ଜାନୁଆରୀ ୭ରୁ ଫେବ୍ରୁଆରି ୧ ସକାଳ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ କଟକଣା କଡାକଡି, ରାତି ୯ରୁ ସହରାଂଚଳରେ ନାଇଟ କର୍ଫ୍ୟୁ

ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁ ହେବ ନୂଆ କୋଭିଡ କଟକଣା

ଭୁବନେଶ୍ୱର – କୋରୋନା ସଂକ୍ରମଣ ବଢିଚାଲିଥିବାରୁ ରାଜ୍ୟ ସରକାର ପୁଣି କଟକଣା କଡାକଡି କରିଛନ୍ତି । ଜାନୁଆରୀ ୭ ତାରିଖରୁ ଫେବ୍ରୁଆରୀ ୧ ତାରିଖ ସକାଳ ପର୍ଯ୍ୟନ୍ତ କଡା କଟକଣା ଜାରି ରହିବ । ସବୁ ସହରାଂଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗିବ । ସବୁ ଦୋକାନ, ବଜାର, ହଲ୍‌, ମଲ୍ ଆଦି ରାତି ୯ଟା ମଧ୍ୟରେ ବନ୍ଦ ହେବ । ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ, କଲେଜ ବନ୍ଦ କରିଦିଆଯାଇଛି । ମାର୍କେଟ କଂପ୍ଲେକ୍ସ ,ସପିଂ ମଲ୍‌,ଦୋକାନ ଭିତରକୁ କେବଳ ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ପ୍ରବେଶ ଅନୁମତି ଦେବାକୁ କୁହାଯାଇଛି । କୌଣସି ସ୍ଥାନରେ ୧୦୦ ବର୍ଗଫୁଟ ମଧ୍ୟରେ ୪ ଜଣରୁ ଅଧିକ ଲୋକ ରହିବେ ନାହିଁ । ମଲ୍ ଓ ସପିଙ୍ଗ ମଲରେ ଯେପରି ଅଧିକ ଗହଳି ନ ହେବ, ସେ ନେଇ ମଲ୍ କର୍ତ୍ତୃପକ୍ଷ ଧ୍ୟାନ ଦେବେ । କୌଣସି ମଲ୍‌, ମାର୍କେଟ କଂପ୍ଲେକ୍ସ ବା ଦୋକାନରେ ଅଧିକ ଭିଡ ହେଲେ,ତେବେ ଜରିମାନା ସହ ଅତିରମରେ ୭ ଦିନ ଯାଏଁ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୌଣସି ସାମାଜିକ, ଧାର୍ମିକ ସମାବେଶ ହୋଇପାରିବ ନାହିଁ । ରାଜନୈତିକ,କ୍ରୀଡା, ଏକାଡେମିକ ସମାବେଶ କେବଳ ୧୦୦ ଜଣ ଲୋକଙ୍କୁ ନେଇ କରିହେବ । ଆବଦ୍ଧ ସ୍ଥାନରେ ମୋଟ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ । ତାହା ବି ୧୦୦ରୁ କମ୍ ହେଉଥିବା ଦରକାର । କୌଣସି ମେଳା, ପ୍ରଦର୍ଶନୀ ହୋଇପାରିବ ନାହିଁ । ହୋଟେଲ୍‌, ରେଷ୍ଟୁରାଂଟ୍‌,ବାର୍‌, ପବ୍ ଆଦି ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ଚାଲିବ ।

ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟିରେ ପୂର୍ବରୁ ୨୫୦ ଜଣଙ୍କୁ ଅନୁମତି ଦିଆଯାଉଥିବା ବେଳେ ଏବେ ବିବାହରେ ୧୦୦ ଜଣଙ୍କୁ ଅନୁମତି ଦିଆଯିବ । ବରଯାତ୍ରୀ ପାଇଁ ସର୍ବାଧିକ ୩୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯିବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୋଲିସ, ଅଗ୍ନିଶମ ଓ ବିପ ର୍ଯ୍ୟୟ ପରିଚାଳନା ଦାୟିତ୍ୱରେ ଥିବା ଅଫିସ ଛାଡ ଅନ୍ୟ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ । ଘରୋଇ ଅଫିସ ପାଇଁ ବି ଏହା ଲାଗୁ ହେବ ।

Comments are closed.