କୋଟିଏ ଟଙ୍କାର ଗଞ୍ଜେଇ ଜବତ

ବ୍ରହ୍ମପୁର: ଅବକାରୀ ଗୁଇନ୍ଦା ବିଭାଗ ବ୍ରହ୍ମପୁର ୟୁନିଟକୁ ନୂଆ ବର୍ଷର ଆଉ ଏକ ବଡ଼ ସଫଳତା। ଶନିବାର ପୂର୍ବାହ୍ନରେ ଜବତ ହୋଇଛି ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଦଶ କ୍ବିଣ୍ଟାଲ୍ ଗଞ୍ଜେଇ। ଗଜପତି ଜିଲ୍ଲା ଅଡ଼ବାରୁ ଭାୟା ବ୍ରହ୍ମପୁର ହୋଇ ଉତ୍ତରପ୍ରଦେଶ ରାଜ୍ୟକୁ ଚୋରାଚାଲାଣ ପାଇଁ ଗଚ୍ଛିତ ଏତେ ମାତ୍ରାର ଗଞ୍ଜେଇ ମାଡ଼ି ବସିଛି ଅବକାରୀ ଗୁଇନ୍ଦା ୟୁନିଟ୍। ଲାଞ୍ଜିପଲ୍ଲୀ ବାଇପାସ୍ ନିକଟ ଶିବାଶକ୍ତି ନଗର ଦଶମ ଗଳିରେ ଏକ ପରିତ୍ୟକ୍ତ ଘରେ ଏହାକୁ ଲୁଚାଇ ରଖାଯାଇଥିଲା। ରାଜ୍ୟ ଅବକାରୀ ବିଭାଗ କମିଶନର୍ ଆଶିଷ କୁମାର ସିଂହ ଓ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର ଭାତ୍ରାଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କୁବେର ସେଠୀ, ଇନିସପେକ୍ଟର ହୃଦୟଚନ୍ଦ୍ର ସାମନ୍ତଙ୍କ ତତ୍ତ୍ବାବଧାନରେ ଉକ୍ତ ଘରେ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ଅଡ଼ବା ଅଞ୍ଚଳର ଜିତେନ୍ଦ୍ର ଉଠାଣ ସିଂକୁ ଗିରଫ କରାଯାଇଥିବା ବେଳେ ତାଙ୍କ ସହଯୋଗୀ ଚମ୍ପଟ ମାରିବାରେ ସକ୍ଷମ ହୋଇଛି। ଚଳିତ ସପ୍ତାହରେ ହିଁ ଆସ୍କା ରୋଡ୍- ଫାଷ୍ଟ ଗେଟ ନିକଟରୁ ୪୫ ଲକ୍ଷ ଟଙ୍କାର ୫୦୦ କେଜି ଗଞ୍ଜେଇ ଜବତ କରାଯାଇଥିଲା।

Comments are closed.