ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି, ଏବର୍ଷ ପୁଣି ଯାତ୍ରା ସ୍ଥଗିତ

ବରଗଡ : ଆସନ୍ତା ଜାନୁଆରୀ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି । ଏବର୍ଷ ମଧ୍ୟ କୋଭିଡ୍ କଟକଣା ଦୃଷ୍ଟିରୁ ଧନୁଯାତ୍ରାକୁ ସ୍ଥଗିତ ରଖିବାକୁ ଧନୁଯାତ୍ରା କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ନେଇଛି । ତେବେ , ଜାନୁଆରୀ ମାସର ଗାଇଡ୍ ଲାଇନ ପ୍ରକାଶ ପାଇବା ପରେ ଯଦି ସ୍ଥିତି ଅନୁକୂଳ ରହେ ତାହେଲେ ପୁଣି ବୈଠକ ବସି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରଚାର ପ୍ରସାଦ କମିଟିର ଅଧ୍ୟକ୍ଷା ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରିଣୀ କଲ୍ୟାଣ ଦାସ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ।

୭୩ ତମ ଧନୁଯାତ୍ରା ପାଳନ ହେବ ନା ନାହିଁ ତାହାକୁ ନେଇ ଦୀର୍ଘ ଦିନ ହେଲା କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ , ଗତକାଲି ଯାତ୍ରା କମିଟିର ସଭାପତି ତଥା ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ ବୈଠକ ବସିଥିଲା । କମିଟିର ସଂପାଦକ ସୁରେଶ୍ୱର ଶତପଥୀ ଯାତ୍ରାର ସମୟ ନିର୍ଘଣ୍ଟ ତଥା ବିଧି ନେଇ ସୂଚନା ଉପସ୍ଥାପନ କରିଥିଲେ । ହେଲେ ବର୍ତ୍ତମାନର ସ୍ଥିତି ନେଇ ଜିଲ୍ଲାପାଳ ଆଲୋଚନା କରିବା ସହିତ ଡିସେମ୍ବର ପାଇଁ ଲାଗୁ ହୋଇଥିବା କୋଭିଡ୍ ଲାଇନ ଉପରେ ତର୍ଜମା କରିଥିଲେ । ଏହି ମାସର ଗାଇଡ୍ ଲାଇନ ଅନୁଯାୟୀ , ଯାତ୍ରା ଅପେରାକୁ ୨ ହଜାର ଲୋକଙ୍କ ମଧ୍ୟରେ ସୀମିତ ରଖିବାକୁ ଅନୁମତି ରହିଛି । ହେଲେ ଧନୁଯାତ୍ରାରେ ଦେଢ ହଜାର କଳାକାରଙ୍କ ସମେତ ୧୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଭିଡ ପ୍ରତିଦିନ ହୋଇଥାଏ । ତେଣୁ , ବର୍ତ୍ତମାନ ପରିପ୍ରେକ୍ଷୀରେ ଯାତ୍ରା ସମ୍ଭବ ନୁହେଁ ବୋଲି ଶ୍ରୀମତି ବାନାର୍ଜୀ ସ୍ପଷ୍ଟ କରିଥିଲେ । ତେବେ , କିଛି ସଦସ୍ୟ ନିବୁଜ ଷ୍ଟାଡିଅମରେ ବିନା ଦର୍ଶକରେ ଏହାକୁ ପାଳନ କରି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରଚାର କରିବାକୁ ମତ ଦେଇଥିଲେ । ହେଲେ ଏହା ଦ୍ବାରା ବିଧି ଉଲଂଘନ ହେବ ବୋଲି ମତପ୍ରକାଶ ପାଇବାରୁ ଜିଲ୍ଲାପାଳ ଏହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି ।

ତେବେ , ଡିସେମ୍ବର ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବାକୁ ଥିବା ଜାନୁଆରୀ ମାସର ଗାଇଡ୍ ଲାଇନ୍‌କୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିବା ନେଇ ଡିଆଇପିଆରଓ ଲିଖିତ ବିବୃତିରେ ଜଣାଇଛନ୍ତି । ଗତକାଲି ବୈଠକରେ ସମନ୍ବୟ କମିଟିର ଆବାହକ ଏଡିଏମ୍ ମିର୍ଧା ଟପ୍ପୋ , ସାଂସ୍କୃତିକ କମିଟିର ଆବାହକ ଡିଆର୍‌ଡିଏ ପିଡି କୃତିବାସ ରାଉତ , ଆବାହକ ଗୋପାଳକୃଷ୍ଣ ଦାସଙ୍କ ସମେତ ସମସ୍ତ କମିଟିର ଆବାହକ ଏବଂ ଅନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Comments are closed.