ଜଗତ ଜନନୀ ଶ୍ରୀଶ୍ରୀସାରଦାଦେବୀ , ପୁଣ୍ୟ ଜନ୍ମତିଥି ଅଵସରରେ

ଶ୍ରୀରାମକୃଷ୍ଣଙ୍କର ଦେହାବସାନ ପରେ ଶ୍ରୀସାରଦା ଦେବୀଙ୍କୁ କେନ୍ଦ୍ରକରି ସମଗ୍ର ଭାରତରେ ଆଧ୍ୟାତ୍ମିକ ଜାଗରଣ ଓ ପ୍ରବଳ ଧର୍ମୀୟ ଆନ୍ଦୋଳନର ରୂପ ନେଇଥିଲା । ଶ୍ରୀଶ୍ରୀମା’ ଯେଉଁଠାକୁ ଯାଉଥିଲେ ଶତ ଶତ ଧର୍ମ-ପିପାସୁ ତାଙ୍କ ନିକଟକୁ ଧର୍ମଲାଭ କରିବା ପାଇଁ ଆସୁଥିଲେ । ସେମଧ୍ୟ ଅକ୍ଳାନ୍ତ ଭାବରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ନରନାରୀ, ବୃଦ୍ଧବୃଦ୍ଧା, ବାଳକବାଳିକା,ପାପୀତାପୀ ସମସ୍ତଙ୍କୁ ଧର୍ମଦାନ କରିବାକୁ ଲାଗିଲେ ।ଦୁର୍ଗମ ଜୟରାମବାଟୀକୁ ଅନେକ ଲୋକ ଯାଇପାରୁ ନଥିଲେ । ତେଣୁ ସ୍ୱାମୀ ସାରଦାନନ୍ଦ ଶ୍ରୀଶ୍ରୀମା’ଙ୍କ ରହିବାପାଇଁ କଲିକତାର ବାଗବଜାରରେ ଗୋଟିଏ ଘର ନିର୍ମାଣ କଲେ । ୧୯୦୯ ମସିହାଠାରୁ ଏହି ଗୃହକୁ କେନ୍ଦ୍ରକରି ସମଗ୍ର ଭାରତ ଓ ଦେଶ ଦେଶାନ୍ତର ରୁ ଭକ୍ତବୃନ୍ଦ ଶ୍ରୀଶ୍ରୀମା’ଙ୍କ ଚରଣ ପ୍ରାନ୍ତରେ ସମବେତ ହେବାକୁ ଲାଗିଲେ । ସେ ମଧ୍ୟ ଶ୍ରୀରାମକୃଷ୍ଣଙ୍କର ଶେଷ ଆଦେଶକୁ ମନରେ ରଖି ଜୀବତ୍ରାଣ କାର୍ଯ୍ୟରେ ସର୍ବତୋଭାବେ ଆତ୍ମନିୟୋଗ କଲେ । ଶ୍ରୀରାମକୃଷ୍ଣଙ୍କର ଭାବଧାରା ପ୍ରଚାର ପାଇଁ ମଝିରେ ମଝିରେ ଓଡ଼ିଶା, ମାନ୍ଦ୍ରାଜ ଓ ଉତ୍ତରପ୍ରଦେଶର ବହୁସ୍ଥାନକୁ ସେ ଯାଇଥିଲେ ଏବଂ ଗୟା, କାଶୀ, ବୃନ୍ଦାବନ, ପୁରୀ, ରାମେଶ୍ୱର ପ୍ରଭୃତି ଅନେକ ତୀର୍ଥ ପର୍ଯ୍ୟଟନ କରିଥିଲେ । ସେ ବକ୍ତୃତା, ଧର୍ମପ୍ରବଚନାଦି ଦ୍ୱାରା ଧର୍ମପ୍ରଚାର କରୁ ନ ଥିଲେ । ତାଙ୍କର ଅବସ୍ଥିତି ମାତ୍ରେ ଲୋକଙ୍କ ପ୍ରାଣରେ ଧର୍ମଭାବ ଉଦ୍ବୁଦ୍ଧ ହେଉଥିଲା ।ସେ ଲଜ୍ଜାପଟାବୃତା ହୋଇ ରହୁଥିଲେ । ସ୍ତ୍ରୀଲୋକଙ୍କ ବ୍ୟତୀତ ଅନ୍ୟମାନଙ୍କ ସହିତ ସେ କେବେ ହେଁ କଥାବାର୍ତ୍ତା କରୁ ନ ଥିଲେ । ଏପରିକି ସ୍ୱାମୀ ବିବେକାନନ୍ଦ ପ୍ରଭୃତି ତାଙ୍କର ସନ୍ନ୍ୟାସୀ ସନ୍ତାନମାନେ ମଧ୍ୟ କେବେ ହେଁ ତାଙ୍କର ଶ୍ରୀମୁଖ ଦର୍ଶନ କରିବାର ସୁଯୋଗ ପାଇନାହାନ୍ତି । ତାଙ୍କର ଶ୍ରୀପାଦପଦ୍ମ ଦର୍ଶନ ଓ ପ୍ରଣାମ କରିବାରେ ହିଁ ସେମାନଙ୍କର ଅନ୍ତର ତୃପ୍ତ ହେଉଥିଲା ।ବିବାହର ବହୁବର୍ଷ ବିତିଗଲା ପରେ ମଧ୍ୟ ଶ୍ରୀସାରଦାଦେବୀ ଙ୍କର ସନ୍ତାନାଦି ହେଉନାହିଁ ଦେଖି ତାଙ୍କର ମାତା ଶ୍ୟାମାସୁନ୍ଦରୀ ଥରେ ଜୟରାମବାଟୀରେ ଜାମାତାଙ୍କୁ ଶୁଣାଇ ଦୁଃଖ କରି କହିଲେ, ‘ଏପରି ପାଗଳ ଜୋଇଁ ସହିତ ମୋର ସାରଦାର ବାହାଘର ହେଲା ! ଆହା ! ଘରସଂସାର ତ କଲା ନାହିଁ । ଛୁଆପିଲା ବି ହେଲା ନାହିଁ; ସେ କେବେ ମା’ ଡାକ ଶୁଣିଲା ନାହିଁ ।’ ଶ୍ରୀରାମକୃଷ୍ଣଦେବ ଏହା ଶୁଣି କହିଥିଲେ, ‘ଶାଶୁଠାକୁରାଣୀ ! ସେଥିପାଇଁ ଦୁଃଖ କରନ୍ତୁ ନାହିଁ । ଆପଣଙ୍କ ଝିଅର ଏତେ ସନ୍ତାନ ହେବ ଯେ ଶେଷରେ ଦେଖିବେ ମା’ ମା’ ଡାକରେ ସେ ଅସ୍ଥିର ହୋଇଯିବ ।’ ଶ୍ରୀରାମକୃଷ୍ଣଙ୍କର ଏହି ଭବିଷ୍ୟତବାଣୀ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଅଛି । ଶ୍ରୀସାରଦାଦେବୀ ଯଦି ଗୋଟିଏ ଦୁଇଟି ସନ୍ତାନର ମାଆ ହୋଇଥାଆନ୍ତେ, ତାହାହେଲେ କଅଣ ସେ ଆଜି ବିଶ୍ୱଜନନୀ ହୋଇପାରିଥାଆନ୍ତେ ! ସମସ୍ତେ କ’ଣ ତାଙ୍କର ସ୍ନେହମୟ ଅଭୟ କୋଳରେ ସ୍ଥାନ ପାଇଥାଆନ୍ତେ !!

ଶ୍ରୀଶ୍ରୀମା’ଙ୍କ ମଧ୍ୟରେ ବିଶ୍ୱମାତୃତ୍ୱର ବିକାଶ ସମସ୍ତଙ୍କୁ ଚମତ୍କୃତ କରେ । ଥରେ ସେ କହିଥିଲେ, ‘ମୁଁ ସତ୍ଲୋକର ମା’, ଅସତ୍ଲୋକର ବି ମା’ ।’ ଆମଜାଦ୍ ମିଆଁ ଦୁର୍ଦ୍ଦାନ୍ତ ଚୋର ଓ ଡକାୟତ । ଶ୍ରୀଶ୍ରୀମା’ଙ୍କ କୃପାରେ ତାହାର ଜୀବନରେ ପରିବର୍ତ୍ତନ ଦେଖି ଗାଁର ଲୋକମାନେ କୁହାକୁହି ହେଉଥାଆନ୍ତି, ‘ମା’ଙ୍କ କୃପାରେ ଡକାୟତଗୁଡ଼ାକ ବି ଭକ୍ତ ହୋଇଗଲେ ହୋ !’ ତେଲୋଭେଲୋ ପଡ଼ିଆରେ ଖୁନୀ ଡକାୟତ ସର୍ଦ୍ଦାରକୁ ଶ୍ରୀଶ୍ରୀମା’ କୃପା କରି କାଳୀରୂପେ ଦର୍ଶନ ଦେଇଥିଲେ । ଭକ୍ତ ଡକାୟତ ତାହାର ଡକାୟତି ପେଶା ଛାଡ଼ି ଭକ୍ତ ହୋଇଥିଲା । ଖ୍ରୀଷ୍ଟିଆନ ପାଶ୍ଚାତ୍ୟ ମହିଳା ନିବେଦିତାଙ୍କୁ ଶ୍ରୀଶ୍ରୀମା’, ନିଜ କୋଳକୁ ଟାଣିନେଇ ହିନ୍ଦୁ ସମାଜରେ ସ୍ଥାନ ଦେଲେ । ନିବେଦିତାଙ୍କ ଦ୍ୱାରା ଆନୀତ ଦ୍ରବ୍ୟଗୁଡ଼ିକୁ ଗ୍ରହଣ କରି, ତାଙ୍କୁ ଦେବସେବାର ଅଧିକାର ଦେଇ ହିନ୍ଦୁଧର୍ମରେ ଦୀକ୍ଷିତ କଲେ ।

ଶ୍ରୀସାରଦାଦେବୀଙ୍କର ଏହି ଐଶୀମାତୃତ୍ୱର ପ୍ରଭାବ ଜାତି, ଧର୍ମ ଓ ଭାଷାର ସୀମାରେଖା ଅତିକ୍ରମ କରି ଆଗେଇ ଚାଲିଛି । ଆଜି ଦେଶଦେଶାନ୍ତରରୁ ଆସୁଥିବା ଅଗଣିତ ନରନାରୀଙ୍କ ଅନ୍ତରରେ ଶ୍ରୀସାରଦାଦେବୀ ମାଆ’ଙ୍କ ଆସନ ଲାଭ କରିଛନ୍ତି । ଏହି ମାତୃତ୍ୱ ନିକଟରେ ଧନୀ, ନିର୍ଦ୍ଧନ, ପଣ୍ଡିତ, ମୂର୍ଖ, ସନ୍ନ୍ୟାସୀ, ଗୃହସ୍ଥ, ହିନ୍ଦୁ, ମୁସଲମାନ-ଏପରିକି ସଜ୍ଜନ, ଦୁର୍ଜନର ଭେଦବିଚାର ନ ଥିଲା । ଯିଏ ଥରେ ମାତ୍ର ତାଙ୍କୁ ମା’ ବୋଲି ଡାକିଛି ସେ ତାକୁ ଅଭୟ କୋଳରେ ସ୍ଥାନ ଦେଇଛନ୍ତି ।
ଜଣେ କୁଳବଧୂ ଅନ୍ୟର ପ୍ରରୋଚନାରେ ପଡ଼ି ପଦସ୍ଖଳିତ ହୋଇଥିଲେ । ପରେ ସେ ନିଜର ଭୁଲ ବୁଝିପାରି ଅନୁତପ୍ତ ହୋଇ ମା’ଙ୍କ ପାଖକୁ ଆସିଲେ ଶ୍ରୀଶ୍ରୀମା’ଙ୍କ ଚରଣତଳେ ଆଶ୍ରୟ-ଶାନ୍ତି ପାଇବା ପାଇଁ । ଶ୍ରୀଶ୍ରୀମା’ଙ୍କ ଚରଣସ୍ପର୍ଶ କରିବାକୁ କୁଣ୍ଠିତା ହୋଇ ମା’ଙ୍କ ରହିବା ଘରର ଦୁଆର ମୁହଁରେ ଠିଆହୋଇ କାନ୍ଦି କାନ୍ଦି ନିଜର ପାପକାହାଣୀ ପ୍ରକାଶ କରି ସେ କହିଲେ, ‘ମା’, ମୋର କଅଣ ଉପାୟ ହେବ ? ଆପଣଙ୍କ ଏହି ପବିତ୍ର ମନ୍ଦିର ମଧ୍ୟରେ ପ୍ରବେଶ କରିବାର ଅଧିକାରରୁ ମୁଁ ବଞ୍ଚିତ, ସେ ଅଧିକାର ପାଇବା ପାଇଁ ମୋର ଯୋଗ୍ୟତା ନାହିଁ ।’ ଏକଥା ଶୁଣି ଶ୍ରୀଶ୍ରୀମା’ଙ୍କ ମନରେ ଭାବାନ୍ତର ଉପସ୍ଥିତ ହେଲା । ସେ ଦୁଇପାହୁଣ୍ଡ ଆଗେଇଯାଇ ମହିଳାଟିକୁ କୁଣ୍ଢାଇ ପକାଇ ଅତି ଆଦର ଓ ସ୍ନେହ ଗଦ୍ଗଦ କଣ୍ଠରେ କହିଲେ, ‘ଆସ, ମା’, ଘର ଭିତରକୁ ଆସ । ଯେତେବେଳେ ତୁମେ ନିଜର ଦୋଷ ଉପଲ୍ବଧି କରିଛ, ଅନୁତପ୍ତ ହୋଇଛ, ସେଥିରେ ଆଉ ଦୁଃଖ କରିବାର କଅଣ ଅଛି ? ଆସ ମୁଁ ତୁମକୁ ମନ୍ତ୍ର ଦେବି । ଠାକୁରଙ୍କ ଚରଣରେ ସବୁ ଅର୍ପଣ କରିଦିଅ, ଭୟ କଅଣ ?’
ଶ୍ରୀଶ୍ରୀମା’ ସେହି ପତିତାର କାନରେ ତାରକ-ବ୍ରହ୍ମ-ମହାମନ୍ତ୍ର ଶୁଣାଇଲେ । ଥରେ ମା’ କହିଥିଲେ, ‘ମୋର ସନ୍ତାନ ଯଦି ଧୂଳି କାଦୁଅ ବୋଳି ହୋଇଥାଏ, ମୋତେ ତ ପୁଣି ତାକୁ ଧୋଇ ସଫା କରି କୋଳକୁ ନେବାକୁ ହେବ ।’
ଅନ୍ୟ ଏକ ଭକ୍ତର ଉତ୍ତରରେ ଶ୍ରୀଶ୍ରୀମା କହିଥିଲେ ‘ବାବା, ଜାଣ ତ, ଜଗତର ପ୍ରତ୍ୟେକ ପ୍ରାଣୀ ଉପରେ ତାଙ୍କର (ଶ୍ରୀରାମକୃଷ୍ଣଙ୍କର) ମାତୃଭାବ ଥିଲା । ସେଥିପାଇଁ ଜଗତରେ ମାତୃଭାବର ବିକାଶ ପାଇଁ ମୋତେ ଏଥର ରଖିଦେଇ ଯାଇଛନ୍ତି ।’ ଶ୍ରୀସାରଦାଦେବୀଙ୍କ ମଧ୍ୟରେ ଯେଉଁ ମାତୃତ୍ୱର ବିକାଶ ହୋଇଥିଲା, ତାହାର ତୁଳନା ନାହିଁ । ନିବେଦିତା ମଧ୍ୟ ଲେଖିଛନ୍ତି-‘କିଏ ତୁମେ । ମୋର ପ୍ରାର୍ଥନାବେଳେ ମେରୀଙ୍କ ସ୍ଥାନରେ ଆବିର୍ଭୂତା ହୁଅ !!’

ଅଗଣିତ ଭକ୍ତ ଶ୍ରୀଶ୍ରୀମାଙ୍କ ନିକଟରୁ ମନ୍ତ୍ରଦୀକ୍ଷା ପାଇବା ପୂର୍ବରୁ ତାହାଙ୍କୁ ସ୍ୱପ୍ନରେ ବା ଧ୍ୟାନ କଲାବେଳେ ଦେବୀମୂର୍ତ୍ତିରୂପେ ଦର୍ଶନଲାଭ କରୁଥିଲେ । ଜନୈକ ଭାଗ୍ୟବାନ ଦୀକ୍ଷିତ ସନ୍ତାନକୁ ସେ କହିଥିଲେ, ‘ବାବା, ଠାକୁରଙ୍କୁ ଓ ମୋତେ ଅଭେଦ ଭାବରେ ଦେଖିବ, ଆମେ ଦୁଇଜଣ ଏକ ।’ ସେ ସବୁ ସନ୍ତାନମାନଙ୍କ ଭାର ଗ୍ରହଣ କରି କହିଥିଲେ, ‘ମୁଁ ଯଦି ଠାକୁରଙ୍କ ପାଖକୁ ଯାଏ ତେବେ ତୁମ୍ଭେମାନେ ନିଶ୍ଚୟ ଯିବ ।’ କରୁଣାମୟୀ ମା’ ଆଉଥରେ ନିଜ ସମ୍ବନ୍ଧରେ ଇଙ୍ଗିତଦ୍ୱାରା ଜଣାଇଥିଲେ, ‘ଦେଖ ମା’, ଏହି ଶରୀରକୁ (ନିଜର ଦେହକୁ ଦେଖାଇ) ଦେବ-ଶରୀର ଜାଣିବ । ମୁଁ ଥିବା ପର୍ଯ୍ୟନ୍ତ ଏକଥା କେହି ଜାଣିପାରିବେ ନାହିଁ, ପରେ ବୁଝିବେ ।’ ଶ୍ରୀସାରଦାଦେବୀଙ୍କ ମଧ୍ୟରେ ମାନବୀ ଓ ଦେବୀଭାବର ଅପୂର୍ବ ମିଶ୍ରଣ ଜଗତକୁ ସ୍ତମ୍ଭୀଭୂତ କରିଅଛି ।ନିବେଦିତା ଲେଖିଛନ୍ତି-‘ନାରୀର ଆଦର୍ଶ ସମ୍ବନ୍ଧରେ ସାରଦାଦେବୀ ଶ୍ରୀରାମକୃଷ୍ଣଙ୍କର ଶେଷ କଥା ।’

ଶ୍ରୀଶ୍ରୀମା ଥିଲେ ‘ପୁରାତନ’ ର ଶେଷ ଅଭିବ୍ୟକ୍ତି ଓ ‘ନୂତନ’ ର ସାର୍ଥକ ସୂଚନା । ତାଙ୍କର ଜୀବନ ଉମା, ସୀତା, ସାବିତ୍ରୀ ଓ ଶ୍ରୀରାଧାଙ୍କ ଚରିତ୍ରର ଏକ ଅପୂର୍ବ ସଙ୍ଗମ । ପୁଣି ଗୋପା, ମୀରା ଓ ବିଷ୍ଣୁପ୍ରିୟାଙ୍କ ଜୀବନସାଧନା ମଧ୍ୟ ତାଙ୍କ ଭିତରେ ମୂର୍ତ୍ତ ହୋଇଥିବାର ଦେଖିବାକୁ ମିଳେ । ତାଙ୍କର ଜୀବନକୁ କେନ୍ଦ୍ର କରି ବର୍ତ୍ତମାନ ପୁଣି ସୀତା, ସାବିତ୍ରୀ, ଗାର୍ଗୀ ଓ ମୈତ୍ରେୟୀ ବାହାରିବେ-ଏହା ହିଁ ଥିଲା ସ୍ୱାମୀ ବିବେକାନନ୍ଦଙ୍କ ଭବିଷ୍ୟତ ବାଣୀ ।

Comments are closed.