ଆଜି ଦୁଇଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି, ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କରିବେ ସ୍ୱାଗତ

ଭୁବନେଶ୍ବର/ପୁରୀ :‌ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦୁଇଦିନିଆ ପୁରୀ ଗସ୍ତରେ ଆସିବେ। ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦନରରେ ପହଞ୍ଚିବା ପରେ ହେଲିକପ୍ଟର୍‌ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ। ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ସଂଧ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଫେବ୍ରୁଆରି ୨୦ରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିଠାରେ ଆୟୋଜିତ ଗୌଡୀୟ ମିସନ୍‌ର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ଯୋଗଦେବେ।

ଭୁବନେଶ୍ବର ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ ।
ଗସ୍ତର କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଅପରାହ୍ନ ପ୍ରାୟ ୨ଟା ୫୫ରେ ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୩ଟା ୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ ପରେ ଭିଆଇପି ରୋଡ୍‌ସ୍ଥିତ ରାଜଭବନ ଅଭିମୁଖେ ଯାତ୍ରା କରିବେ। ପ୍ରାୟ ଏକ ଘଣ୍ଟାର ବିଶ୍ରାମ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଡ଼ା ସୁରକ୍ଷାବଳୟ ଭିତରେ କାର୍‌ରେ ସପରିବାର ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ସଂଧ୍ୟା ୫ଟାରେ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପ୍ରାୟ ୪୫ ମିନିଟ୍‌ ଶ୍ରୀମନ୍ଦିର ଭିତରେ ରହିବା ପରେ ସଂଧ୍ୟା ୫ଟା ୪୫ରେ ସିଂହଦ୍ବାର ଦେଇ ବାହାରି ରାଜଭବନ ଯିବେ। ରାତ୍ରିକାଳୀନ ବିଶ୍ରାମ ପରେ ଫେବ୍ରୁଆରି ୨୦ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ରାଜଭବନରୁ ବାହାରି ପୁରୀ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ୧୦ ମିନିଟ୍‌ର ମଠ ପରିଦର୍ଶନ ପରେ ପୂର୍ବାହ୍ନ ୧୦ଟା ୪୫ରେ ଚୈତନ୍ୟ ‌ଗୌଡ଼ୀୟ ମଠ ପକ୍ଷରୁ ଆୟୋଜିତ ଶରଧାବାଲିସ୍ଥିତ ସଭାସ୍ଥଳରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିସନ୍‌ର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଉତ୍ସବର ଶୁଭାରମ୍ଭ କରିବେ। ପ୍ରାୟ ଏକ ଘଣ୍ଟା ସଭାରେ ରହିବା ସହ ଅଭିଭାଷଣ ଦେବା ପରେ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ପୁରୀ ତାଳବଣିଆସ୍ଥିତ ହେଲିପ୍ୟାଡ୍‌ ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୧୫ରେ ହେଲିକପ୍ଟରରେ ବସି ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୫୫ରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ବଡ଼ଦାଣ୍ଡରେ ବ୍ୟାରିକେଡିଂ ସହ ସମସ୍ତ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଛି। ଭିଆଇପି ରୋଡ୍‌, ତାଳବଣିଆ ଯାଆସ ରାସ୍ତା ବ୍ୟାରିକେଡିଂ କରାଯାଇଛି। ଏସ୍‌ଓଜି କମାଣ୍ଡୋଙ୍କ ସହ ଓଡ଼ିଶା ପୁଲିସଙ୍କୁ ନେଇ ମକ୍‌ଡ୍ରିଲ୍‌ କରାଯାଇଛି। ଡଗ୍‌ସ୍କ୍ବାଡ୍‌, ମେଟାଲ୍‌ ଡିଟେକ୍ଟର୍‌ ସହଯୋଗରେ ତାଳବଣିଆ ହେଲିପ୍ୟାଡ୍‌କୁ ଯାଞ୍ଚ କରାଯାଇଛି।

Comments are closed.