ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ସମ୍ବଲପୁର ଭୂଖଣ୍ଡରେ ସିଏ ଥିଲେ ସ୍ପର୍ଧିତ ସ୍ବାଭିମାନର ସ୍ବର । ସିପାହୀ ବିଦ୍ରୋହକୁ ଯଦି ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଉଦ୍ୟମ ବୋଲି କୁହାଯାଏ ତେବେ ନିଶ୍ଚିତ ତାହା ସୁରେନ୍ଦ୍ରଙ୍କ ପ୍ରତି ଅନ୍ୟାୟ ହେବ। କାରଣ ତା’ର ବହୁବର୍ଷ ପୂର୍ବରୁ ସେ ଇଂରେଜ ଶାସନ ଓ ବିଦେଶୀ ସାମ୍ରାଜ୍ୟବାଦ ବିରୋଧରେ ବିଦ୍ରୋହ ଓ ସଶସ୍ତ୍ର ସଂଘର୍ଷ- ‘ଉଲଗୁଲାନ୍’ ଆରମ୍ଭ କରି ସାରିଥିଲେ । ଇଂରେଜମାନେ ସିପାହୀ ବିଦ୍ରୋହକୁ ବର୍ଷ କେଇଟା ମଧ୍ୟରେ ଦମନ କରିବାରେ ଏକପ୍ରକାର ସଫଳ ହୋଇଥିଲେ। ମାତ୍ର ସମ୍ବଲପୁରରେ ଏହାର ଦୀର୍ଘ ବର୍ଷ ପର ଯାଏ ସଂଗ୍ରାମର ବହ୍ନି ଜଳିଥିଲା। ସୁରେନ୍ଦ୍ର ସାଏ ଓ ତାଙ୍କ ସାଥୀମାନେ ଏହାକୁ ଜଳାଇ ରଖିଥିଲେ। ସେମାନଙ୍କ ନିକଟରେ ସାଧନ ନଥିଲା, ଆଧୁନିକ ଅସ୍ତ୍ରଶସ୍ତ୍ର ନଥିଲା କି ପ୍ରଶିକ୍ଷଣ ବ୍ୟବସ୍ଥା ନଥିଲା। ତଥାପି ଦୀର୍ଘ ସାତବର୍ଷ ଧରି ସେମାନେ ଶକ୍ତିଶାଳୀ ଇଂରେଜ ଫଉଜଙ୍କୁ ନୟାନ୍ତ କରି ରଖିଥିଲେ। ଯେତେବେଳେ ଆକୁମାରୀ ହିମାଚଳ ଦେଶର ସମସ୍ତ ଅଞ୍ଚଳ ଇଂରେଜ ଶାସନାଧୀନ ହୋଇସାରିଥିଲା, ସେତେବେଳେ କେବଳ ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀଙ୍କ ପାଇଁ ସମ୍ବଲପୁର ଥିଲା ବ୍ୟତିକ୍ରମ। ବ୍ରିଟିଶ ସାମ୍ରାଜ୍ୟରେ ପୂର୍ଣ୍ଣରୂପେ ବିଲୀନ ହେବାରେ ସମ୍ବଲପୁର ଥିଲା ଦେଶର ଶେଷ ସ୍ବାଧୀନ ରାଜ୍ୟ। କିନ୍ତୁ ଦୁର୍ଭାଗ୍ୟ। ସୁରେନ୍ଦ୍ର ସାଏ ଓ ସମ୍ବଲପୁର ମାଟିର ଏହି ବଳିଦାନ କାହାଣୀ ଆଜି ବି କେବଳ ସ୍ଥାନୀୟ କିମ୍ବଦନ୍ତୀ ଭଳି ରହିଛି। ଜାତୀୟ ଦୃଶ୍ୟପଟ୍ଟରେ ଝାନ୍ସୀ ରାଣୀ, ନାନାସାହେବ ଓ ତାନ୍ତ୍ୟ ଟୋପେଙ୍କ ପରି ସୁରେନ୍ଦ୍ର ଓ ତାଙ୍କ ସାଥୀ ସହଯୋଗୀଙ୍କୁ ମାନ୍ୟତା କି ସ୍ବୀକୃତି ମିଳିପାରିନି।
ଥରେ ଜଣେ ଇତିହାସକାର ଯୁକ୍ତି କରିଥିଲେ। ସୁରେନ୍ଦ୍ର ସାଏଙ୍କୁ କାହିଁକି ସ୍ବାଧୀନତା ସଂଗ୍ରାମୀ କୁହାଯିବ ବୋଲି ପ୍ରଶ୍ନ କରିଥିଲେ। କହିଥିଲେ ‘ସୁରେନ୍ଦ୍ର ସାଏ ଦେଶ ପାଇଁ ନୁହେଁ, ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଲଢ଼ିଥିଲେ। ତାଙ୍କୁ ରାଜଗାଦି ମିଳିଲାନି ବୋଲି ସେ ଇଂରେଜ ଓ ଇଂରେଜଙ୍କ ହାତର କାଠପିତୁଳା ତତ୍କାଳୀନ ସମ୍ବଲପୁର ରାଜାଙ୍କ ବିରୋଧରେ ଲଢ଼େଇ କରୁଥିଲେ। ଏଥିପାଇଁ ତାଙ୍କୁ ଜାତୀୟ ମୁକ୍ତିଯୋଦ୍ଧା କହିବା ଯୁକ୍ତିଯୁକ୍ତ କି’ ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ଯେତେବେଳେ ସେ ସୁରେନ୍ଦ୍ରଙ୍କ ଜୀବନୀ ଓ ତାଙ୍କ ସଂଗ୍ରାମର ସଂପୂର୍ଣ୍ଣ ଦସ୍ତାବେଜ ପଢ଼ିଥିଲେ ସେତେବେଳେ ସେ ମତ ବଦଳାଇଥିଲେ। ସୁରେନ୍ଦ୍ର କେବଳ ଜାତୀୟ ସଂଗ୍ରାମୀ ନଥିଲେ ବରଂ ସମ୍ବଲପୁର ସ୍ବାଭିମାନର ଏକ ସ୍ପର୍ଧିତ ଉଚ୍ଚାରଣ ଥିଲେ ବୋଲି ସେ କହିଥିଲେ।
ସୁରେନ୍ଦ୍ରଙ୍କ ସାରା ଜୀବନ କଟିଥିଲା ସଂଗ୍ରାମରେ। ରାଜବଂଶର ହୋଇ ମଧ୍ୟ ତାଙ୍କୁ ରାଜକୀୟ ସୁଖଭୋଗ ହୋଇନଥିଲା। ଯୁବାବସ୍ଥାରେ ହିଁ ଇଂରେଜ ଶାସନ ବିରୋଧରେ ସେ ଅସ୍ତ୍ର ଉଠାଇଥିଲେ। ଯେତେବେଳେ ସାରା ଦେଶ ତଥା ସ୍ଥାନୀୟ ଅଞ୍ଚଳରେ ଜଣକ ପରେ ଜଣେ ରାଜା ମହାରାଜା, ଜମିଦାର ଇଂରେଜମାନଙ୍କ ବଶତା ସ୍ବୀକାର କରି ଚାଲିଥିଲେ ସେତେବେଳେ ସୁରେନ୍ଦ୍ର ଇଂରେଜଙ୍କୁ ଅମାନ୍ୟ କରି ଆରମ୍ଭ କରିଥିଲେ ନୂଆ ଧାରା। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଭରିଥିଲେ ଜାତୀୟତାବାଦର ନୂଆ ଉନ୍ମାଦନା। ସେଥିପାଇଁ ସିପାହୀ ବିଦ୍ରୋହର ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଏଠାରେ ଆରମ୍ଭ ହୋଇଥିଲା ସଶସ୍ତ୍ର ସଂଘର୍ଷ। ତାଙ୍କ ଗରିଲା ଯୁଦ୍ଧରେ ଇଂରେଜମାନେ ତ୍ରାହି ତ୍ରାହି ଡାକିଥିଲେ। ନିଜେ ରାଜଗାଦିରେ ବସି ନଥିଲେ ବି ସୁରେନ୍ଦ୍ର ପାଲଟି ଯାଇଥିଲେ ସମ୍ବଲପୁର ଭୂଖଣ୍ଡର ସର୍ବମାନ୍ୟ ମୁକୁଟବିହୀନ ମହାରାଜା।
ଇତିହାସକାରମାନେ ସେ ସମୟର ଯେଉଁ ଚିତ୍ର ଉପସ୍ଥାପନ କରିଛନ୍ତି ସେଥିରୁ ସ୍ପଷ୍ଟ ଯେ ତତ୍କାଳୀନ ସମ୍ବଲପୁର ରାଜ୍ୟର ଏକ ବିଶେଷ ମର୍ଯ୍ୟାଦା ଓ ଉଚ୍ଚ ଆସନ ରହିଥିଲା। ସମ୍ବଲପୁରର ରାଜାଙ୍କୁ ନିକଟବର୍ତ୍ତୀ ଅଞ୍ଚଳର ରାଜା, ଜମିଦାର ଓ ଗୌନ୍ତିଆମାନେ ଯଥେଷ୍ଟ ସମ୍ମାନ ଦେଉଥିଲେ। ଇଂରେଜମାନେ ନାନା ଫନ୍ଦି କରି ଓ ନୂଆ ଆଇନ ପ୍ରଣୟନ କରି ସେ ସମ୍ମାନକୁ ସଂକୁଚିତ କରିବାକୁ ଉଦ୍ୟମ କରିଥିଲେ। ଡିଭାଇଡ୍ ଆଣ୍ଡ ରୁଲ୍ ଯୋଜନାରେ ରାଜା ରାଜା ଓ ଗୌନ୍ତିଆମାନଙ୍କ ମଧ୍ୟରେ ବିଭେଦ ଓ ଶତ୍ରୁତା ସୃଷ୍ଟି କରିବାକୁ ଚାହିଥିଲେ। କିନ୍ତୁ ନିଜମାଟି ଓ ନିଜ ମାଟିର ମଣିଷମାନଙ୍କୁ ଭଲ ପାଉଥିବା ରାଜା ଓ ଗୌନ୍ତିଆଙ୍କ ପାଇଁ ଏହା ଅଶ୍ବସ୍ତିକର ଥିଲା। କିନ୍ତୁ ସେମାନେ ଶକ୍ତିଶାଳୀ ନଥିଲେ କି ସେମାନଙ୍କ ନିକଟରେ ସମ୍ବଳ ନଥିଲା। ସେମାନେ ଏକ ଶକ୍ତିଶାଳୀ ଛତ୍ରର ସନ୍ଧାନରେ ଥିଲେ ଯାହା ସୁରେନ୍ଦ୍ର ସାଏ ସେମାନଙ୍କୁ ପ୍ରଦାନ କରିଥିଲେ। ବିଭିନ୍ନ ଜମିଦାର ଓ ଗୌନ୍ତିଆଙ୍କ ନିକଟକୁ ଯାଇ ସୁରେନ୍ଦ୍ର ସେମାନଙ୍କୁ ସଂଗଠିତ କରିଥିଲେ। ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ସ୍ବାଭିମାନର ବୀଜ ବପନ କରିଥିଲେ। ଲୋକଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ହୋଇଥିଲା ଯେ ସୁରେନ୍ଦ୍ର ହିଁ କେବଳ ଇଂରେଜମାନଙ୍କୁ ହରାଇ ସେମାନଙ୍କୁ ଉତ୍ତମ ଓ ଅତ୍ୟାଚାରମୁକ୍ତ ଜୀବନ ପ୍ରଦାନ କରିପାରିବେ।
୧୮୪୦ରେ ସୁରେନ୍ଦ୍ର ସାଏ ଗିରଫ ହେବା ପରେ ତାଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଥିଲା। ମାତ୍ର ଇଂରେଜମାନେ ଆଶଂକା କରିଥିଲେ ଯେ ସେ ଜେଲରୁ ବାହାରକୁ ଆସିଲେ ପୁଣି ଲୋକେ ସଂଗ୍ରାମ ଆରମ୍ଭ କରିଦେବେ। ସେଥିପାଇଁ ତାଙ୍କ ଜେଲ ଦଣ୍ଡାଦେଶକୁ ‘ଆଜୀବନ’ କରି ଦିଆଯାଇଥିଲା। ଦୀର୍ଘ ୧୭ ବର୍ଷ କାଳ ସେ ହଜାରିବାଗ ଜେଲରେ ରହିଥିଲେ ବି ଲୋକଙ୍କ ମଧ୍ୟରେ ବିଶ୍ବାସ ଥିଲା ଯେ ସୁରେନ୍ଦ୍ର ଫେରିବେ ଓ ସେମାନଙ୍କ ରାଜା ହେବେ। ସତକୁସତ ୧୮୫୭ରେ ସୁରେନ୍ଦ୍ର ସାଏ ଫେରିଲେ ଓ ବିପ୍ଳବକୁ ଜୋରଦାର କଲେ। ଲୋକଙ୍କର ଭରସା ଆହୁରି ଦୃଢ଼ୀଭୂତ ହୋଇଥିଲା। ଜନସାଧାରଣ ବି ତାଙ୍କୁ ସମର୍ଥନ, ସହଯୋଗ କରିଥିଲେ, ସଂଗ୍ରାମରେ ଝାସ ଦେଇଥିଲେ। ଲୋକମାନେ ଜାଣିସାରିଥିଲେ ସୁରେନ୍ଦ୍ରଙ୍କ ଲଢ଼େଇ କୌଣସି ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ଲଢ଼େଇ ନୁହେଁ, ମାଟି ଓ ମାଟିର ମଣିଷଙ୍କ ପାଇଁ ଲଢ଼େଇ।
ସିପାହୀ ବିଦ୍ରୋହରେ ନେତୃତ୍ବ ନେଇଥିବା ଅଧିକାଂଶ ରାଜା ମହାରାଜା ପ୍ରଥମେ ବ୍ୟକ୍ତିଗତ କାରଣ ପାଇଁ ଇଂରେଜଙ୍କ ଉପରେ କ୍ଷୁବ୍ଧ ଥିଲେ। କିନ୍ତୁ ସମସ୍ତେ ମିଶିଗଲା ପରେ ସେମାନଙ୍କ ଲଢ଼େଇ ଜାତୀୟ ସଂଗ୍ରାମର ରୂପ ନେଇଥିଲା। ସୁରେନ୍ଦ୍ର ଏହି ଜାତୀୟ ସଂଗ୍ରାମୀମାନଙ୍କ ସହ ମିଶି ସାରିଥିଲେ। କେବଳ ସମ୍ବଲପୁର ନୁହେଁ, ନାଗପୁର ଓ ରାଞ୍ଚିଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେଠାକାର ସଂଗ୍ରାମୀଙ୍କୁ ସହଯୋଗ କରିଥିଲେ ବୋଲି ଦସ୍ତାବେଜ ଭିତ୍ତିକ ପ୍ରମାଣ ମିଳିଛି।
ଏସବୁ ସତ୍ତ୍ବେ ବି ଏହି ଜାତୀୟ ବୀର ଜାତୀୟ ପ୍ରେକ୍ଷାପଟ୍ଟରେ ଉପେକ୍ଷିତ। ତାଙ୍କର ବୀରଗାଥାର ପ୍ରଚାର ପ୍ରସାର ଦିଗରେ ଆନ୍ତରିକ ଉଦ୍ୟମ ହୋଇଛି ବୋଲି ଏବେ ବି ଜଣାପଡ଼ୁନି। ସ୍ମୃତିରକ୍ଷା କେବଳ ଭାଷଣବାଜିରେ ସୀମିତ ରହିଛି। ଜାନୁଆରି ୨୩ ତାରିଖରେ ସେ ଜନ୍ମ ହୋଇଥିଲେ। ତାଙ୍କର ଏହି ମହାର୍ଘ୍ୟ କ୍ଷଣରେ ସ୍ବାଭିମାନୀ ବରପୁତ୍ରଙ୍କୁ କୋଟି କୋଟି ପ୍ରଣାମ।
( ସଂଗୃହିତ)
Comments are closed.