ବିଶ୍ୱ ଦିବ୍ୟ ଜୀବନ ସଂଘ ପୁରୀ ଶାଖାର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ

ବିଶ୍ୱ ଦିବ୍ୟ ଜୀବନ ସଂଘ ପୁରୀ ଶାଖାର ୪୧ ତମ ପ୍ରତିଷ୍ଠା ଦିବସ ପୁରୀ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଭବ୍ୟ ଆଧ୍ୟାତ୍ମିକ ସତସଙ୍ଗ କାର୍ଯ୍ୟକ୍ରମ ଦିବସ ବ୍ୟାପି ଶାଖା ଆଶ୍ରମରେ ଅନୁଷ୍ଠିତ ହୋଇଥିଲା।

ପୁରୀ କଚେରୀ ରୋଡ଼ ସ୍ଥିତ ଦିବ୍ୟ ଜୀବନ ସଂଘ ପୁରୀ ଶାଖା ଆଶ୍ରମରେ ପ୍ରାତଃ କାଳରେ ଗୁରୁ ପାଦପୂଜା ,ସ୍ୱସ୍ତି ବାଚନ ସହିତ ଭଜନ କୀର୍ତ୍ତନ କରାଯାଇଥିଲା। ମଧ୍ୟାହ୍ନରେ ଅୟୋଜିତ ସତସଙ୍ଗ ସଭାରେ ବରେଣ୍ୟ ମୁଖ୍ୟ ଅତିଥି ଭାବରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ୟାସୀ ତଥା ଭୁବନେଶ୍ୱର ସ୍ଥିତ ଶିବାନନ୍ଦ ଶତବାର୍ଷିକ ଆବାସିକ ଉଚ୍ଚ ବିଦ୍ୟାଳୟର ଉପସଭାପତି ପୂଜ୍ୟ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ଯୋଗ ଦେଇ ଶୃଙ୍ଖଳିତ ଜୀବନ ନିର୍ବାହ ପାଇଁ ଭଗବଦ ଆରାଧନା ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ। ଈଶ୍ୱରାର୍ପଣ ଭାବରେ ଯେଉଁ କର୍ମ କରାଯାଏ ତାହା ନିଶ୍ଚିତ ଭାବରେ ଆମକୁ ମୁକ୍ତିର ପଥ ଦେଖାଇଥାଏ ବୋଲି କହିଥିଲେ। ଆପଣ ଯେକୌଣସି ଅବସ୍ଥାରେ ଥାଆନ୍ତୁ ପ୍ରତି ମୁହୂର୍ତ୍ତରେ ଈଶ୍ୱରଙ୍କ ନାମ ଉଚ୍ଚାରଣ କରିବାକୁ ସଦଗୁରୁ ଦେବ ସ୍ୱାମୀ ଶିବାନନ୍ଦଜୀ ତଥା ବିଶ୍ୱବନ୍ଦ୍ୟ ସ୍ୱାମୀ ଚିଦାନନ୍ଦଜୀ ମହାରାଜ ନିଜ ଜୀବନରେ ଆଚରଣ କରି ଦେଖାଇଥିଲେ। ସତ ଜୀବନ ନିର୍ବାହ ପାଇଁ ହିଁ ଏ ଦିବ୍ୟ ଜୀବନ ସଂଘ ପ୍ରତିଷ୍ଠା କରିଥିଲେ ବୋଲି ସୂଚନା ଦେଇଥିଲେ। ତାଙ୍କ ନିର୍ଦେଶିତ ସେବା, ପ୍ରେମ, ଦାନ ,ପବିତ୍ରତା ଓ ଧ୍ୟାନ ଦ୍ୱାରା ସମାଜର ସେବା କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଋଷିକେଶ ସ୍ଥିତ ମୁଖ୍ୟ ଆଶ୍ରମର ସ୍ୱାମୀ ସୁଦର୍ଶନା ନନ୍ଦ ସରସ୍ୱତୀ, ବାଳିଗୁଆଳି ଆଶ୍ରମର ସ୍ୱାମୀ ଜିତ ମହାନନ୍ଦଜୀ, ନାରାୟଣ ଅର୍ପଣ ନନ୍ଦଜୀ, ଶିଵପ୍ରିୟା ନନ୍ଦଜୀ, ଅଲ ଇଣ୍ଡିଆ ରେଡ଼ିଓ ର ପୂର୍ବତନ କାର୍ଯ୍ୟ ନିଷ୍ପାଦକ ସଂକର୍ଷଣ ମଙ୍ଗରାଜ ଯୋଗଦେଇ ଗୁରଦେବଙ୍କ ଉପରେ ନିଜ ନିଜର ମତ ରଖିଥିଲେ। ଉକ୍ତ ସଭାରେ ପୁରୀ ଆଶ୍ରମର ସଭାପତି ତଥା ଲୋକପାଳ ସଦସ୍ୟ ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର ସଭାପତିତ୍ୱ କରିଥିଲେ। ଆଶ୍ରମର ସମ୍ପାଦକ ତଥା ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ନରସିଂହ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ଡ଼ଃ ଜଗବନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆଶ୍ରମ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବେଣୁଧର ରାଉତ।

କାର୍ଯ୍ୟକ୍ରମ ଶେଷରେ ଭଜନ ପରିବେଷଣ କରାଯାଇଥିଲା। ଏହି ଉତ୍ସବ ରେ ବହୁ ବୁଦ୍ଧିଜୀବି, ସାମ୍ବାଦିକ, ସାହିତ୍ୟିକ, ଛାତ୍ରଗୋଷ୍ଠୀ ତଥା ଦିବ୍ୟ ଜୀବନ ପ୍ରେମୀ ଯୋଗ ଦେଇଥିଲେ।ଉତ୍ସବ ଶେଷରେ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଇ ଥିଲା।

Comments are closed.