ଆମ ଐତିହ୍ୟରେ ବାବା ବୁଦ୍ଧେଶ୍ଵର, ଖରାଖିଆ ମହାଦେବ

ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ମାଳତୀପାଟପୁରରୁ କୋଣାର୍କ ଫ୍ଲାଏ ଓଭର ଦେଇ ଗଲେ ବାମପଟେ ରହିଛି ଏକ ଛୋଟଗାଁ ରାହାଙ୍ଗିରିଆ।ଏହିଗାଁର ବିଲମଝିରେ ପୂଜା ପାଉଛନ୍ତି ବାବାବୁଦ୍ଧେଶ୍ଵର ବା ଖରାଖିଆ ମହାଦେବ। ମୁଖ୍ୟରାସ୍ତା ଉପରେ ଏକ ବୋର୍ଡରେ ବାବା ବୁଦ୍ଧେଶ୍ଵରଙ୍କ ମନ୍ଦିରକୁ ଯିବା ମାର୍ଗ ନିର୍ଦେଶିତ ହୋଇଛି। ସେଇ ରାସ୍ତାରେ ପ୍ରାୟ ଏକ କିଲୋମିଟର ଯିବାପରେ ଏକ ପୋଖରୀ ଓ ତା’ ସାମ୍ନାରେ ଠାକୁରଙ୍କ ଆସ୍ଥାନ ଦେଖିବାକୁ ମିଳିଥାଏ । ଗୋଟିଏ ତେନ୍ତୁଳି ଗଛ ନିକଟରେ ବାବାଙ୍କ ଆସ୍ଥାନ। ଏହି ମହାଦେବ ହେଉଛନ୍ତି ପାତାଳ ଫୁଟା ଠାକୁର, କାହିଁ କେବେଠାରୁ ଏଠାରେ ବିରାଜମାନ କରିଛନ୍ତି। ତାଙ୍କୁ କେହି ଏଠାରେ ପ୍ରତିଷ୍ଠା କରିନାହାନ୍ତି, ସିଏ ସ୍ୱୟଂଭୁ।ଆଖପାଖର ଲୋକମାନେ ବର୍ଷରେ ଥରେ ଏଠାରେ ଶିବରାତ୍ର ଦିନ ଚୂଡାଭଜା ଓ କଦଳୀ ଭୋଗ କରି ଯାଆନ୍ତି। ଅନେକ ସମୟରେ ଏହି ବିଲରେ ସର୍ପ ମାନଙ୍କର ଦର୍ଶନ ମିଳି ଥାଏ। ବାବା ବହୁତ ପ୍ରତ୍ୟକ୍ଷ ବୋଲି ମାନ୍ୟତା ରହିଛି। ସେଥିପାଇଁ ଏଠାରେ ବହୁତ ଲୋକ ମାନସିକ ରଖି ଅଧିଆ ପଡ଼ିଥାନ୍ତି।

ଗହୀର ମଝିରେ ବାବା ବୁଦ୍ଧନାଥ ପାଣିରେ ବୁଡିକି ରହିଥିଲେ। କିଛିବର୍ଷ ତଳେ ଭକ୍ତମାନେ ବାବାଙ୍କ ପାଇଁ ଚଟାଣ ଓ କାନ୍ଥ ନିର୍ମାଣ କରିଥିଲେ । ଏହାପରେ ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ ଯୋଜନା କଲାବେଳେ ବାବା ସ୍ୱପ୍ନରେ ଏହା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବପରି ବର୍ତ୍ତମାନ ବାବା ଖୋଲା ଆକାଶ ତଳେ ରହିଛନ୍ତି। ଏପରିକି ତେନ୍ତୁଳି ଗଛର ଡାଳ ମଧ୍ୟ ବାବାଙ୍କ ଉପରକୁ ଏପର୍ଯ୍ୟନ୍ତ ଢଳିନାହିଁ। ବାବା ବୁଦ୍ଧନାଥ ଖୋଲା ଆକାଶ ତଳେ ରହିଥିବାରୁ ବାବାଙ୍କ ଅନ୍ୟନାମ ହେଉଛି ଖରାଖିଆ ମହାଦେବ। ଅନେକ ଭକ୍ତଙ୍କ ଆଶା ଭରଷାର ପ୍ରତୀକ। ସମ୍ପୂର୍ଣ୍ଣ ଅଞ୍ଚଳକୁ ଅନୁଧ୍ୟାନ କଲେ ଜଣାଯାଏ ଏହିପରି କେତୋଟି ଶିବଲିଙ୍ଗ କିଏ ଖରାରେ ତ କିଏ ଜଳମଧ୍ୟରେ ବୁଡି ରହିଥିବା ଦେଖାଯାନ୍ତି। ଏହାର ଅନତି ଦୂରରେ ଚନ୍ଦନପୁର ଅନ୍ତର୍ଗତ ବୀର ବଳଭଦ୍ର ପୁରରେ ମଧ୍ୟ ମହାଦେବ ଏକ ପୋଖରୀ ଭିତରେ ବର୍ଷସାରା ପୂଜା ପାଇଥାନ୍ତି। କେବଳ ପଙ୍କଦ୍ଧାର ଏକଦଶୀ ଦିନ ପଙ୍କଦ୍ଧାର ପରେ ଗୋଟିଏ ଦିନ ପାଇଁ ବାବାଙ୍କ ଦର୍ଶନ ମିଳିଥାଏ।

Comments are closed.