ହକି ଇଣ୍ଡିଆର ୧୧ତମ ଜାତୀୟ ଚାମ୍ପିଅନସିପ୍: କନିଷ୍ଠ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ଟିମକୁ ରାଉରକେଲାରେ ସମ୍ବର୍ଦ୍ଧନା

ରାଉରକେଲା: ତାମିଲନାଡୁର କୋଭିଲପଟିଠାରେ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ୧୧ତମ ଜାତୀୟ ଚାମ୍ପିଅନସିପ-୨୦୨୧ର କନିଷ୍ଠ ପୁରୁଷ ବର୍ଗରେ ଭାଗନେଇ ଓଡ଼ିଶା ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି। ତେଣୁ ଏହି ଟିମର ସମସ୍ତ ଖେଳାଳି, କୋଚ୍ ଏବଂ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଶୁକ୍ରବାର ଦିନ ରାଉରକେଲାଠାରେ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି।

ରାଉରକେଲା ମହାନଗର ନିଗମ ପକ୍ଷରୁ ପାନପୋଷ କ୍ରୀଡ଼ା ଛାତ୍ରାବାସଠାରେ ଖେଳାଳିମାନଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ଖେଳାଳିମାନଙ୍କୁ ହକି ଇଣ୍ଡିଆ ପ୍ରଦତ୍ତ ମାନପତ୍ର ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମେର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସୁନ୍ଦରଗଡ଼ ମାଟିର ଏହି ହକି ପ୍ରତିଭାମାନେ ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଏହା ଆମ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବର କଥା ବୋଲି କମିଶନର କହିଛନ୍ତି।

ରାଉରକେଲା ଏସପି ମୁକେଶ କୁମାର ଭାମୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ସୁନ୍ଦରଗଡ଼ ଜିଲ୍ଲା ହକି ପାଇଁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ପାଇଛି। ଆଜି ଯେଉଁ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଆଗାମୀ ଦିନରେ ସେମାନେ ଆହୁରି ଭଲ ଖେଳ ପ୍ରଦର୍ଶନ କରି ଆଗକୁ ଯିବେ ବୋଲି ଆଶା ରହିଛି।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିଆନ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ (ଅତିରିକ୍ତ ଦାୟିତ୍ୱ) ଲାଜରୁସ ବାର୍ଲା, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନ, ସହକାରୀ କମିଶନର ସୁକାନ୍ତ କୁମାର ବେଉରା, ନରେନ୍ଦ୍ର ପ୍ରଧାନ ଏବଂ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲା ମହାନଗର ନିଗମର ପିଏମୟୁ ବିଶେଷଜ୍ଞ ପ୍ରଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

୨୦୨୧ ଡିସେମ୍ବର ୧୬ରୁ ୨୫ ତାରିଖ ଭିତରେ ତାମିଲନାଡୁର କୋଭିଲପଟିଠାରେ ଏହି ହକି ଚାମ୍ପିୟନସିପ ଆୟୋଜିତ ହୋଇଥିଲା। ସିରିଲ ଲୁଗୁନଙ୍କ ଅଧିନାୟକତ୍ୱରେ ଆରମ୍ଭରୁ ଓଡ଼ିଶା ଟିମ୍ ଭଲ ପ୍ରଦର୍ଶନ କରି ଆସୁଥିଲା। ତେବେ ହରିଆନାକୁ ହରାଇ ଓଡ଼ିଶା ହକି ଟିମ ବ୍ରୋଞ୍ଜ ପଦକ ବିଜେତା ହୋଇଥିଲା।

Comments are closed.