ଲକ୍ଷ୍ମୀପୁର ଏସବିଆଇ ଶାଖାରୁ ସୁନାଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାଶ, ଲୁଟେରା ବ୍ୟାଙ୍କର ପୂର୍ବତନ କର୍ମଚାରୀ

କୋରାପୁଟ – କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସବିଆଇ ଶାଖାରୁ ସୁନାଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି । ବ୍ୟାଙ୍କର ପୂର୍ବତନ କର୍ମଚାରୀ ଶେଖର କୁଲଦିପିଆଙ୍କୁ ଗିରଫ କରାଯାଇଛି । ଶେଖରଙ୍କ ବିକ୍ରମପୁର ଘରୁ ୧ କେଜିରୁ ଅଧିକ ସୁନଗହଣା ବି ଜବତ କରାଯାଇଛି । ଏସବିଆଇର ଲକ୍ଷ୍ମୀପୁର ଶାଖା ଲକରରୁ ୧୬୧୦ ଦଶମିକ ୬୯ ଗ୍ରାମ ସୁନାଗହଣା ଚୋରି ହୋଇଯାଇଥିବା ନେଇେ ଗତ ୧୪ ତାରିଖରେ ମ୍ୟାନେଜର ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ସିସିଟିଭି ଫୁଟେଜକୁ ଯାଂଚ କରିଥିଲା । ଏଥିରୁ ଶେଖରଙ୍କ କଳା କାରନାମା ଜଣାପଡିଥିଲା । ୨୦୧୪ରୁ ୨୦୨୦ ଯାଏଁ ଶେଖର ଲକ୍ଷ୍ମୀପୁର ଏସବିଆଇର ମେସେଞ୍ଜର ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ବାହାର କରିଦିଆଯାଇଥିଲା । କିନ୍ତୁ ସେ ବ୍ୟାଙ୍କକୁ ପ୍ରାୟତଃ ଆସୁଥିଲେ । ମେସେଞ୍ଜର ଥିବା ବେଳେ ବ୍ୟାଙ୍କର ସବୁ କଥା ସେ ଜାଣିଥିଲେ । ଗତବର୍ଷ ନଭେମ୍ବର ୧୧ ତାରିଖରେ ଶେଖର ବ୍ୟାଙ୍କକୁ ଆସି ଏଣେତେଣେ ବୁଲି ଥିଲେ । ପରେ ସୁବିଧା ଦେଖି ସର୍ଭର ରୁମକୁ ପଶିଯାଇଥିଲେ ଶେଖର । ରାତି ୮ଟାରେ ବ୍ୟାଙ୍କ ବନ୍ଦ ହେଲା ପରେ ଶେଖର ସର୍ଭର ରୁମରୁ ବାହାରି ଶାଖା ପରିଚାଳକଙ୍କ ରୁମରୁ ଷ୍ଟ୍ରଙ୍ଗ ରୁମ୍ ଓ ଆଇରନ ଚେଷ୍ଟର ଚାବି ନେଇଥିଲେ । ଷ୍ଟ୍ରଙ୍ଗରୁମକୁ ଯାଇ ଆଇରନ ଚେଷ୍ଟରୁ ଶେଖର ୨୧ଟି ପ୍ୟାକେଟରେ ଥିବା ସୁନାଗହଣା ଉଠାଇଥିଲେ । ରାତି ସାରା ସେ ବ୍ୟାଙ୍କରେ ରହିଥିଲେ । ସକାଳେ ବ୍ୟାଙ୍କ କର୍ମଚାରୀମାନେ ଆସି କାମ ଆରମ୍ଭ କଲା ପରେ ସୁଯୋଦ ଦେଖି ସେ ପଳାଇଯାଇଥିଲେ । ଏ ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇ ରହଥିଲା ବେଳେ ଶେଖରଙ୍କୁ ଡାକି ପୋଲିସ ପଚରାଉଚରା କରିଥିଲା । ପୋଲିସ ଆଗରେ ନିଜେ ଚୋରି କରିଥିବା ସ୍ୱୀକାର କରିଛନ୍ତି ଶେଖର ।

Comments are closed.