ଶ୍ରୀମନ୍ଦିରରେ ଗାଣପତ୍ୟ ଉପାସନାର ପ୍ରଭାବ, ମନ୍ଦିର ବେଢାରେ ରହିଛି ଅନେକ ଗଣେଶ ବିଗ୍ରହ (୨ୟ ଭାଗ) | News Room Odisha

ଶ୍ରୀମନ୍ଦିରରେ ଗାଣପତ୍ୟ ଉପାସନାର ପ୍ରଭାବ, ମନ୍ଦିର ବେଢାରେ ରହିଛି ଅନେକ ଗଣେଶ ବିଗ୍ରହ (୨ୟ ଭାଗ)

୨ୟଭାଗରେ ଆଲୋଚନା କରିବା ବାହାର ବେଢାରେ ଥିବା ୨୨ଟି ଗଣେଶ ମନ୍ଦିର ବିଷୟ ରେ। ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟର ବାମ ପାଖ କାନ୍ଥରେ ଗଣେଶଙ୍କର ଏକ ଚିତ୍ରରେ ପ୍ରତିମା ସମେତ ବାହାର ବେଢାରେ ଗଣେଶଙ୍କର ମୋଟ ୨୨ଟି ମନ୍ଦିର ରହିଛି ।

• ବାଇଶି ପାହାଚ ବାମ ପାଖ କାଶୀ ବିଶ୍ୱନାଥ ମନ୍ଦିର ଦକ୍ଷିଣ ଦିଗରେ ପାର୍ଶ୍ୱ ଦେବତା ଗଣେଶ ଅଛନ୍ତି ।
• ଦକ୍ଷିଣପଟ କାନ୍ଥରେ ଗଣେଶଙ୍କର ଦୁଇଟି କ୍ଷୁଦ୍ର ମୂର୍ତ୍ତି ଅଛି ।
• ବାଇଶି ପାହାଚର ବାମ ପଟରେ ଥିବା ନୃସିଂହ ମନ୍ଦିର ଭିତରେ ଉତ୍ତରାଭିମୁଖୀ ଗଣେଶ ବିଦ୍ୟମାନ ।
• ବାଇଶି ପାହାଚ ଅତିକ୍ରମ କରିବା ପରେ ଭିତରବେଢା ଗୁମୁଟ ବାମ ପାଖେ ଘଣ୍ଟ ମୁଣ୍ଡେଇ ଠାକୁରାଣୀଙ୍କ ନିକଟରେ ଗଣେଶଙ୍କର ଏକ ଚିତ୍ର ପ୍ରତିମା ରହିଛି ।
• ଆନନ୍ଦବଜାରରେ ଥିବା ସରକାରୀ ପସରା ଗୃହ ଭିତର ପ୍ରସ୍ତର ନିର୍ମିତ ଏକ ଗଣେଶ ମୂର୍ତ୍ତି ରହିଅଛି ।
• ଦକ୍ଷିଣଦ୍ୱାର ଗୁମୁଟର ଡାହାଣପଟ ଠଣାରେ କଳା ମୁଗୁନି ପଥରରେ ନିର୍ମିତ ଏକ ଛୋଟ ଗଣେଶ ମୂର୍ତ୍ତି ରହିଅଛି ।
• ଦକ୍ଷିଣଦ୍ୱାର ଗୁମୁଟ ପାର ହୋଇ ବାମ ପାଖ ବୁଢୀମା ଠାକୁରାଣୀଙ୍କ ମନ୍ଦିର ଦ୍ୱାରର ଡାହାଣପଟ କାନ୍ଥରେ ଗଣେଶଙ୍କ ଚିତ୍ର ପ୍ରତିମା ରହିଛି ।
• ଦକ୍ଷିଣଦ୍ୱାର ବୁଢୀମା ମନ୍ଦିର ସାମ୍ନା ରାମଚନ୍ଦ୍ର ମନ୍ଦିରର ବାମ ପଟ କାନ୍ଥରେ ଏକ ଗଣେଶ ମୂର୍ତ୍ତି ରହିଛି ।
• ଏହି ମନ୍ଦିର ନିକଟରୁ ଡାହାଣଦିଗ ରୋଷକୁ ଯିବା ରାସ୍ତାରେ ଡାହାଣ ପାଖରେ ଥିବା ମହାଦେବ ମନ୍ଦିର କବାଟରେ ଗଣେଶଙ୍କ ଚିତ୍ର ପ୍ରତିମା ରହିଛି ।
• ଦକ୍ଷିଣଦ୍ୱାର ବାହାର ବେଢାରୁ ରୋଷ ଦ୍ୱାର ଦକ୍ଷିଣଶ୍ୱର ମହାଦେବଙ୍କ ମନ୍ଦିର ପଛ ପାଖରେ ଗଣେଶ ପାର୍ଶ୍ୱଦେବତା ଭାବେ ରହିବାସ୍ଥଳେ ମନ୍ଦିର ଭିତରେ ଗଣେଶଙ୍କର ଚିତ୍ର ପ୍ରତିମା ଅଛି ।
• ରୋଷ ପରିସରରେ ଥିବା ଏକ ସରଘରେ ପଥର ନିର୍ମିତ ଗଣେଶ ମୂର୍ତ୍ତି ରହିଅଛି ।
• ରୋଷ ଘରେ ଥିବା ଗଙ୍ଗା ଓ ଯମୁନା କୂଅ ନିକଟସ୍ଥ କାନ୍ଥରେ ଦୁଇଟି ପଥର ନିର୍ମିତ ଗଣେଶ ମୂର୍ତ୍ତି ଦେଖାଯାଏ ।
• ରୋଷଘର ମୁଖ୍ୟ ଦ୍ୱାରର ବାମ ପାଖରେ ଏକ ଗଣେଶ ମୂର୍ତ୍ତି ରହିଛି ।ଏହାକୁ ‘ରୋଷ ଗଣେଶ’ ବୋଲି କୁହାଯାଏ ।
• ପଶ୍ଚିମ ଦ୍ୱାର ଗୁମୁଟର ଭିତର ପଟ ଦ୍ୱାର ବନ୍ଧ ଉପରେ ନୃତ୍ୟଭଙ୍ଗୀରେ ଅଷ୍ଟଭୂଜ ବିଶିଷ୍ଟ ଏକ ଗଣେଶ ମୂର୍ତ୍ତି ରହିଛି ।
• ନିଳାଚଳ ଉପବନର ପ୍ରବେଶ ଦ୍ୱାର ନିକଟରେ ଥିବା ଚାରିଧାମ ମନ୍ଦିର ଭିତରେ ଏକ ଗଣେଶ ମୂର୍ତ୍ତି ବିରାଜିତ ।
• ନୀଳାଚଳ ଉପବନର ପରିସରରେ ଥିବା ଚକ୍ରନାରାୟଣ ମନ୍ଦିର ମଣ୍ଡପ ଭିତରେ ଏକ ଉତ୍ତରଭିମୁଖୀ ଗଣେଶ ମୂର୍ତ୍ତି ରହିଛି ।
• ପଶ୍ଚିମଦ୍ୱାର ବାମପାଖ ନୀଳାଦ୍ରିବିହାର ଭିତରେ ଥିବା ଧବଳେଶ୍ୱର ମନ୍ଦିର ପୂର୍ବପଟ ପାର୍ଶ୍ୱଦେବତା ରୂପେ ଗଣେଶ ବିଗ୍ରହ ରହିଛନ୍ତି ।
• ଉତ୍ତରଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଲାବେଳେ ବାମ ପାର୍ଶ୍ୱରେ ଏକ ଛୋଟ ଗଣେଶ ମନ୍ଦିର ଅବସ୍ଥିତ ।
• ସେଠାରେ ଗଣେଶ ପଶ୍ଚିମାଭିମୁଖୀ ହୋଇ ରହିଛନ୍ତି ।
• ଉତ୍ତରଦ୍ୱାର ବେଢା ଲୋକନାଥ ବା ସୋମନାଥ ମନ୍ଦିର ବାମ ପାଖରେ ଏକ ଗଣେଶ ବିଗ୍ରହ ରହିଛନ୍ତି ।
• ଶୀତଳାଙ୍କ ମନ୍ଦିର ଭିତରେ ଏକ ଗଣେଶ ମୂର୍ତ୍ତି ବିରାଜିତ ।
• ଉତ୍ତରଦ୍ୱାର ପାହାଚ ଉପର ବାମପାଖରେ ଥିବା ପର୍ଶୁନାଥ ଓ ଧବଳେଶ୍ୱର ମନ୍ଦିରର ଦକ୍ଷିଣପାଖ ଦେବତା ଗଣେଶ ଥିବା ସ୍ଥଳେ ଧବଳେଶ୍ୱର ମନ୍ଦିର ସାମ୍ନାପଟ କାନ୍ଥରେ ଗଣେଶଙ୍କର ଏକ ଚିତ୍ର ପ୍ରତିମା ରହିଛି ।
• କୋଇଲି ବୈକୁଣ୍ଠର ଦହନ ପାଖରେ ଥିବା ବୈକୁଣ୍ଠଶ୍ୱର ମହାଦେବଙ୍କ ମନ୍ଦିରର ଦକ୍ଷିଣ ଦିଗରେ ପାର୍ଶ୍ୱଦେବତା ଭାବେ ଅଷ୍ଟଭୁଜ ଗଣେଶ ବିରାଜମାନ ରହିଛନ୍ତି ।