେତୁ ଦୁଇ ବିରୋଧୀ ଦଳରୁ ମୁହଁ ଫେରାଇବାରେ ଲାଗିଲେଣି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ମନ ଓ ହୃଦୟକୁ ଛୁଇଁବାରେ ଯେ ଦୁଇ ଦଳ ଫେଲ୍ ମାରିବେ ତାହା ଏବେଠାରୁ ଜଳଜଳ ଦିଶିଲାଣି। ଏଭଳି ସ୍ଥିତିରେ ନିଜ ଦଳ ପ୍ରତି ବିତୃଷ୍ଣ ଅନ୍ୟ ପାର୍ଟିର ନେତା ଓ କର୍ମୀ ବିଜେଡି ଦଳ ସହ ଯୋଡି ହୋଇ ଜନସେବାରେ ନିଜକୁ ନିୟୋଜିତ କରିବାକୁ ଆଗଭର ହେଉଥିବା ପରିଲକ୍ଷିତ ହେଉଛି। ବିଶେଷ କରି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ଦୁର୍ବଳତା ଓ ବିଜେପି ଦଳ ତଥା ସରକାରର ଅପାରଗତା ହେତୁ ଏବେ ବିଜେଡି ପ୍ରତି ଜନସମର୍ଥନ ଲଗାତର ବୃଦ୍ଧି ପାଇ ଚାଲିଛି। ରବିବାର ଭୈରବୀ ପୀଠ ନିକଟରେ ଅନୁଷ୍ଠିତ ଯୋଗଦାନ ପର୍ବରେ ଏହାର ଝଲକ ଦେଖିବାକୁ ମିଳିଛି।

Comments are closed.