ମାର୍କଣ୍ଡିବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହେବ: ମୁହାଣ ଖନନର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ | News Room Odisha

ମାର୍କଣ୍ଡିବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହେବ: ମୁହାଣ ଖନନର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

ରଙ୍ଗେଇଲୁଣ୍ଡା: ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡି ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହେବାକୁ ଯାଉଛି। ସେମାନଙ୍କ ଦୀର୍ଘ ଦିନର ଦାବି ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠି ୭ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟରେ ସମୁଦ୍ର ମୁହାଣ ଖନନ ପାଇଁ ଶୁଭ ଦିଆଯାଇଛି। ଜଳସମ୍ପଦ ବିଭାଗ ଦ୍ବାରା ହରିପୁର ଗ୍ରାମ ନିକଟ ବାହାଡ଼ା ଓ ମାର୍କଣ୍ଡି ଗ୍ରାମ ନିକଟ ବାହାନା ନାଳର ସମୁଦ୍ର ମୁହାଣ ଉନ୍ନତୀକରଣ ସକାଶେ ଭିଭିସ୍ଥାପନ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ଫଳରେ ମତ୍ସ୍ୟଜୀବୀଙ୍କ ଯାତାୟାତ ସମସ୍ୟାର ସମାଧାନ ସାଙ୍ଗକୁ ବର୍ଷା ଦିନେ ନାଳର ବଢ଼ି ପାଣି ଯୋଗୁଁ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତି ସମସ୍ୟା ଏଣିକି ସୁଧୁରିଯିବ। ଅଞ୍ଚଳର ହଜାର ହଜାର ମତ୍ସ୍ୟଜୀବୀ ଏହାଦ୍ଵାରା ଉପକୃତ ହେବେ। ଆଉ ଗ୍ରାମବାସୀଙ୍କୁ ଜଳବନ୍ଦୀ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବନି। ବର୍ଷାଦିନକୁ ଆଉ ଭୟ ରହିବନି।

ବ୍ରହ୍ମପୁରରୁ ବଙ୍ଗୋପସାଗରକୁ ଲମ୍ବିଥିବା ବାହାନା ନାଳ ରଙ୍ଗେଇଲୁଣ୍ଡା ବ୍ଲକ୍‌ ମାର୍କଣ୍ଡି ଅଞ୍ଚଳ ଦେଇ ସମୁଦ୍ରରେ ମିଶିଛି। ତେବେ ବର୍ଷା ଦିନେ ବାହାନା ନାଳ ମାର୍କଣ୍ଡି ଅଞ୍ଚଳବାସୀଙ୍କ ଦୁଃଖର କାରଣ ପାଲଟୁଥିଲା। ବିଶେଷ କରି ବାତ୍ୟା କିମ୍ବା ଲଘୁଚାପଜନିତ ପ୍ରବଳ ବର୍ଷା ହେଲେ ବାହାନା ନାଳର ଉଦ୍‌ବୃତ୍ତ ଜଳ ଠିକ୍ ଭାବେ ସମୁଦ୍ରକୁ ନିଷ୍କାସିତ ହୋଇ ନପାରି ମାର୍କଣ୍ଡି ଅଞ୍ଚଳର ଜମିରେ ମାଡ଼ି ଯାଉଥିଲା। ଅନେକ ଦିନ ଧରି ପାଣି ସେମିତି ଜମି ରହି ଫସଲ ବରବାଦ କରି ଦେଉଥିଲା। ଏଣୁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଥିଲା ଯେ– ବାହାନା ନାଳ ଓ ବଙ୍ଗୋପସାଗର ମୁହାଣ ଖନନ କରାଯାଉ, ଜଳ ନିଷ୍କାସନର ଉଚିତ ବ୍ୟବସ୍ଥା କରାଯାଉ। ମାର୍କଣ୍ଡି ଲୋକଙ୍କ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗୋପବନ୍ଧୁ ଦାଶ। ଅଞ୍ଚଳବାସୀଙ୍କ ଏହି ଦାବିର ଯଥାର୍ଥତାକୁ ହୃଦୟଙ୍ଗମ କରି ଅବିଳମ୍ବେ ସମୁଦ୍ର ମୁହାଣ ଉନ୍ନତୀକରଣ ପ୍ରକଳ୍ପକୁ ମଞ୍ଜୁର ଦେବା ସହ ଏଥିପାଇଁ ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅର୍ଥ ବ୍ୟବସ୍ଥା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ।

ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷୀତ ପ୍ରକଳ୍ପ ନିମନ୍ତେ ଆଜି ଶିଳାନ୍ୟାସ ପର୍ବ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିବା ବେଳେ ମାର୍କଣ୍ଡି ନିକଟରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଦାଶ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ସ୍ଥାନୀୟ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଗଣ। ଅଞ୍ଚଳବାସୀ ସେମାନଙ୍କ ଦୁଃଖଦୁର୍ଦ୍ଦଶା ଦୂର ହେବାର ଆଶାରେ ଏବେ ଉତ୍‌ଫୁଲ୍ଲିତ। ମୁଖ୍ୟମନ୍ତ୍ରୀ ସେମାନଙ୍କ ମନର କଥା ଶୁଣିଥିବାରୁ ଓ ଏହି ପ୍ରକଳ୍ପ କାର୍ଯ୍ୟାରମ୍ଭ କରି ନୂଆ ବର୍ଷ ପୂର୍ବରୁ ଏକ ଉପହାର ସଦୃଶ ଭେଟି ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ମାର୍କଣ୍ଡି ବାସିନ୍ଦା, ଗୋପାଳପୁର ନିର୍ବାଚନମଣ୍ଡଳୀର ବିଜେଡି ନେତା ଓ କର୍ମୀବୃନ୍ଦ। ଗୋପାଳପୁର ନିର୍ବାଚନମଣ୍ଡଳୀରେ ପ୍ରଗତିର ଏହି ଧାରା ଆଗକୁ ଅଧିକ ବ୍ୟାପକ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।

Chief Minister Naveen PatnaikGanjam AdminGanjam Collector Vijay Amruta KulangeOSD to Odisha CM Dr Gopabandhu Dash