ହିଂସାମୁକ୍ତ, ଅବାଧ ନିର୍ବାଚନ ଲକ୍ଷ୍ୟରେ ଗଞ୍ଜାମ ପୋଲିସ

ଗଞ୍ଜାମ ରାଜସ୍ବ ଜିଲ୍ଲାରେ ରହିଛି ଦୁଇ ଗୋଟି ପୋଲିସ ଜିଲ୍ଲା ଯଥା ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା। ଆକାର କୁହନ୍ତୁ ବା ପୋଲିସ ଥାନା ସଂଖ୍ୟା କୁହନ୍ତୁ, ଗଞ୍ଜାମ ପୋଲିସ ଜିଲ୍ଲା ବଡ଼ ଅଟେ। ଏହି ପୋଲିସ ଜିଲ୍ଲାରେ ରହିଛି ୨୪ ଗୋଟି ବିଭିନ୍ନ ଅଞ୍ଚଳର ଓ ବିଭିନ୍ନ କିସମର ଥାନା। ଖୋର୍ଦ୍ଧା ଜିଲ୍ଲା ସୀମାରୁ ଆରମ୍ଭ କରି ଆରପଟେ କନ୍ଧମାଳ ଓ ଗଜପତି, ପୁଣି ଆଉ ଏକ ପଟେ ନୟାଗଡ଼ ଜିଲ୍ଲା ସୀମା ପର୍ଯ୍ୟନ୍ତ ଲମ୍ବିଛି ଗଞ୍ଜାମ ପୋଲିସ ଜିଲ୍ଲାର ଇଲାକା। ଏଥିରୁ ହଁ ସହଜରେ ଅନୁମାନ କରିହୁଏ ଯେ କେତେ ବିଶାଳ ଓ କେତେ ବିସ୍ତୃତ ଏହି ପୋଲିସ ଜିଲ୍ଲା। ଆହୁରି ମଧ୍ୟ ମାଓଉପଦ୍ରୁତ କନ୍ଧମାଳ ଜିଲ୍ଲା ସହ ସଂଲଗ୍ନ ଗଞ୍ଜାମ ପୋଲିସ ଜିଲ୍ଲାର ସୋରଡ଼ା, ବଡ଼ଗଡ଼, ତାରସିଂ ଓ ଭଞ୍ଜନଗର ଥାନାର ଦୁର୍ଗମ ତଥା ଆଦିବାସୀବହୁଳ ଇଲାକା ରହିଛି। ଏଣୁ ଯେକୌଣସି ନିର୍ବାଚନ ସୁରୁଖୁରୁରେ ପରିଚାଳନା ଗଞ୍ଜାମ ପୋଲିସ ଜିଲ୍ଲା ପାଇଁ ସଦାସର୍ବଦା ଏକ ବଡ଼ ଆହ୍ୱାନ ରହି ଆସିଛି।

ଯେତେବେଳେ ତୃଣମୂଳସ୍ତରରେ ତଥା ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ଭୋଟ ଲଢ଼େଇ କଥା ଉଠେ ସେତେବେଳେ ଏହା ଆହୁରି ଅଧିକ ସମ୍ବେଦନଶୀଳ ହୋଇ ଉଠେ। ଏଣୁ ଆଗାମୀ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ, ଶାନ୍ତିଶୃଙ୍ଖଳାର ସହ ଅବାଧ ଓ ହିଂସା ତଥା ଭୟମୁକ୍ତ ପରିବେଶରେ ସମ୍ପନ୍ନ କରାଇବା ମଧ୍ୟ ଗଞ୍ଜାମ ପୋଲିସ ଜିଲ୍ଲାର ପଦାଧିକାରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ତେବେ ଏ ନେଇ ବେଶ୍ ଆଗୁଆ ଓ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏଙ୍କ ନେତୃତ୍ବରେ ସମସ୍ତ ଏସ୍‌ପିଓ, ଡିଏସ୍‌ପି, ଥାନାଧିକାରୀଙ୍କ ସମେତ ସଶସ୍ତ୍ର ପୋଲିସ ବାହିନୀ ଏନେଇ ବେଶ୍ ତତ୍ପରତାର ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲାର ମୋଟ ୨୨ଟି ବ୍ଲକ୍‌ରୁ ୧୭ଟି ବ୍ଲକ୍ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବା କିଛି ମାତ୍ରାରେ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଭୁକ୍ତ। ଏଠି ଫେବ୍ରୁଆରୀ ୧୬ରୁ ୨୪ ତାରିଖ ମଧ୍ୟରେ ୫ଗୋଟି ପର୍ଯ୍ୟାୟରେ ଯଥାକ୍ରମେ ୩ଟି, ୩ଟି, ୪ଟି, ୪ଟି ଓ ୩ ଗୋଟି ବ୍ଲକ୍‌ରେ ମତଦାନ ହେବାକୁ ଯାଉଛି। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଗଞ୍ଜାମ ପୋଲିସ ଜିଲ୍ଲା ତରଫରୁ ପ୍ରତି ଥାନା ଇଲାକାରେ ଫ୍ଲାଗ୍‌ମାର୍ଚ୍ଚ, ଫୁଟ୍ ପାଟ୍ରୋଲିଂ, ପଇଁତରା ଓ ବ୍ୟାପକ ଖାନତଲାସ ସାଙ୍ଗକୁ ଅବକାରୀ ଚଢ଼ଉ ଓ ପୁରୁଣା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ଉ ମଧ୍ୟ କରାଯାଉଛି। ଏ ମଧ୍ୟରେ ହିଞ୍ଜିଳିକାଟୁ, ପୋଲସରା, ରମ୍ଭା ଆଦି ଅଞ୍ଚଳରେ କାଁ ଭାଁ ପ୍ରାକ୍- ନିର୍ବାଚନୀ ହିଂସା ମଧ୍ୟ ଘଟିଯାଇଛି। ପ୍ରାର୍ଥୀଙ୍କୁ ଅପହରଣରୁ ଆରମ୍ଭ କରି ରାଜନୈତିକ ବିଦ୍ବେଷରୁ ସଂଘର୍ଷ ପର୍ଯ୍ୟନ୍ତ ଘଟିଲାଣି। ଏହାକୁ ନଜରରେ ରଖି ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ଗଞ୍ଜାମ ଜିଲ୍ଲାର ସମୁଦାୟ ୫୦୩ ପଞ୍ଚାୟତରେ ମୋଟ ୭୦୯୯ ବୁଥ୍ ଥିବା ବେଳେ ଗଞ୍ଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକ୍‌ର ୩୭୯ ପଞ୍ଚାୟତ ଅନ୍ତର୍ଗତ ୫୩୮୭ଟି ବୁଥରେ ଭୋଟଗ୍ରହଣ କରାଯିବ। ସେଥିମଧ୍ୟରୁ ୩୮୧ ଅତିସମ୍ବେଦନଶୀଳ ଓ ୪୨୬ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ ହୋଇଛି।

ପୁରୁଷୋତ୍ତମପୁର, ଖଲ୍ଲିକୋଟ ଥାନା ଇଲାକାରେ ପୁରୁଣା ଅପରାଧୀଙ୍କୁ ପଳାତକ ଘୋଷଣା କରି ସେମାନଙ୍କ ଘର ଆଗରେ ଆତ୍ମସମର୍ପଣ କିମ୍ବା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଲଟ୍‌କା ଟାଙ୍ଗି ଦିଆଯାଇଛି। ପ୍ରତ୍ୟହ ମୁଖ୍ୟରାସ୍ତା ସମେତ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ରୋଡ୍ ବ୍ଲକିଂ କରି ଗାଡ଼ିମୋଟର କଡ଼ାକଡ଼ି ଯାଞ୍ଚ କରୁଛି ପୋଲିସବାହିନୀ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କୁ ନେଇ ବୈଠକ କରି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ତାଗିଦ୍ କରିଛି ପୋଲିସ। କେଉଁଠି କିଛି ହିଂସାର ଆଭାସ ମିଳିଲେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇବାକୁ କୁହାଯାଇଛି। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ପ୍ରଚାର କାର୍ଯ୍ୟରେ ସାମିଲ ନକରିବା ଏବଂ ପ୍ରାର୍ଥୀ ଲଗାଇଥିବା ପୋଷ୍ଟର ଓ ବ୍ୟାନରକୁ ନଚିରିବା ପାଇଁ ପରାମର୍ଶ ଦିଆଯାଇଛି। ଡାକବାଜି ଯନ୍ତ୍ରରେ ଜନସାଧାରଣଙ୍କୁ ବୁଥମାନଙ୍କରେ ଶାନ୍ତିଶୃଙ୍ଖଳାର ସହ ମତଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି। ବେଆଇନ ଓ ଚୋରା ମଦ କାରବାରକୁ ରୋକିବା ପାଇଁ ବ୍ୟାପକ ଏନ୍‌ଫୋର୍ସମେଣ୍ଟ କରୁଛି ଗଞ୍ଜାମ ପୋଲିସ। ଅବକାରୀ ବିଭାଗ ସହ ମିଳିତ ଭାବେ ଏବଂ ନିଜସ୍ଵ ସମ୍ବଳରେ ମଧ୍ୟ ଧରପଗଡ଼ ଜାରି ରହିଛି। ସେହିପରି ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ଥାନାରେ ଜିମା ଦେବାକୁ ସମସ୍ତ ଥାନା ପୋଲିସ ପକ୍ଷରୁ ଅଭିଯାନ କାର୍ଯ୍ୟକାରୀ କରାଯାଇଛି।

ନିର୍ବାଚନ ପରିଚାଳନା ଦୃଷ୍ଟିରୁ ସମଗ୍ର ଜିଲ୍ଲାରେ ୩ ହଜାରରୁ ଊର୍ଦ୍ଧ୍ବ ଗାଡ଼ି ରିକ୍ୟୁଜିସନ୍ କରାଯାଇଥିବା ବେଳେ ଗଞ୍ଜାମ ପୋଲିସ ଦ୍ବାରା ଫୋର୍ସ ମୁଭମେଣ୍ଟ୍‌ ସକାଶେ ପ୍ରାୟ ୧୩୫ ଯାନବାହନ ରିକ୍ୟୁଜିସନ୍ କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ପୋଲିସ ପୁରୁଣା ବିବାଦକୁ ସମାଧାନ କରିବା, ଭୋଟଗ୍ରହଣ ପୂର୍ବରୁ ଅସାମାଜିକ ତତ୍ତ୍ୱଙ୍କୁ କାବୁ କରିବାରେ ମଧ୍ୟ ସଫଳ ହୋଇଛି। ଖଲ୍ଲିକୋଟ ଥାନା ଇଲାକାରେ କୀର୍ତ୍ତନକୁ ନେଇ ଗାଁରେ ଘଟିଥିବା ଗୋଷ୍ଠୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିପାରିଛି। ଆସିକା ଥାନା ପୋଲିସ ବହୁସଂଖ୍ୟକ ଡକାୟତଙ୍କୁ କାବୁ କରି ମାରଣାସ୍ତ୍ର ଜବତ କରିପାରିଛି। ୨୧୩ ଜଣଙ୍କ ବିରୋଧରେ ଧାରା ୧୦୭ରେ ମାମଲା ରୁଜୁ କରିଛି ଶେରଗଡ଼ ଥାନା ପୋଲିସ। ସେହିପରି ବୁଗୁଡ଼ା ପୋଲିସ ୩୮୬ ଜଣଙ୍କ ବିରୋଧରେ ଏଭଳି ନୋଟିସ୍ ଜାରି କରିଥିବା ବେଳେ ୧୯ ବନ୍ଧୁକ ଓ ୩ ପିସ୍ତଲକୁ ଲାଇସେନ୍ସଧାରୀ ବ୍ୟକ୍ତିମାନେ ଥାନାରେ ଜିମା ଦେଇଛନ୍ତି।

ନିର୍ବାଚନ ଦୃଷ୍ଟିରୁ ପୋଲିସ ପ୍ରସ୍ତୁତି ନେଇ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ଯେ- ଆଗରୁ କେଉଁଠି ଗଣ୍ଡଗୋଳ ହୋଇଥିଲା, ନିକଟରେ କେଉଁଠି ହିଂସାକାଣ୍ଡ ଘଟିଛି ତାହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଅଧିକ ଭୋଟର କିମ୍ବା ଅଧିକ ବୁଥ୍ ଥିଲେ ତଦନୁସାରେ ଅଧିକ ଫୋର୍ସ ମୁତୟନ ହେବେ। ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ ସୂଚନା ଦେଇଛନ୍ତି ଯେ- ଅତିସ୍ପର୍ଶକାତର ଓ ସମ୍ବେଦନଶୀଳ ବୁଥ୍‌ମାନଙ୍କରେ ସଶସ୍ତ୍ର ବାହିନୀ ସହ ସ୍ୱତନ୍ତ୍ର ଅଫିସର୍ ନିୟୋଜିତ ହେବେ। ସିସି ଟିଭି ଲଗାଯିବ। ଏଭଳି ବୁଥ୍ ଇଲାକାରେ ଅଧିକ ପାଟ୍ରୋଲିଂ କରାଯିବ।

Comments are closed.