ଏସିଆ ବୁକ୍ ଅଫ୍ ରେକର୍ଡସରେ ବ୍ରହ୍ମପୁର ଆଇଟିଆଇ: ୩୦ ଫୁଟ ଉଚ୍ଚ, ୩ ଟନ୍ ଓଜନ ଇ-ୱେଷ୍ଟ ରୋବୋକୁ ସ୍ବୀକୃତି

ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଦ୍ୱାରା ଇ-ଆବର୍ଜନାରେ ନିର୍ମିତ ଏକ କଳାକୃତି ଏସିଆ ବ୍ଲକ୍ ଅଫ୍ ରେକର୍ଡସ୍ ଦ୍ଵାରା ସ୍ବୀକୃତି ପାଇଛି। ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ୩୦ ଫୁଟ ଉଚ୍ଚ ଓ ୩ ଟନ୍ ଓଜନର ଇ-ୱେଷ୍ଟ ରୋବୋର୍ଟ ଦେଶର ସବୁଠୁ ଲମ୍ବା ଇ-ଓ୍ବେଷ୍ଟ ସ୍କଲ୍‌ପଚର୍ ଭାବେ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁରୁ ତିଆରି ଏହି ରୋବୋର୍ଟ କଳାକୃତି ବ୍ରହ୍ମପୁର ବ୍ରହ୍ମପୁର ଆଇଟିଆଇ ପରିସର ମୁକ୍ତାକାଶ ସ୍କ୍ରାପ୍ ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି। ବ୍ରହ୍ମପୁର ଆଇଟିଆଇ ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରୋନିକ୍ସ, ପେଣ୍ଟର୍ ଛାତ୍ରଛାତ୍ରୀମାନେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ପରିତ୍ୟକ୍ତ ସାମଗ୍ରୀ ଯଥା ଇ-ଟୟ, ପିସିବି, ପ୍ରିଣ୍ଟର୍, ମନିଟର୍, ରାମ୍, କିବୋର୍ଡ, ସିଡି ପ୍ଲେଟ୍‌କୁ ବ୍ୟବହାର କରି ଏହାକୁ ନିର୍ମାଣ କରିଥିଲେ। ଏସବୁ ଇ-ଆବର୍ଜନା ବ୍ରହ୍ମପୁର ସହରରୁ ହିଁ ସଂଗ୍ରହ କରାଯାଇ ଥିଲା।

୧୯୫୭ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ବ୍ରହ୍ମପୁର ସରକାରୀ ଆଇଟିଆଇ ଏ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ କୃତିତ୍ବ ସୃଷ୍ଟି କରିବାରେ ଲାଗିଛି। ୨୦୨୧ ନଭେମ୍ବର ୨ ତାରିଖରେ ଏହି ରୋବୋର୍ଟକୁ ଉଦ୍‌ଘାଟନ କରାଯାଇ ଥିବା ବେଳେ ଗତ ଜାନୁଆରୀ ୧୩ ତାରିଖରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଦ୍ଵାରା ସ୍ବୀକୃତି ନିମନ୍ତେ ଗ୍ରହଣ କରାଯାଇ ଥିଲା। ପୂର୍ବରୁ ବ୍ରହ୍ମପୁର ଆଇଟିଆଇ ଦ୍ୱାରା ବିଭିନ୍ନ କଳାକୃତି ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନୀତ ହୋଇସାରିଛି। ପୂର୍ବରୁ ମଧ୍ୟ ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଥିଲା ଏଠିକାର ଓପନ୍‌ ଏୟାର ସ୍କ୍ରାପ୍ ମ୍ୟୁଜିୟମ୍ ଯାହା ସାରା ଏସିଆ ମହାଦେଶରେ ଅଦ୍ବିତୀୟ ଅଟେ I ଯେଉଁଠି ସ୍ଥାନ ପାଇଛି ୭୦ ଫୁଟ ଉଚ୍ଚର ଗୀଟାର୍, ୩୨ ଫୁଟ ଜିରାଫ୍, ୩୦ ଫୁଟ ତ୍ରିରଙ୍ଗା ଚିହ୍ନିତ ଭାରତୀୟ ମାନଚିତ୍ର, ୨୮ ଫୁଟ ପ୍ରେଡିଏଟର୍, ୨୫ ଫୁଟ ଆଇରନ୍ ମ୍ୟାନ୍, ୨୫ ଫୁଟର ଓଡ଼ିଶା ମାନଚିତ୍ର, ୨୨ ଫୁଟ ଝିଟିପିଟି, ୧୮ ଫୁଟ ଉଚ୍ଚର କିଙ୍ଗ୍‌କଙ୍ଗ୍ ଓ ମାଛ, ୧୬ ଫୁଟ ଉଚ୍ଚର ହରିଣ ଓ ଡଲ୍‌ଫିନ୍, ୧୦ ଫୁଟର ମୟୁର ସମେତ ହେଲିକ୍ୟାପ୍ଟର୍, ଟ୍ୟାଙ୍କର୍, କଇଁଛ ଏବଂ ଗ୍ରାସ୍ ପାର୍କ ଆଦି ଅନେକ କଳାକୃତି।

ବ୍ରହ୍ମପୁର ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ କହିଛନ୍ତି ଯେ- ବର୍ତ୍ତମାନ ସମୟରେ ଲୋକେ ଅଧିକ ମାତ୍ରାରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବହାର କରୁଛନ୍ତି। ଫଳରେ ଅଧିକ ସଂଖ୍ୟାରେ ପରିତ୍ୟକ୍ତ ଓ ଅଦରକାରୀ ଇ-ଆବର୍ଜନା ସୃଷ୍ଟି ହେଉଛି ଯାହା ପରିବେଶ ପାଇଁ କ୍ଷତିକାରକ। ଏହାର ଉପଯୁକ୍ତ ପରିଚାଳନା ଏକ ଆହ୍ବାନ ଅଟେ। ତେବେ ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏସବୁକୁ ବ୍ୟବହାର କରି ଭିନ୍ନ ଭିନ୍ନ ନିଆରା ଓ ବିଶାଳ କଳାକୃତି ସୃଷ୍ଟି କରାଯିବା ନିଶ୍ଚିତ ଭାବେ ଏକ ସମାଧାନର ରାସ୍ତାକୁ ଦର୍ଶାଏ। ଏଭଳି କଳାକୃତି ଘରେ, ସର୍ବସାଧାରଣ ସ୍ଥାନ, ଛକ, ପାର୍କ ଆଦି ଜାଗାରେ ସାଜସଜ୍ଜାରେ ବ୍ୟବହୃତ ହୋଇପାରିବ। ଏଥିସହ ଆଇଟିଆଇର ଏଭଳି ପଦକ୍ଷେପ ଆଗକୁ ଇ-ଆବର୍ଜନା ପରିଚାଳନାରେ ବିଶେଷ ସହାୟକ ହୋଇପାରିବ। ଅପରପକ୍ଷରେ ଏଭଳି ସ୍କ୍ରାପ୍ ସ୍କଲ୍‌ପଚର୍‌ ବିଭିନ୍ନ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ଆମ ରାଜ୍ୟ ସମେତ ବ୍ରହ୍ମପୁର ଆଇଟିଆଇର ଗୌରବ ବୃଦ୍ଧି କରୁଛି।

Comments are closed.