ଦକ୍ଷିଣ ଓଡ଼ିଶାକୁ କେନ୍ଦ୍ର ସରକାରର ଧୋକ୍କା: ରେଳଡବା କାରଖାନାକୁ ପୁଣି ଭୁଲିଗଲେ

ବ୍ରହ୍ମପୁର: ବ୍ରହ୍ମପୁର- ସମ୍ବଲପୁର ଭାୟା ଫୁଲବାଣୀ ୨୭୦ କିମି ନୂଆ ରେଳପଥକୁ ଅନୁଦାନ କହିଲେ ମିଳିଛି ମାତ୍ର ହଜାରେ ଟଙ୍କା ଟୋକନ୍ ମନି। ଏହି ରେଳଲାଇନ୍‌ ବାବଦ ସର୍ଭେ ସରିଛି। କିନ୍ତୁ ନିର୍ମାଣ କାମ ଆରମ୍ଭ ହେବାକୁ କୌଣସି ଆଖିଦୃଶିଆ ବ୍ୟୟବରାଦ କରାଯାଉନି। ୨୦୧୬- ୧୭ ମସିହାର ପ୍ରକଳ୍ପ ହେଉଛି ଜୟପୁର- ମାଲକାନଗିରି ରେଳଧାରଣା ପ୍ରସ୍ତାବ। ହେଲେ ୧୩୦ କିମି ରେଳପଥ ପାଇଁ ବ୍ୟୟ ମଞ୍ଜୁର ହୋଇଛି ମାତ୍ର ୨.୮ କୋଟି ଟଙ୍କା। ସେହିପରି ଜୟପୁର- ନବରଙ୍ଗପୁର ୩୮ କିମି ରେଳପଥ ପାଇଁ ନାମକୁ ମାତ୍ର ୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ହେଉଛି ଚଳିତ ବର୍ଷର କେନ୍ଦ୍ର ବଜେଟ୍‌ରେ ଉଲ୍ଲିଖିତ ରେଳ ବିଭାଗର ବ୍ୟୟ ଅଟକଳ ସମ୍ପର୍କିତ କିଛି ତଥ୍ୟ। ଏସବୁ ତଥ୍ୟରୁ ଏହା ସ୍ପଷ୍ଟ ଯେ କେନ୍ଦ୍ର ସରକାର ଦକ୍ଷିଣ ଓଡ଼ିଶାକୁ କିଭଳି ଧୋକ୍କା ଦେଇଛନ୍ତି।

କେବଳ ଏତିକି ନୁହେଁ କେନ୍ଦ୍ର ପ୍ରତାରଣାର ଆଉ କିଛି ଝଲକ ମଧ୍ୟ ଏହି ବଜେଟରୁ ଦେଖିବାକୁ ମିଳେ। ଏଇ ଯେମିତି ଗୋପାଳପୁର- ରାୟଗଡ଼ା, ଗୋପାଳପୁର- ତାଳଚେର, ଗୋପାଳପୁର- ନୟାଗଡ଼ ଭାୟା ତାରାତାରିଣୀ ଓ ବୁଗୁଡ଼ା, ଗୁଣପୁର- ରାୟଗଡ଼ା, ମାଲକାନଗିରି- ନବରଙ୍ଗପୁର ନୂଆ ରେଳ ଧାରଣାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ସେହିପରି ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ନୂଆଦିଲ୍ଲୀକୁ ପ୍ରତିଦିନ ଟ୍ରେନ୍‌ ଚଳାଚଳ ଦାବି କାର୍ଯ୍ୟକାରୀ ହେଲାନି। ଏପରିକି ବ୍ରହ୍ମପୁର- ପୁରୀ ଦୈନିକ ରେଳ ଗମନାଗମନ ଦାବି, ପ୍ରସ୍ତାବ ଓ ସୁପାରିଶକୁ ମଧ୍ୟ ଆଦୌ ଗୁରୁତ୍ବ ଦିଆଯାଇନି।

ଆହୁରି ମଧ୍ୟ କେନ୍ଦ୍ର ବଜେଟ୍‌ରେ ରେଳ ମନ୍ତ୍ରଣାଳୟ ଦକ୍ଷିଣ ଓଡ଼ିଶାକୁ ପ୍ରତାରଣା କରିଛି। ବର୍ଷ ବର୍ଷ ଧରି ଏହି ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବିତ କୌଣସି ପ୍ରକଳ୍ପକୁ ବଜେଟ୍‌ରେ ମଞ୍ଜୁରି ଦିଆ ନଯିବାର ଧାରା ଏଥର ମଧ୍ୟ ଜାରି ରହିଛି। ବିଶେଷକରି ରେଳ ବିଭାଗକୁ ଓଡ଼ିଶାରୁ ଦ୍ବିତୀୟ ସର୍ବାଧିକ ରାଜସ୍ବ ପ୍ରଦାନ କରୁଥିବା ବ୍ରହ୍ମପୁର ରେଳଷ୍ଟେସନ୍ ତଥା ଗଞ୍ଜାମ ଜିଲ୍ଲାକୁ ମଧ୍ୟ ହତାଦର କରାଯାଇଛି। ଓଡ଼ିଶାର ସର୍ବପୁରାତନ ବ୍ରହ୍ମପୁର ଷ୍ଟେସନ୍। ଏହାର ଆଧୁନିକୀକରଣ କାମ ସତେଯେମିତି ଅଟକି ରହିଛି। ଚଳିତ ବଜେଟ୍‌ରେ ଦେଶର ୪୦୦ ରେଳଷ୍ଟେସନ୍ ମଡେଲ୍‌ ଷ୍ଟେସନ୍ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। କିନ୍ତୁ ବ୍ରହ୍ମପୁର ଷ୍ଟେସନ୍ ବାଦ୍ ପଡ଼ିବା କେନ୍ଦ୍ରର ଗଭୀର ଅବହେଳା ଆଡ଼କୁ ଇଙ୍ଗୀତ କରୁଛି। ଏଭଳି ସ୍ଥିତିରେ ରେଳ ଟର୍ମିନାଲ ପ୍ରସ୍ତାବ ସତେ ଯେମିତି ସ୍ୱପ୍ନରେ ହିଁ ରହିଯାଇଛି। ଏହି ପ୍ରସ୍ତାବର ଫାଇଲ୍‌ରେ ସତେଯେପରି ନାଲି ଫିତା ଜୋର୍‌ରେ ବାନ୍ଧି ଦିଆଯାଇଛି ଓ ତାହାରି ତଳେ ଏହି ପ୍ରସ୍ତାବ ଚାପି ରହି ଯାଇଛି। ସେହିପରି ଶିଳ୍ପ କରିଡର ପ୍ରସ୍ତାବ ତ ଫାଇଲ୍ ଭିତରେ ବାନ୍ଧି ହୋଇ ରହିଯାଇଛି।

କେନ୍ଦ୍ର ଧୋକ୍କାବାଜିର ଆଉ ଏକ ନଜିର ପାଲଟିଛି ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀର ପ୍ରସ୍ତାବିତ ରେଳ ୱାଗନ୍ କାରଖାନା। ଗଞ୍ଜାମ ଜିଲ୍ଲାବାସୀଙ୍କ ବହୁ ଦିନର ଆଶାକୁ ସତେଯେମିତି ନିରାଶାରେ ପରିଣତ କରିବାକୁ ମୋଦି ସରକାର ପ୍ରତିବଦ୍ଧ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଶୀତଳାପଲ୍ଲୀ ଠାରେ ରେଳ ଡବା ଶିଳ୍ପ ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଚିଠି ଆଧାରରେ ରେଳ ମନ୍ତ୍ରାଳୟ ଜମି ଯୋଗାଇ ଦେବାକୁ କହିଥିଲେ। ୧୦୧ ଏକର ଜମି ଅଧିଗ୍ରହଣ କରିଥିଲେ ରାଜ୍ୟ ସରକାର। ଜମି ହସ୍ତାନ୍ତର ପରେ ଏନେଇ କେନ୍ଦ୍ର ସରକାରଙ୍କୁ ସବୁପ୍ରକାର ସହାୟତା କରିବାକୁ ମଧ୍ୟ ପତ୍ର ଲେଖିଥିଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ଜମି ଅଧିଗ୍ରହଣ ବାବଦରେ ରାଜ୍ୟ ସରକାର ଜଣାଇବା ପରେ ୨୦୧୧ ରେଳ ବଜେଟ୍‌ରେ ଏନେଇ ପ୍ରଥମ କରି ଅର୍ଥ ବରାଦ ହୋଇଥିଲା। ଯଦିଓ ତାହାର ପରିମାଣ ଥିଲା ଟୋକନ୍ ମନି କୁହାଯାଉଥିବା ମାତ୍ର ଏକ ଲକ୍ଷ ଟଙ୍କା। ଲଗାତର ବଜେଟ୍‌ରେ ଏଭଳି ନାମକୁ ମାତ୍ର ଅନୁଦାନ ମଞ୍ଜୁର ପରେ ମୋଦି ସରକାର ଶାସନକୁ ଆସିବା ପରେ ୨୦୧୬ ମସିହାରୁ କେନ୍ଦ୍ରର ଫାଇଲ୍‌ରୁ ପ୍ରସ୍ତାବିତ ରେଳ ଡବା କାରଖାନା ବାବଦରେ ଆଉ କୌଣସି ନାଁ ଗନ୍ଧ ବା ତଥ୍ୟ ନଥିଲା। ଏପରିକି ୱାଗନ୍ ଶିଳ୍ପ ବାବଦ ଅଧିଗ୍ରହଣ ଜମି ଫେରାଇ ନେବାକୁ କେନ୍ଦ୍ର ସରକାର ରାଜ୍ୟକୁ ଚିଠି ମଧ୍ୟ ଲେଖି ସାରିଥିଲେ।

ତଥାପି ବର୍ଷକ ତଳେ ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ଏହି ପ୍ରସ୍ତାବ ପୁଣି ଜୀବନ୍ତ ହୋଇ ଉଠିଥିଲା। ଖୋଦ୍ ମନ୍ତ୍ରୀ ୱାଗନ୍‌ ପ୍ଲାଣ୍ଟ ବାବଦରେ ପୁଣି ଘୋଷଣା କରି ଏସମ୍ପର୍କିତ ଆଶାକୁ ନୂଆ ସମ୍ଭାବନା ପ୍ରଦାନ କରିଥିଲେ। ୱାଗନ୍ କାରଖାନା ଜମି ଫେରସ୍ତ ବାବଦ ଚିଠି ଫେରାଇ ଜମି ସଂରକ୍ଷିତ ରଖିବାକୁ କେନ୍ଦ୍ର ସରକାର ପୁଣି ପତ୍ର ଲେଖିଥିଲେ। ଉକ୍ତ ଜମି ରେଳ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଖୋର୍ଦ୍ଧା ରେଳ ଡିଭିଜନ୍ ତରଫରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇ ଥିଲା। କିନ୍ତୁ ପୁଣି ଏଥର ବଜେଟ୍‌ରେ ୱାଗନ୍ ଶିଳ୍ପ ବାବଦରେ କେନ୍ଦ୍ର ସରକାର, ଅର୍ଥ ମନ୍ତ୍ରୀ ଓ ରେଳ ମନ୍ତ୍ରୀ ଚୁପ୍ ରହିବା ଗଞ୍ଜାମ ଜିଲ୍ଲାବାସୀଙ୍କୁ ହତାଶ କରିଛି। ଏପରିକି ଖୋଦ୍ ବିଜେପି ଜିଲ୍ଲା ସଭାପତି ବିସ୍ମୟ ପ୍ରକାଶ କରିଛନ୍ତି ଯେ- ରେଳଡବା କାରଖାନା ସମ୍ପର୍କରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦଳୀୟ ନେତାଙ୍କୁ ଆଶ୍ୱସ୍ତ କରିଥିଲେ ହେଁ ବଜେଟ୍‌ରେ ଏ ବାବଦରେ କୌଣସି ଉଲ୍ଲେଖ ନରହିବା ବିସ୍ମୟଜନକ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା।

ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧତ୍ବ କରୁଛନ୍ତି। ଅଥଚ ଓଡ଼ିଶାରେ ରେଳବାଇର ବିକାଶ ସମ୍ପର୍କିତ ଆଶା ଓ ବିଶ୍ୱାସ ସତେ ଯେମିତି ପୁଣି ବିଫଳ ହୋଇଛି। କାରଣ ଆମ ରାଜ୍ୟ ପ୍ରତି ରେଳ ବିକାଶ ବାବଦ ବ୍ୟୟବରାଦ ଅତ୍ୟନ୍ତ ନୈରାଶ୍ୟଜନକ। ଏଥର ରେଳ ବଜେଟ୍‌ ଦକ୍ଷିଣ ଓଡ଼ିଶା ପ୍ରତି ନ୍ୟୁନତମ ଫାଇଦା ମିଳୁ ନଥିବା ଚର୍ଚ୍ଚା ହେଉଛି। ସତେଯେମିତି ରେଳ ବଜେଟରେ ଦକ୍ଷିଣ ଓଡ଼ିଶାବାସୀଙ୍କୁ ଅଟ୍ଟହାସ୍ୟ କରାଯାଇଛି।

Comments are closed.