ପଞ୍ଚାୟତ ନିର୍ବାଚନ : ଗଞ୍ଜାମ ଜିଲ୍ଲାରେ ୬୮୩ ସମ୍ବେଦନଶୀଳ ଓ ୪୩୧ ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ଗଞ୍ଜାମ ଜିଲ୍ଲାରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଧୀରେ ଧୀରେ ଜମିବାରେ ଲାଗିଛି ପ୍ରଚାର । ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ସ୍ୱଚ୍ଛ, ଅବାଧ ଓ ଶାନ୍ତିଶୃଙ୍ଖଳାରେ ମତଦାନ ପ୍ରଶାସନ ପାଇଁ ବଡ ଆହ୍ୱାନ ହୋଇଥିବା ବେଳେ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି ।

ମତଦାନ ପୂର୍ବରୁ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ପକ୍ଷରୁ ଜିଲ୍ଲାର ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ଜିଲ୍ଲାରେ ମୋଟ ୭ ହଜାର ୯୯ ବୁଥ୍ ମଧ୍ୟରୁ ୬୮୩ଟି ସମ୍ବେଦନଶୀଳ ଓ ୪୩୧ଟି ବୁଥକୁ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି ।

ଗଞ୍ଜାମ ପୋଲିସ ଜିଲ୍ଲା ଅଧୀନରେ ୫ଟି ପର୍ଯ୍ୟାୟରେ ୧୯ଟି ବ୍ଲକର ୩୭୯ଟି ପଂଚାୟତର ୫ ହଜାର ୩୮୭ଟି ବୁଥରେ ମତଦାନ ହେବ । ଏଥିରୁ ୪୨୬ଟି ସମ୍ବେଦନଶୀଳ ଓ ୩୮୧ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧୀନରେ ୮ଟି ବ୍ଲକର ୧୧୬ଟି ପଂଚାୟତର ମୋଟ ୧ ହଜାର ୭୧୨ଟି ବୁଥରେ ମତଦାନ ହେବ । ଏଥିମଧରୁ ୨୫୭ଟି ବୁଥ ସମ୍ବେଦନଶୀଳ ଓ ୫୦ଟି ଅତିସମ୍ବେଦନଶୀଳ ଚିହ୍ନଟ ହୋଇଛି ।

ନିର୍ବାଚନରେ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ହିଂସାକାଣ୍ଡ ରୋକିବା ପାଇଁ କଡା ପଦକ୍ଷେପ ନିଆଯାଇଛି । ମତଦାନ ପୂର୍ବରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ପୋଲସ ଫ୍ଲାଗମାର୍ଚ୍ଚ କରିଛି ।

Comments are closed.