ନିଜ ଦଳରେ ଅଲୋଡ଼ା ଅପରାଜିତା, ମୁଖ୍ୟମନ୍ତ୍ରୀ ଆଶାରେ ଧାଁ ଦୌଡ଼ ବେଳେ ନିଜ ଦଳରୁ କୁଠାରଘାତ

ଭୁବନେଶ୍ବର : ନିଜର ନିର୍ବାଚନ ମଣ୍ଡଳୀ ଭୁବନେଶ୍ବରରେ । ହେଲେ ମୁଖ୍ୟମନ୍ତ୍ରୀ ଆଶାରେ ସେ ସାରା ରାଜ୍ୟ ବୁଲି ବୁଲି ଏବେ ଠୁ ମଇଦାନ ପ୍ରସ୍ତୁତି ଆରମ୍ଭ କରୁଥିଲେ । ଠିକ୍ ଏତିକି ବେଳେ ଚଢୁଆ ମାଛର ମୁଣ୍ଡରେ ବାଡି ଭଳି ସ୍ଥିତି ସୃଷ୍ଟି ହୋଇଛି ମାଡାମ୍ ଅପରାଜିତାଙ୍କ କ୍ଷେତ୍ରରେ । ତାଙ୍କୁ ଖୋଦ୍ ତାଙ୍କ ଦଳ ଚରମ କୁଠାରଘାତ କରିଛି । ଏକପ୍ରକାର ତାଙ୍କୁ ତାଙ୍କ ନିଜର ନିର୍ବାଚନ ମଣ୍ଡଳୀରେ ହିଁ ସୀମିତ ରଖିଥିବା ସ୍ପଷ୍ଟ ହୋଇଛି ।

ଦଳର ସାଂଗଠାନିକ ବିକାଶ ପାଇଁ ଗଠିତ ରାଜ୍ୟସ୍ତରୀୟ କୋର୍ କମିଟିରେ ଅପରାଜିତାଙ୍କୁ ସାମିଲ ନ କରାଯିବା ପରେ ଏଭଳି ଆଲୋଚନା ଏବେ ସାରା ରାଜ୍ୟରେ ଜୋର୍ ଧରିଛି । ଖାଲି ସେତିକି ନୁହେଁ , ରାଜ୍ୟରେ ଦଳ ଓ ସଂଗଠନର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କମିଟି ଭାବେ ଗଠିତ ଏହି ଟିମ୍‌ରୁ ଅପରାଜିତା ବାଦ୍ ପଡିବା ଘଟଣା ତାଙ୍କ ଦଳରେ ଥିବା ତାଙ୍କ ବିରୋଧୀଙ୍କୁ ସମାଲୋଚନାର ଖୋରାକ୍ ଯୋଗାଇଛି ।

ସୋମବାର ବିଜେପି ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଆଖି ଆଗରେ ରଖି ତାର କୋର୍ ଟିମ୍ ଗଠନ କରିଛି । ଏଥିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ରାଜ୍ୟ ପ୍ରଭାରୀ ଡି , ପୁରନ୍ଦେଶ୍ଵରୀ ଏବଂ ସହ ପ୍ରଭାରୀ ବିଜୟପାଲ ତୋମରଙ୍କ ସମେତ ୧୭ ଜଣଙ୍କୁ ସ୍ଥାନ ମିଳିଛି । ସେଥିରେ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଅଶ୍ବିନୀ ବୈଷ୍ଣବ ଏବଂ ବିଶ୍ଵେଶ୍ଵର ଟୁଡୁଙ୍କ ସମେତ ରାଜ୍ୟ ସଭାପତି ସମୀର ମହାନ୍ତି , ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , ସାଂସଦ ଜୁଏଲ ଓରାମ , ପ୍ରତାପ ଷଡଙ୍ଗୀ , ସୁରେଶ ପୂଜାରୀ , ବସନ୍ତ ପଣ୍ଡା , ରାଜ୍ୟ ସଂଗଠନ ସଂପାଦକ ମାନସ ମହାନ୍ତି , ବରିଷ୍ଠ ନେତା ମନମୋହନ ସାମଲ , କେଭି ସିଂହଦେଓ , ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ସୁରମା ପାଢୀ ସାମିଲ ହୋଇଛନ୍ତି । ଏହି କମିଟି ରାଜ୍ୟରେ ଉଭୟ ଦଳ ଏବଂ ସାଂଗଠାନିକ କ୍ଷେତ୍ରରେ ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କମିଟି ଭାବେ କାର୍ଯ୍ୟ କରିବ ବୋଲି କୁହାଯାଇଛି । ଏହାଛଡା ପ୍ରତି ମାସରେ ଥରେ ନିହାତି ଏହି କମିଟି ବସି ସାଂଗଠନିକ ସ୍ଥିତି ଉପରେ ସମୀକ୍ଷା କରିବ ବୋଲି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନିର୍ଦ୍ଦେଶ ରହିଛି । ତେବେ , ଆଶ୍ଚର୍ଯ୍ୟର କଥା ହେଉଛି ଯେ , ଏହି କମିଟିରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବାଦ୍ ଦିଆଯାଇଛି । ଏହା ବର୍ତ୍ତମାନ ରାଜନୈତିକ ବିଷାରଦ ମହଲରେ ଆଲୋଚନାର ବିଷୟ ହୋଇଛି । କାରଣ , ଅପରାଜିତା ନିଜକୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ପଦ ଆଶାରେ ତାଙ୍କର ରାଜନୈତିକ ଗୋଟି ଚାଳନା କରୁଥିବା ଚର୍ଚ୍ଚା ହୋଇଆସୁଥିଲା । ଏପରିକି ସେ ତାଙ୍କ ସଂସଦୀୟ କ୍ଷେତ୍ର ବାହାରକୁ ଓଡିଶାର ବିଭିନ୍ନ ସ୍ଥାନକୁ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାରେ ଲାଗିଥିଲେ । ଖାଲି ସେତିକି ନୁହେଁ , ତାଙ୍କ ପାଖକୁ ସାରା ଓଡ଼ିଶାର ଲୋକ ବିଭିନ୍ନ ସମସ୍ୟା ନେଇ ଆସୁଥିବା ବେଳେ ସେ ସବୁ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ବାରମ୍ବାର ଗଣମାଧ୍ୟମରେ କହି ଆସୁଛନ୍ତି ।

ଏଭଳି ସ୍ଥିତିରେ ରାଜ୍ୟ ନେତୃତ୍ବ ଆଶାରେ ପାଗ ଭିଡିବା ବେଳକୁ ଖୋଦ୍ ତାଙ୍କ ଦଳ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ରଖି ଦେଇଛି । ଏହା ମାଡାମ୍‌ଙ୍କ ପ୍ରତି ଚରମ କୁଠାରଘାତ ବୋଲି ବିରୋଧୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଖୋଦ୍ ବିଜେପିରେ ଥିବା ଅପରାଜିତାଙ୍କ ବିରୋଧୀ ଗୋଷ୍ଠୀ ବି ଅପରାଜିତାଙ୍କୁ ବର୍ତ୍ତମାନ ସମାଲୋଚନା କରିବାକୁ ପଛାଉନାହାନ୍ତି । ସବୁଠୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ , ଏହି କମିଟିରେ ସୁରମା ପାଢୀଙ୍କୁ ରଖାଯାଇଥିବା ବେଳେ ଅପରାଜିତାଙ୍କୁ ବାଦ୍ ଦେବା କଥାକୁ ନିଜେ ମାଡାମ୍ ବି ହଜମ କରିପାରୁନଥିବା ଚର୍ଚ୍ଚା ଆରମ୍ଭ ହେଲାଣି । ଦଳର ନେତୃତ୍ୱଙ୍କ ନିର୍ଦ୍ଦେଶ ବାହାରେ ତଥା ଦଳୀୟ ନେତୃତ୍ଵକୁ ବେଖାତିର କରି ରାଜନୀତି କରିବା ତାଙ୍କୁ ମହଙ୍ଗା ସାବ୍ୟସ୍ତ ହେଲା ବୋଲି ଏବେ ଚର୍ଚ୍ଚା ଆରମ୍ଭ ହେଲାଣି । ମୋଟ୍ ଉପରେ ଦଳର ଏହି ପଦକ୍ଷେପ ଦ୍ବାରା ଅପରାଜିତାଙ୍କ ରାଜନୈତିକ ଭବିଷ୍ୟତ ତଥା ତାଙ୍କର ମହତ୍ୱ ଆକାଂକ୍ଷା ଉପରେ ଶକ୍ତ ଧକ୍କା ଲାଗିଛି ବୋଲି ରାଜନୈତିକ ବିଷାରଦ ମହଲରେ ଆଲୋଚନାର ବିଷୟ ହୋଇଛି । ସେହିପରି ଏହି କମିଟିର ବିନା ଅନୁମତିରେ ଏଣିକି ଅପରାଜିତା ମାଡାମ୍ ଆଉ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରାଜନୀତି କରିବା ମୁସ୍କିଲ ହୋଇ ପଡିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି । ଅପରପକ୍ଷେ , ୧୭ ଜଣିଆ କମିଟିରେ ମାତ୍ର ଜଣେ ମହିଳା ସଦସ୍ୟ ସାମିଲ ହୋଇଥିବାରୁ ବିଜେପିର ମହିଳାଙ୍କ ପ୍ରତି ସମ୍ମାନ କେତେ ତାହା ବି ପ୍ରତିଫଳିତ ହୋଇଥିବା ଚର୍ଚ୍ଚା ହେଉଛି ।

Comments are closed.