ପଂଚାୟତ ନିର୍ବାଚନ ନେଇ ଅନିଶ୍ଚିତତା ଦୂର, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି

ଭୁବନେଶ୍ୱର- କୋରୋନାର ତୃତୀୟ ଲହର ମଧ୍ୟରେ ପଂଚାୟତ ନିର୍ବାଚନ ପାଇଁ ଥିବା ଅନିଶ୍ଚିତତା ଦୂର ହୋଇଛି । ରାଜ୍ୟ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସବୁ ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନକୁ ଦେଇଥିବା ବେଳେ ଶନିବାର ଦିନ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି । ଓଡିଶା ଗ୍ରାମ ପଂଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ଅନୁସାରେ ଜାନୁଆରୀ ୮ ତାରିଖରେ ବିଜ୍ଞପ୍ତି ଜାରି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ପଂଚାୟତିରାଜ ବିଭାଗ ଏକାଥରକେ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି କରିଛି । ଓଡିଶା ଜିଲ୍ଲା ପରିଷଦ ଆକ୍ଟ ୧୯୯୧ର ଧାରା ୧୭ ଅନୁସାରେ ସମସ୍ତ ଜିଲ୍ଲା ପରିଷଦର ସଭ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଓଡିଶା ପଂଚାୟତ ସମିତି ଆକ୍ଟ-୧୯୫୯ ଏବଂ ଓଡିଶା ପଂଚାୟତ ସମିତି ନିର୍ବାଚ ରୁଲସ -୧୯୯୧ର ରୁଲ୍ -୪ (୧) ଅନୁସାରେ ସମସ୍ତ ପଂଚାୟତ ସମିତିରେ ସଭ୍ୟ ନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଓଡିଶା ଗ୍ରାମ ପଂଚାୟତ ଆକ୍ଟ-୧୯୬୪ର ଧାରା-୧୨ ( ୧, ୨ ) ,ଓଡିଶା ଗ୍ରାମ ପଂଚାୟତ ନିର୍ବାଚନ ରୁଲସ -୧୯୬୫ର ରୁଲ୍ ୧୩ ଅନୁସାରେ ରାଜ୍ୟର ସମସ୍ତ ପଂଚାୟତର ୱାର୍ଡ ସଭ୍ୟ ଓ ପଂଚାୟତ ନିର୍ବାଚନ କରିବାକୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । କେବଳ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଢିଙ୍କିଆ ଗ୍ରାମ ପଂଚାୟତରେ ନିର୍ବାଚନ ହେବ ନାହିଁ ।

ଆସନ୍ତାକାଲି ରାଜ୍ୟ ନିର୍ବାଚନ କମିଶନଙ୍କ ଡାକରାରେ ସର୍ବଦଳୀୟ ବୈଠକ ବସିବ । ଏଥିରେ ପଂଚାୟତ ନିର୍ବାଚନ ନେଇ ବିଚାରବିମର୍ଶ ହେଲା ପରେ ତାରିଖ ଘୋଷଣା କରିପାରନ୍ତି କମିଶନ ।

Comments are closed.