୬୮ ବୋଟକୁ ଆଶ୍ରୟ ଦେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ଯେଉଁମାନେ ସମୁଦ୍ର ଭିତରକୁ ଯାଇଥିଲେ ସେମାନଙ୍କୁ ମଧ୍ୟ ଯଥାଶୀଘ୍ର ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇ ଥିଲା। ପ୍ରଶାସନ କଥା ଶୁଣି ବହୁ ମତ୍ସ୍ୟଜୀବୀ ନିଜ ଜୀବନ ଓ ଧନସମ୍ପଦ ସୁରକ୍ଷିତ ରଖିଛନ୍ତି। ତେବେ ବାତ୍ୟା ଆଗମନ ପୂର୍ବରୁ ଗଭୀର ସମୁଦ୍ରରେ ମାଛ ମାରୁଥିବା ୬୮ ଗୋଟି ଆନ୍ଧ୍ର ବୋଟ୍ ଓ ଲଞ୍ଚକୁ ଗୋପାଳପୁର ବନ୍ଦରରେ ଆଶ୍ରୟ ଦିଆଯାଇ ଥିଲା। ଏମାନେ ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଫସି ଯାଇଥିଲେ। ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ଗୋପାଳପୁର ପୋର୍ଟ ବର୍ଥମୁହାଁ ହୋଇଥିଲେ। ତେବେ ଏଥିରେ ଥିବା ପ୍ରାୟ ୪୦୦ ମତ୍ସ୍ୟଜୀବୀଙ୍କୁ ବିପଦରୁ ଦୂରରେ ରଖିବାରେ ଜିଲ୍ଲା ପ୍ରଶାସନ ସହାୟକ ହୋଇପାରିଛି। କେବଳ ସେତିକି ନୁହେଁ, ସେମାନଙ୍କ ଉପଯୁକ୍ତ ରହଣୀ, ଖାଦ୍ୟପେୟ ବ୍ୟବସ୍ଥା କରିଥିଲା ପ୍ରଶାସନ। ସେମାନଙ୍କ ଭଲ ମନ୍ଦ ବୁଝି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବାତ୍ୟା ଆଶଙ୍କା ଟଳିବା ପରେ ସେମାନେ ସୁରକ୍ଷିତ ଭାବେ ନିଜ ଅଞ୍ଚଳକୁ ଫେରିବାକୁ ସଜବାଜ ହେଉଛନ୍ତି। ତେବେ ସେମାନଙ୍କ ସୁରକ୍ଷା ସାଙ୍ଗକୁ ଯାବତୀୟ ରହଣୀ ବ୍ୟବସ୍ଥା କରିଥିବାରୁ ଓଡ଼ିଶା ସରକାର ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଥିଲେ ଅନେକ ଆନ୍ଧ୍ର ମତ୍ସ୍ୟଜୀବୀ।

Comments are closed.