ଦଳୀୟ ସାଂସଦଙ୍କୁ ନେଇ ଅଡୁଆରେ ପଶ୍ଚିମ ଓଡ଼ିଶା ବିଜେପି, ପ୍ରମାଣ ଗଣୁଛନ୍ତି ପଦ୍ମଦଳିଆ ପ୍ରାର୍ଥୀ ଓ କର୍ମୀ

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ହୋଇଉଠିଲାଣି। ସବୁ ନେତା ଏବେ ଗାଁ ମୁହାଁ। ପଞ୍ଚାୟତ ଦଖଲ ପାଇଁ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ସହ ମଇଦାନକୁ ଓହ୍ଲାଇ ସାରିଛନ୍ତି। ହେଲେ ଏଭଳି ସ୍ଥିତିରେ ଯିଏ ପ୍ରଚାରର ମଙ୍ଗ ଧରିବା କଥା, ସେମାନଙ୍କ ଦେଖା ମିଳୁନାହିଁ। ଆଉ ଯିଏ ଦେଖା ଦେଉଛନ୍ତି ସେମାନଙ୍କର ଗତ 3 ବର୍ଷର କାର୍ଯ୍ୟକଳାପ ତାଙ୍କୁ ଭୋଟରଙ୍କ ପାଖକୁ ଯିବାକୁ ସତସାହସ ଦେଉନଥିବା ଚର୍ଚ୍ଚ। ହେଲାଣି। ଆଉ ଏହି ଚର୍ଚ୍ଚ। ବିଜେପିର ପଶ୍ଚିମ ଓଡିଶାର ସାଂସଦଙ୍କୁ ନେଇ ଲାଗି ରହିଥିବା ଦେଖିବାକୁ ମିଳୁଛି।

ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ସାରା ଓଡିଶାରେ ବିଜେଡିର ବିଜ ଅଭିଯାନ ଦେଖିବାକୁ ମିଳିଥିବା ବେଳେ ବିଜେପି ପଶ୍ଚିମ ଓଡିଶାରେ ବିଶେଷ ସଫଳତା ପାଇଥିଲା। ଆଉ ଗତ ୨୦୧୯ରେ ପଶ୍ଚିମ ଓଡିଶାର ସମସ୍ତ ଲୋକସଭା ଆସନ ବିଜୟ ପଛରେ ପଞ୍ଚାୟତ ନିର୍ବାଚନର ସଫଳତାକୁ ସମସ୍ତେ ଦାୟୀ କରିଥିଲେ। ହେଲେ ବର୍ତ୍ତମାନ ସେହି ସଫଳତାକୁ ପୁଣି ଦୋହରାଇବାକୁ ଯିବା ବେଳେ ଖୋଦ୍ ଦଳୀୟ ନେତାଙ୍କ କରଛଡା ମନୋଭାବ ପ୍ରାର୍ଥୀ ଓ କର୍ମୀଙ୍କୁ ହତୋତ୍ସାହିତ କରୁଥିବା ଚର୍ଚ୍ଚ। ହେଉଛି। ବିଶେଷ କରି ପଶ୍ଚିମ ଓଡିଶାର ସମସ୍ତ ୫ ସାଂସଦଙ୍କ ଆଚରଣ ଏବଂ ଉଚ୍ଚାରଣ ଏବେ ଦଳ ପାଇଁ ଚିନ୍ତାର କାରଣ ହେଲାଣି। ଅବଶ୍ଯ କିଛିଦିନ ହେଲା ସଂସଦର ବଜେଟ ଅଧିବେଶନ ଚାଲିଥିଲେ ହେଁ ଏହା ପୂର୍ବରୁ ବି ଅନେକ ସାଂସଦ ପଞ୍ଚାୟତ ନିର୍ବାଚନ ପାଇଁ କରଛଡା ଦେଇ ଆସିଥିବା ଚର୍ଚ୍ଚା ହୋଇଆସିଛି।

ପ୍ରଥମେ ଆରମ୍ଭ କରିବା ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନିତେଶ ଗଙ୍ଗଦେବଙ୍କ ଠାରୁ। ଗତ ୨୦୨୧ରେ କରୋନାର କରାଳ ଛାଇରେ ସାରା ଓଡିଶା ଜର୍ଜରିତ ହେଉଥିଲା। ମହାମାରୀ ମୃତ୍ୟୁର ତାଣ୍ଡବ ରଚାଉଥିବା ବେଳେ ରାଜା ସାହେବଙ୍କ କେବେ ବି ଦେଖା ମିଳିନଥିଲା। ଗତବର୍ଷକ ମଧ୍ୟରେ ସମ୍ବଲପୁର ଜିଲ୍ଲାବାସୀ ମାତ୍ର ୩ରୁ ୪ ଥର ଦର୍ଶନ ପାଇ ପାରିଥିଲେ। ସୋସିଆଲ ମିଡିଆରେ ତାଙ୍କ ଅନୁପସ୍ଥିତିକୁ ନେଇ ଏଭଳି ଚର୍ଚ୍ଚ। ହେଲା ଯେ, ସାଂସଦ ନିଖୋଜ ବୋଲି ବି ପ୍ରଚାର ହେଲା। ଏପରିକି ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍ କରି ସାଂସଦଙ୍କୁ ଖୋଜିବାକୁ ଗୁହାରୀ କରିବା ଘଟଣା ଚର୍ଚ୍ଚ।ର ବିଷୟ ହୋଇଥିଲା। ତଥାପି ତାଙ୍କର ଦର୍ଶନ ମିଳିନଥିଲା। ଏଭଳି ସ୍ଥିତିରେ ବର୍ତ୍ତମାନ କିଛି ମାସ ହେଲା ତାଙ୍କର ଏବଂ ରାଣୀଙ୍କ ସମାନ୍ତରାଳ ସଂଗଠନକୁ ନେଇ ଚର୍ଚ୍ଚ। ଲାଗି ରହିଥିବା ବେଳେ ଗତ ସପ୍ତାହରେ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଥାନା ଯାଏ ଯିବା କଥା ସମସ୍ତଙ୍କୁ ଜଣା। ତେବେ, ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ ଜିଲ୍ଲାରେ ବିଜେପି ନେତା ଓ କର୍ମୀ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଦୀର୍ଘ ମାସ ହେଲା ରାଜାଙ୍କ ଦେଖା ମିଳିନାହିଁ। ଏହାକୁ ନେଇ ଦଳରେ ଅସନ୍ତୋଷ ତେଜିବାରେ ଲାଗିଛି। ଏପରିକି କିଛି ଦଳୀୟ କର୍ମୀ ସୋସିଆଲ ମିଡିଆରେ ବି ଅସନ୍ତୋଷ ଝାଡୁଥିବା ଦେଖିବାକୁ ମିଳିଛି। ସେମିତିବି ସମ୍ବଲପୁରରେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବର୍ଷର ଅଧିକାଂଶ ସମୟ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହୁଥିବା କଥା ତାଙ୍କ ଦଳର ଲୋକେ ପ୍ରକାଶ କରୁଥିବା ବେଳେ ମାତ୍ର ୨ ଦିନ ତଳେ ସେ ଜିଲ୍ଲାକୁ ଫେରି ପ୍ରଚାରକୁ ଓହ୍ଲାଇଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ଦଳ ପ୍ରଚାରକୁ ସରଗରମ କରିପାରିନାହିଁ।

ସେପଟେ, ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ସାଂସଦ ଜୁଏଲ ଓରାମଙ୍କ ଆଚରଣ ବି ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହେଲାଣି। ଗତ ସପ୍ତାହରେ ନିଜର ଜଣେ ମହିଳା ସହକର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ସେ ବିବାଦୀୟ ହୋଇପଡିଛନ୍ତି। ଯଦିଓ ଏହି ଘଟଣାରେ ସେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାରେ ସଫଳ ହୋଇଛନ୍ତି ତଥାପି ସେ ଲୁଚି ରହିଥିବା ଚର୍ଚ୍ଚା ହେଉଛି। ସେମିତିବି ତାଙ୍କ ଦୁର୍ବ୍ୟବହାର ଅଡିଓ ଭାଇରାଲ ହେବା ସହ ସେ ନିଶାସକ୍ତ ଅବସ୍ଥାରେ ଏଭଳି କରିଥିବା ନେଇ ଖୋଦ୍ ତାଙ୍କର ଅନ୍ୟ ଜଣେ ସହଯୋଗୀ ମହିଳା କହୁଥିବା ଏହି ଅଡିଓରେ ଶୁଣିବାକୁ ମିଳୁଛି। ଏହି ଘଟଣା ପରଠାରୁ ଜୁଏଲଙ୍କୁ ନେଇ ସାରା ଜିଲ୍ଲାର ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ଏହା ଦଳ ପାଇଁ କାଳ ହେଲାଣି।
ଏହାପରେ ବରଗଡ ସାଂସଦ ସୁରେଶ ପୂଜାରୀ ବି ଖୋଦ୍ ନିଜେ ଅଲୋଡା ହୋଇ ପଡୁଥିବା ପରି ମନେ ହେଉଛି। ଯଦିଓ ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ନିୟମିତ ଗସ୍ତ କରୁଛନ୍ତି, ତଥାପି ଦଳୀୟ ସଂଗଠନରେ ତାଙ୍କ ପତିଆରା କ୍ଷୁର୍ଣ ହେଉଥିବା ଚର୍ଚ୍ଚ। ହୋଇଆସୁଛି। ତାଙ୍କ ନିର୍ବାଚନ ମଣ୍ଡଳୀର ଝାରସୁଗୁଡା ଜିଲ୍ଲାରେ ଦଳୀୟ ସଂଗଠନ ସଂପୂର୍ଣ ରୂପେ ଯୁବନେତା ଟଙ୍କଧର ତ୍ରିପାଠୀଙ୍କ ହାତରେ ଥିବା ବେଳେ ଗୁରୁତ୍ବପୂର୍ଣ ଦଳୀୟ କାର୍ଯ୍ୟକ୍ରମରେ ବି ସୁରେଶ ଅନୁପସ୍ଥିତି ଏହି ଚର୍ଚ୍ଚାକୁ ବଢାଇ ଦେଉଛି। ସେହିପରିୁ ବରଗଡ ଜିଲ୍ଲାର ଦଳୀୟ ସଂଗଠନରେ ତାଙ୍କ ସକ୍ରିୟତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ମୋଟ୍ ଉପରେ କହିବାକୁ ଗଲେ ବର୍ତ୍ତମାନ ନିର୍ବାଚନ ବେଳେ ପାଣ୍ଠି ବାବଦକୁ ସେ ଆଦୌ ମୁଣ୍ଡ ପୂରାଉନଥିବାରୁ ଜିଲ୍ଲାର ଦଳୀୟ ନେତା ଖପ୍ପା ଥିବା କଥା ଚର୍ଚ୍ଚ। ହେବାରେ ଲାଗିଛି।
ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ତାଙ୍କ ଅନୁପସ୍ଥିତିକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ, ବର୍ତ୍ତମାନ ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଚାରରେ ସକ୍ରିୟ ହୋଇନଥିବାରୁ ଦଳୀୟ ନେତାଙ୍କ ପାଇଁ ଏହା ଚିନ୍ତାର ବିଷୟ ହେଲାଣି। ଅବଶ୍ୟ ତାଙ୍କ ସ୍ବାମୀ ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଚାର ମଇଦାନରେ ସକ୍ରିୟ ଅଛନ୍ତି। ହେଲେ ଗତ ୩ବର୍ଷ ମଧ୍ୟରେ ସାଂସଦଙ୍କ ଉପଲବ୍ଧିକୁ ନେଇ ଲୋକେ ପ୍ରଶ୍ନ କରିବାରେ ଲାଗିଛନ୍ତି। ଅନୁରୂପ ଭାବେ ଗତ ପ୍ରାୟ ଏକ ମାସ ହେଲା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ବହୁ ସ୍ଥାନରେ ଗତ ୩ ବର୍ଷର ଉପଲବ୍ଧିକୁ ନେଇ ଭୋଟରଙ୍କ ପ୍ରଶ୍ନବାଣର ଶିକାର ହେଉଥିବା ଭିଡିଓ ବି ଭାଇରାଲ ହୋଇସାରିଛି।

ମୋଟ୍ ଉପରେ କହିବାକୁ ଗଲେ, ବର୍ତ୍ତମାନ ପଶ୍ଚିମ ଓଡିଶା ବିଜେପି ଗତ ୨୦୧୭ର ପଞ୍ଚାୟତ ଭୋଟର ସଫଳତା ଦୋହରାଇବାକୁ ଆଶା ରଖିବା ବେଳେ ଦଳୀୟ ସାଂସଦଙ୍କ ଭୂମିକା ପ୍ରାର୍ଥୀରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ହତୋତ୍ସାହିତ କରୁଥିବା ଚର୍ଚ୍ଚ। ହେଉଛି।

Comments are closed.